ପର୍ଯ୍ୟଟକଙ୍କୁ ସୂର୍ଯ୍ୟମନ୍ଦିର ନାଟମଣ୍ଡପ ମନା
ଭୁବନେଶ୍ୱର : ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କର ସୂର୍ଯ୍ୟମନ୍ଦିରରେ ବାରମ୍ବାର ଦୁର୍ଘଟଣା ଘଟୁଛି । ପର୍ଯ୍ୟଟକମାନେ ଆହତ ହେଉଥିବା ନଜରକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ସୂର୍ଯ୍ୟମନ୍ଦିର ସାମ୍ନାରେ ଥିବା ପ୍ରଥମ ନାଟଣ୍ଡପକୁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି । ଏହା ଦ୍ୱାରା ପର୍ଯ୍ୟଟକମାନେ ଆଉ ନାଟମଣ୍ଡପକୁ ଚଢି କୀର୍ତ୍ତିରାଜି ଓ ମୁଖ୍ୟ ମନ୍ଦିରର ଦୃଶ୍ୟକୁ ସେହିଠାରୁ ଦେଖି ପାରିବେ ନାହିଁ । ନାଟମଣ୍ଡପ ଉପରୁ ସେଲ୍ଫି ଓ ଫଟୋ ନେଇପାରିବେ ନାହିଁ । ଏଏସଆଇ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ପର୍ଯ୍ୟଟକମାନେ କୌଣସି କୀର୍ତ୍ତିରାଜିକୁ ପାଖରୁ ସ୍ପର୍ଶ କରିପାରିବେ ନାହିଁ ।
ଏନେଇ ଆଜି ଏଏସଆଇ ପକ୍ଷରୁ ନିଷେଧାଦେଶ ଜାରି କରାଯାଇ ସୁରକ୍ଷାକର୍ମୀମାନଙ୍କୁ ନିୟୋଜିତ କରି ପର୍ଯ୍ୟଟକମାନଙ୍କ ଉପରକୁ ଯିବାକୁ ବାରଣ କରାଯାଉଥିବା ଦେଖାଯାଇଛି । ପର୍ଯ୍ୟଟକମାନେ ତଳେ ରହି ନାଟ ମଣ୍ଡପର ଚତୁରପାର୍ଶ୍ୱ ବୁଲି ଦେଖିପାରିବେ ବୋଲି ଏଏସ୍ଆଇର ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଡକ୍ଟର ଡିବି.ଗଡନାୟକ ପ୍ରକାଶ କରିଛନ୍ତି । ସୂଚନାଥାଉକି, ସୂର୍ଯ୍ୟମନ୍ଦିରକୁ ପରିଦର୍ଶନରେ ଆସୁଥିବା ଦେଶବିଦେଶ ପର୍ଯ୍ୟଟକମାନେ ପ୍ରଥମେ ନାଟମଣ୍ଡପ ଉପର ଦେଇ ସିଡିରେ ଯାଇ ସୂର୍ଯ୍ୟଙ୍କ ଉଦୟ ସମୟର ପ୍ରଥମ କିରଣର ସ୍ପର୍ଶ କରିବାକୁ ଚାହିଁଥାନ୍ତି । ମୁଖ୍ୟ ମନ୍ଦିରରେ ଥିବା ଅଷ୍ଟଧାତୁ ସୂର୍ଯ୍ୟମୂର୍ତ୍ତି ଉପରେ ପଡିଥାଏ ବୋଲି ଐତିହାସିକ ତଥ୍ୟକୁ ନେଇ ପର୍ଯ୍ୟଟକଙ୍କୁ ପ୍ରଶିକ୍ଷିତ ଗାଇଡ୍ ବୁଲାଇ ଦେଖାଇ ବୁଝାଇ ଥାନ୍ତି । ଅନେକ ପର୍ଯ୍ୟଟକ ଏହି ନାଟମଣ୍ଡପ ଉପରେ ରହି ଅନେକ ସେଲଫି ନେବା ସହ ଫୋଟୋ ଉତ୍ତୋଳନ କରିଥାନ୍ତି । ନିକଟରୁ ବିଭିନ୍ନ କୀର୍ତ୍ତିରାଜିକୁ ସ୍ପର୍ଶ କରି ସୂକ୍ଷ୍ମ କାରୁକାର୍ଯ୍ୟକୁ ମଧ୍ୟ ଦେଖିଥାନ୍ତି ।