ପହିଲାରୁ ରବି ଧାନ କିଣା
ଭୁବନେଶ୍ୱର: ଚଳିତ ରବି ଋତୁରେ ଚାଷୀମାନଙ୍କ ଠାରୁ ଧାନ କିଣିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସଂପୃକ୍ତ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀ ଯୋଗ ଦେଇଥିବାବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଧାନକିଣା ପାଇଁ ପ୍ରଶାସନିକ ଓ ବୈଷୟିକ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ଶ୍ରୀ ସିଂ କହିଲେଯେ, ଗତ ଖରିଫ୍ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିଲା । ଏଥିନିମନ୍ତେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୬ ହଜାର ୮୫୩ କୋଟି ଏବଂ ଇନ୍ପୁଟ୍ ସହାୟତା ବାବଦକୁ ୫୮୬୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ସେହିଭଳି ଚଳିତ ରବି ଋତୁ ପାଇଁ ଆସନ୍ତା ମଇ ୧ ତାରିଖରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଧାନକିଣା ଆରମ୍ଭ ହେବ । ଚଳିତ ଋତୁରେ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିନିମନ୍ତେ ପ୍ରାୟ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ଯାହା ଗତବର୍ଷ ତୁଳନାରେ ପ୍ରାୟ ୧୨୨% ଅଧିକ ରହିଛି । ଚଳିତ ବର୍ଷ କନ୍ଧମାଳ, ସୁନ୍ଦରଗଡ ଓ ଭଦ୍ରକ ଜିଲ୍ଲାରୁ ନୂତନ ଭାବେ ଧାନକିଣା ଆରମ୍ଭ ହେଉଥିବାବେଳେ ରବି ଋତୁରେ ମୋଟ୍ ୨୦ ଜିଲ୍ଲାରେ ୯୬୫ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନକିଣା ହେବ । ଏଥିରେ ମଧ୍ୟ ୨୦୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଯେଭଳି ଯୋଗ୍ୟ ଚାଷୀ ଧାନକିଣାରୁ ବଞ୍ଚିତ ନହୁଅନ୍ତି ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଓଡିଶା ମହାକାଶ ଉପଯୋଗ କେନ୍ଦ୍ର ଦ୍ୱାରା ଉପଗ୍ରହ ଜରିଆରେ ଧାନଜମିର ଉତ୍ତୋଳିତ ଫଟୋ ଓ ଡିଜିଟାଲ ଶସ୍ୟ ସର୍ବେକ୍ଷଣକୁ ବ୍ୟବହାର କରି ଚାଷୀମାନଙ୍କୁ ଟୋକନ୍ ପ୍ରଦାନ କରାଯାଉଥିବାରୁ ଶ୍ରୀ ଆହୁଜା ଖୁସି ବ୍ୟକ୍ତ କରିଥିଲେ । ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଫିସର ଓ ୩ରୁ ୪ଟି ମଣ୍ଡିକୁ ନେଇ ସୁପରଭାଇଜର ନିଯୁକ୍ତି ତୁରନ୍ତ କରିବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ସେହିଭଳି ମଣ୍ଡି ମନିଟରିଂ ଆପ୍ ମାଧ୍ୟମରେ ସେମାନଙ୍କର ପଞ୍ଜୀକରଣ କରିବାପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଚାଷୀମାନେ ମଣ୍ଡିରେ ଧାନ ବିକ୍ରୟ କରି ସୁଖଦ ଅନୁଭବ ନେଇପାରିବେ ଏବଂ ଧାନକିଣା ସମ୍ପର୍କିତ ଅଭିଯୋଗ ଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।
ଖରିଫ ଭଳି ଚଳିତ ରବିଋତୁରେ ମଧ୍ୟ ଧାନ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଓ ଇନ୍ପୁଟ୍ ସହାୟତା ବାବଦକୁ ୮୦୦ ଟଙ୍କା ଭାବେ ମୋଟ୍ ୩୧୦୦ ଟଙ୍କା ଧାନକିଣାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ପ୍ରଦାନ କରାଯିବ । ଏଥିପୂର୍ବରୁ ସଂପୃକ୍ତ ଚାଷୀମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଆଧାର ସଂଯୋଗୀକରଣ ନେଇ ଯାଞ୍ଚ୍ କରାଯାଉଛି । ଏଥିସହ ନିଦେ୍ର୍ଦଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ରକୁ ୧୯୬୭ ମାଧ୍ୟମରେ ଧାନକିଣା ନେଇ ଅଭିଯୋଗ କରିପାରିବେ । ପ୍ରତ୍ୟେକ ମଣ୍ଡିରେ ପାନୀୟ ଜଳ ସହ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇବା ସହ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଅଦିନିଆ ବର୍ଷା ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମଣ୍ଡିରେ ରଖାଯାଇଥିବା ଧାନର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସେହିଭଳି ବାହାର ରାଜ୍ୟର ଧାନଗାଡି ଯେଭଳି ଆମ ରାଜ୍ୟ ଭିତରକୁ ନଆସେ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ସ୍କ୍ୱାଡ୍ ନିୟୋଜନ ପାଇଁ ପରାମର୍ଶ ଦିଆଯାଇଛି । ମଣ୍ଡିରୁ ମିଲ୍କୁ ଯାଉଥିବା ଧାନଗାଡିରେ ସିସିଟିଭି ସଂଯୋଗ କରାଯିବ । ଏଥିନିମନ୍ତେ ଓଡିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିଦେ୍ର୍ଦଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ ।
ଉକ୍ତ ବୈଠକରେ ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ପରିବହନ କମିଶନର ଅମିତାଭ ଠାକୁର, କୃଷି ଓ ଖାଦ୍ୟ ଉତ୍ପାଦନ ନିଦେ୍ର୍ଦଶକ ଶୁଭମ ସକ୍ସେନା ପ୍ରମୁଖ ଉପସ୍ଥିତ ଥିଲେ ।