ଗୀତାଶାସ୍ତ୍ର ମିଦଂ ପୁଣ୍ୟଂ


ଶ୍ରୀମଦ୍ ଗୀତାର ବିଷୟ ବିଭିନ୍ନ ଯୋଗଃ ଭାବରେ ବର୍ଣ୍ଣିତ ହୋଇଛି  । ସେଗୁଡ଼ିକ ହେଉଛି ଅର୍ଜ୍ଜୁନ ବିଷାଦ ଯୋଗଃ, ସାଂଖ୍ୟ ଯୋଗଃ, କର୍ମ ଯୋଗଃ, ଜ୍ଞାନ ଯୋଗଃ, କର୍ମ ସନ୍ନ୍ୟାସ ଯୋଗଃ, ଧ୍ୟାନ ଯୋଗଃ, ଜ୍ଞାନ ବିଜ୍ଞାନ ଯୋଗଃ, ତାରକ ବା ଅକ୍ଷର ବ୍ରହ୍ମ ଯୋଗଃ, ରାଜବିଦ୍ୟା ରାଜଗୁହ୍ୟ ଯୋଗଃ, ବିଭୁତି ଯୋଗଃ, ବିଶ୍ୱରୂପ ଦର୍ଶନ ଯୋଗଃ, ଭକ୍ତି ଯୋଗଃ, କ୍ଷେତ୍ରକ୍ଷେତ୍ରଜ୍ଞ ବିଭାଗ ଯୋଗଃ, ଗୁଣତ୍ରୟ ବିଭାଗା ଯୋଗଃ, ପୁରୁଷୋତ୍ତମ ଯୋଗଃ, ଦୈବାସୁର ସଂପଦ୍ ବିଭାଗ ଯୋଗଃ, ଶ୍ରଦ୍ଧାତ୍ରୟ ବିଭାଗ ଯୋଗଃ, ମୋକ୍ଷ ସନ୍ନ୍ୟାସୀ ଯୋଗଃ  । ଓଡ଼ିଆ ଜନଜୀବନର ଏହି ଲୋକପ୍ରିୟ ଆଧ୍ୟାତ୍ମିକ ମାର୍ଗଦର୍ଶକ ପୁସ୍ତକଟିର ପ୍ରଥମ ଅଧ୍ୟାୟରେ ଅର୍ଜ୍ଜୁନ ବିଷାଦଯୋଗଃରୁ ଆରମ୍ଭ ହୋଇଛି  । ଧୃତରାଷ୍ଟ୍ର ଉବାଚ ଭାବରେ "ଧର୍ମକ୍ଷେତତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ  । ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ  । ।' ଅର୍ଥ ଧୃତରାଷ୍ଟ୍ର ଯୁଦ୍ଧକ୍ଷେତ୍ରର ତମାମ ବିବରଣୀ ଶୁଣୁଥିବା ସଞ୍ଜୟଙ୍କୁ ପଚାରିଥିଲେ ଯେ, ଧର୍ମଭୂମି କୁରୁକ୍ଷେତ୍ରରେ ଯୁଦ୍ଧ ଅବସ୍ୟମ୍ଭାବୀ ହୋଇଥିବା ବେଳେ ଆମ ପୁଅ ଓ ପାଣ୍ଡୁପୁତ୍ର ମାନେ ସମବେତ ହୋଇ କ'ଣ କରୁଛନ୍ତି  । ଶ୍ରୀମଦ୍ ଭଗବତ ଗୀତାର ମାହାତ୍ମ୍ୟର ସଂକ୍ଷିପ୍ତ ଲେଖନୀ ହେଉଛି - "ଗୀତାଶାସ୍ତ୍ର ମିଦଂ ପୁଣ୍ୟଂ ଯଃ ପଠେତ୍ ପ୍ରୟତଃ ପୁମାନ୍  । ବିଷ୍ଣୋଃପଦ ମବାପ୍ନୋତି ଭୟ ଶୋକାଦି ବର୍ଜ୍ଜିତଃ  । । ଗୀତା ଧ୍ୟୟନଶୀଳସ୍ୟ ପ୍ରାଣାୟାମପରସ୍ୟଚ  । ନୈବ ସନ୍ତି ହି ପାପାନି ପୂର୍ବଜନ୍ମକୃତାନି ଚ  । । ମଳ ନିର୍ମୋଚନଂ ପୁଂସାଂ ଜଳସ୍ନାନଂ ଦିନେ ଦିନେ  । ସକୃଦ୍ଗୀତ ମ୍ଭସି ସ୍ନାନଂ ସଂସାରମଳ ନାଶନଂ  । ।' ଯାହାର ଓଡ଼ିଆ ଭାବାର୍ଥ ହେଉଛି ପ୍ରତ୍ୟହ ଏହି ପବିତ୍ର ଗୀତାକୁ ଯେ ପାଠ କରନ୍ତି ସେ ସମସ୍ତ ସାଂସାରିକ ଭୟ ଓ ଦୁଃଖ ତଥା ଶୋକରୁ ମୁକ୍ତ ହୋଇ ବିଷ୍ଣୁପଦ ବା ଭଗବାନଙ୍କର ପାଦପଦ୍ମରେ ଲୀନ ହୋଇଥାନ୍ତି  । ଏହାସହ ପୂର୍ବ ଜନ୍ମର ସମସ୍ତ ପାପରାଶି ଏହି ପଠନ ଦ୍ୱାରା ଧ୍ୱଂସ ହୋଇଯାଇଥାଏ  । ଗୀତା ପରି ଆଧ୍ୟାତ୍ମିକ ଚେତନାକୁ ସ୍ୱଚ୍ଛ କରୁଥିବା ମହାନ୍ ଶାସ୍ତ୍ର ପାଠ ଦ୍ୱାରା ଏହାର ଶ୍ରଦ୍ଧାଳୁମାନେ ଅମୃତ୍ୱଲାଭ କରିବେ  । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି - "ପ୍ରାରବ୍ଧଂ ଭୁଞ୍ଜମାନୋହି ଗୀତାଭ୍ୟାସରତଃ ସଦା  । ସମୁକ୍ତାଃ ସ ସୁଖୀ ଲୋକେ କର୍ମଣା ନୋପଲିପ୍ୟତେ  । ।' ଭଗବାନ ପଦ୍ମନାଭ ବା ଶ୍ରୀବିଷ୍ଣୁଙ୍କ ମୁଖ ପଦ୍ମରୁ ନିଃସୃତ ଗୀତା ପାଠଦ୍ୱାରା ପୁନର୍ଜନ୍ମ ଆଉ ସମ୍ଭବ ହୋଇ ନଥାଏ  । ଶ୍ରୀମଦ୍ ଭାଗବତ ଗୀତାରେ ବର୍ଣ୍ଣିତ - "ଭାରତାମୃତସର୍ବସ୍ୱଂ ବିଷ୍ଣୋର୍ବ୍କ୍ତ୍ରା ଦ୍ବିନିଃସୃତମ୍  । ଗୀତା ଗଙ୍ଗୋଦକଂ-ପୀତ୍ୱା ପୁନର୍ଜନ୍ମ ନ ବିଦ୍ୟତେ  । ।' ଗୀତାର ବର୍ଣ୍ଣନା ଅନୁଯାୟୀ ଯେଉଁ ସ୍ଥାନରେ ଶ୍ରୀବିଷ୍ଣୁଙ୍କ ମୁଖ ନିର୍ଗତ ଶ୍ରୀମଦ୍ ଗୀତା ପାଠ କରାଯାଏ ସେଠାରେ ପ୍ରୟାଗ ପରି ସମସ୍ତ ତୀର୍ଥ ସ୍ୱୟଂ ବିଦ୍ୟମାନ ହୋଇଥାନ୍ତି ଯାହାଦ୍ୱାରା ଗୀତା ରସ ପାନ କରୁଥିବା ଶ୍ରଦ୍ଧାଳୁମାନେ ତୀର୍ଥଫଳ ଲାଭ କରିଥାନ୍ତି  । ଯାହା ଶ୍ରୀମଦ୍ ଗୀତାରେ ବର୍ଣ୍ଣିତ ହୋଇଛି - "ଗୀତାୟାଃ ପୁସ୍ତକଂ ଯତ୍ର ଯତ୍ର ପାଠଃ ପ୍ରବର୍ତ୍ତତେ  । ତତ୍ର ସର୍ବାଣି ତୀର୍ଥାନୀ ପ୍ରୟାଗାଦୀନି ତତ୍ର ବୈ  । ।' ସଚ୍ଚିଦାନନ୍ଦ ଶ୍ରୀକୃଷ୍ଣ ମୁଖ ନିର୍ଗତ ଗୀତା ଦୈନିକ ପାଠ କଲେ ତାହା ଦିବ୍ୟଜ୍ଞାନ ଓ ସିଦ୍ଧି ଲାଭର ମାର୍ଗ ଦେଖାଇଥାଏ  । ଯଦିବା କେହି ପ୍ରତ୍ୟେହ ସଂପୂର୍ଣ୍ଣ ଗୀତା ପାଠ ନକରି ଅଧାଭାଗ ପାଠ କରନ୍ତି ତେବେ ସେମାନେ ଗୋଦାନ ପରି ଅନ୍ୟତମ ଶ୍ରେଷ୍ଠଦାନର ପୁଣ୍ୟଫଳ ଲାଭ କରିଥାନ୍ତି  । କିନ୍ତୁ ଯେ ପ୍ରତ୍ୟହ ଅତ୍ୟନ୍ତ ଏକାଗ୍ରତାର ସହିତ ହୃଦୟ ଭିତରେ ବିଷ୍ଣୁଙ୍କ ନାମ ସ୍ମରଣ ସହକାରେ ଏକ ଅଧ୍ୟାୟ ଗୀତା ପାଠ କରେ ସେ ରୁଦ୍ରଲୋକ ପ୍ରାପ୍ତ ହୋଇ ଶିବଲୋକରେ ବାସ କରିଥାଏ  ।  