ରାଜ୍ୟପାଳଙ୍କୁ ଭେଟିଲେ ଭିନ୍ନକ୍ଷମ ଛାତ୍ରଛାତ୍ରୀ

 ଭୁବନେଶ୍ୱର : ଭିନ୍ନକ୍ଷମମାନଙ୍କ ଠାରେ ଭରପୁର ପ୍ରତିଭା ରହିଛି । ଏଣୁ ସେମାନଙ୍କ ଠାରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ପ୍ରକାଶ ପାଇଁ ପ୍ରୋସôାହନ ଯୋଗାଇବା ଉପରେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି ଗୁରୁତ୍ୱା ରୋପ କରିଛନ୍ତି । ଏ ଦିଗରେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଶ୍ରୀ ହର୍ଷ ମିଶ୍ର ସ୍ମୃତି ବଧିର ବିଦ୍ୟାଳୟ, ଜଟଣୀର ଛାତ୍ରାଛାତ୍ରୀମାନେ ରାଜ ଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଛାତ୍ରଛାତ୍ରୀମାନେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ଏହାର ନୈସର୍ଗିକ ଶୋଭାରାଜି ଦେଖିବା ପରେ ଅଭିଷେକ ହଲ୍ଠାରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ଦୁଇ ଜଣ ଛାତ୍ରଛାତ୍ରୀ ନିଜ ଦ୍ୱାରା ଆଙ୍କିତ ରାଜ୍ୟପାଳଙ୍କ ଫଟୋଚିତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କର ସୃଜନଶୀଳତା ଓ ପ୍ରତିଭା ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଦେବବ୍ରତ ବେହେରାଙ୍କ ଜରିଆରେ ରାଜ୍ୟପାଳ ପିଲାମାନଙ୍କର କୁଶଳ ଜିଜ୍ଞାସା କରିଥିଲେ । ଶ୍ରବଣ ଶକ୍ତି ବାଧିତ ପିଲାମାନଙ୍କ ପାଇଁ ଉକ୍ତ ଆବାସିକ ବିଦ୍ୟାଳୟର ସ୍ଥାପନା, ପରିଚାଳନା, ପାଠପଢ଼ା, ଖାଇବା ଓ ରହିବା ବ୍ୟବସ୍ଥା, ଶ୍ରବଣ ଯନ୍ତ୍ର ଯୋଗାଣ, କର୍ମଚାରୀମାନଙ୍କର ଦରମା ବ୍ୟବସ୍ଥା, ସରକାରଙ୍କ ତରଫରୁ କରାଯାଇଥିବା ବ୍ୟବସ୍ଥା ତଥା ବିଦ୍ୟାଳୟର ଆବଶ୍ୟକତା ସଂପର୍କରେ ରାଜ୍ୟପାଳ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପଚାରିବୁଝିଥିଲେ ।