ପାଇଖାନା ନିର୍ମାଣରେ ମହାଦୁର୍ନୀତି
ଚାନ୍ଦବାଲିରୁ ଅଭୟ ମହାକୁଡ଼ : କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନରେ ଗରିବ ହିତାଧିକାରୀମାନଙ୍କ ପାଇଁ ଆସିଥିବା ପାଇଖାନା ନିର୍ମାଣରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ପାଇଖାନା ତିଆରି କରିବାକୁ ବର୍ଷେ ପୁରିଥିଲେ ମଧ୍ୟ ଟାଙ୍କି ତିଆରି ନ କରି ଟଙ୍କା ହଡପ କରାଯାଇଛି । ଏପରିକି ପରେ ଟାଙ୍କି ତିଆରି କରିବା ପାଇଁ ହିତାଧିକାରୀଙ୍କ ପାଖରୁ ୧୫୦୦ରୁ ଅଧିକ ଟଙ୍କା ଆଦାୟ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ହିତାଧିକାରୀ । ଏମିତି ଅଭିଯୋଗ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଳେଶ୍ୱରପୁର ପଞ୍ଚାୟତର ଜଳେଶ୍ୱରପୁର ଗ୍ରାମରେ । ସୂଚନା ମୁତାବକ, ୨୦୨୩ ଏବଂ ୨୦୨୪ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳେଶ୍ୱରପୁର ପଞ୍ଚାୟତରେ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ପାଇଁ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ପାଇଖାନା ତିଆରି କରାଯିବା ପାଇଁ ନିଦେ୍ର୍ଦଶ ଥିବାବେଳେ ଉକ୍ତ ଠିକାଦାର ପୂର୍ବତନ ସରକାରଙ୍କ କିଛି କୁଜିନେତାମାନଙ୍କୁ ହାତବାରିଶ କରି ପାଇଖାନା କାର୍ଯ୍ୟ ନିମ୍ନମାନର କରିବା ସହିତ ଟାଙ୍କି କାର୍ଯ୍ୟ ନ କରି ଟଙ୍କା ଉଠାଇ ନେଇଥିବା ଦେଖିବାକୁ ମିଳିଛି । ଜଳେଶ୍ୱରପୁର ଗ୍ରାମରେ ନରକାନ୍ତ ସେଠି, ଭଗବାନ ସେଠି, ଗୌରୀ ସୁତାର, ଦିଗାମ୍ବର ଭୋଳ ଏବଂ ଚୁମିକି ସେଠି ଭଳି ୨୦୦ରୁ ଉଦ୍ଧ୍ୱର୍ ହିତାଧିକାରିକାରୀ ଏଭଳି ଅଭିଯୋଗ କରିଛନ୍ତି । ଏପରିକି ଏ ନେଇ ହିତାଧିକାରୀମାନେ ସରପଞ୍ଚକୁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ସେ ଏ ବିଷୟରେ କର୍ଣ୍ଣପାତ କରୁନାହାନ୍ତି । ତେଣୁ ମୋହନ ସରକାର ଏବଂ ନୂତନ ଚାନ୍ଦବାଲି ବିଡିଓ ଏ ବିଷୟରେ ତଦନ୍ତ କରି ଉକ୍ତ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।