ଭାରତୀୟ ଆଧ୍ୟାତ୍ମିକ ଅନୁଚିନ୍ତନରେ ଶ୍ରୀମଦ୍ ଗୀତାର ସ୍ଥାନ ସ୍ୱତନ୍ତ୍ର  । ଆଜି ବି ନିପଟ ମଫସଲ ଗ୍ରାମର ଭାଗବତ ଗାଦି ଘର ହେଉ ବା ଠାକୁରଙ୍କ ମଣ୍ଡପ  । ସଂଧ୍ୟା ବେଳେ ଦିନ ତମାମର ନିଜ ନିଜ କାମଦାମ ସାରି ଅବସର ସମୟ ଭଗବତ୍ ଚିନ୍ତନରେ ବିତାଉଥିବା ଲୋକମାନେ ଗୀତା ପାଠ କରନ୍ତି ବା ଗୀତା ଶ୍ରବଣ କରନ୍ତି  । ବିଶ୍ୱାସ ରହିଛି ଯେ, ଗୀତାର ଭାବଗତ ଅର୍ଥକୁ ଜଣେ ନ ବୁଝିଲେ ବି ଯଦି ଗୀତାଟି ପଠନ କରେ ବା ଶ୍ରବଣ କରେ ତାହାର ଆଧ୍ୟାତ୍ମିକ ଶକ୍ତି ଯଥେଷ୍ଟ  । ମହାଭାରତ ଯୁଦ୍ଧର ସବୁଠାରୁ ସ୍ମରଣୀୟ ଓ ଅତ୍ୟନ୍ତ ମୂଲ୍ୟବାନ ମୁହୂର୍ତ୍ତ ଯୁଦ୍ଧକ୍ଷେତ୍ରରେ ପରମପ୍ରେମମୟ ଶ୍ରୀକୃଷ୍ଣ ସଖା ଅର୍ଜ୍ଜୁନଙ୍କୁ ତାଙ୍କ ମାନସିକ ଶାନ୍ତି ଓ ତାଙ୍କ ଭିତରେ ରହିଥିବା ଅନେକ ଜିଜ୍ଞାସାବୋଧର ପ୍ରଶ୍ନର ଉତ୍ତର ମାଧ୍ୟମରେ ଭଗବତ ଗୀତାକୁ କହିଥିଲେ  । ଆଜିର ବିଜ୍ଞାନ ଯୁଗରେ ବି ଭାଗବତ ଗୀତାର ପ୍ରାସଙ୍ଗିକତା ନିଶ୍ଚିନ୍ତ ଭାବରେ ଅତୀବ ଗୁରୁତ୍ୱପୂର୍ଣ୍ଣ  । ଆମ ସାଧାରଣ ଜୀବନ ଭିତରେ ଅନେକ ଜଟିଳ ପ୍ରଶ୍ନ ହେଉ ବା ସଂସାର ବନ୍ଧନୀର ଚଳଣି ଭିତରେ ଗୀତାରେ ଶ୍ରୀକୃଷ୍ଣଙ୍କ ମାର୍ଗଦର୍ଶିତ ସମସ୍ତ ବାଣୀ ସେ ସବୁର ଯଥାର୍ଥ ଉତ୍ତର ପ୍ରତିଲେପନ କରିଛି  । ଦିନକୁ ଦିନ ଶ୍ରୀମଦ୍ ଗୀତାର ସ୍ୱତନ୍ତ୍ରତା ଓ ଲୋକପ୍ରିୟତା ବରଂ ବୃଦ୍ଧି ପାଇବାରେ ଲାଗିଛି  । କେବଳ ଭାରତୀୟ ନୁହଁନ୍ତି ବିଦେଶୀମାନେ ବି ଗୀତାର ଇଂରାଜୀ ଭାଷାନ୍ତରକୁ ପଢ଼ି ସେମାନଙ୍କ ଜୀବନର ଅନେକ ଅସମାହିତ ପ୍ରଶ୍ନର ଉତ୍ତର ପାଇବାକୁ ସମର୍ଥ ହେଉଛନ୍ତି  । ଆଜିପରି କର୍ମବ୍ୟସ୍ତ ଓ ସଂସାରରେ ମାନବୀୟ ମୂଲ୍ୟବୋଧ ଅପଶ୍ରୁୟମାଣ ସମୟରେ ଶ୍ରୀମଦ୍ ଗୀତା ପାଠ ନିଶ୍ଚିନ୍ତ ଭାବରେ ଆମ ସମସ୍ତଙ୍କର ବିଭିନ୍ନ ଜିଜ୍ଞାସାର ଯଥାର୍ଥ ଅମୂଲ୍ୟ ଦାନ  । 
କଟକ