ଛାତ୍ରଛାତ୍ରୀଙ୍କ ପ୍ରତି ଡ୍ରାଇଭରଙ୍କ ଆକ୍ରୋଶ ବ୍ୟବହାର : ଟିସି ନେବାକୁ ବାଧ୍ୟ ହେଉଛନ୍ତି ଅଭିଭାବକ
କାଳିଆପାଣି : ଡ୍ରାଇଭର ଆମକୁ ଧମକାଉଛନ୍ତି । ହର୍ଣ୍ଣ ମାରିବା କ୍ଷଣି ବସରେ ନବସିଲେ ଛାଡିକି ପଳେଇ ବି ବୋଲି କହୁଛନ୍ତି । ବଡ଼ବଡ଼ ପିଲାଙ୍କୁ ବସରେ ନେବି ନାହିଁ, ତମେ ଯାହାକୁ କହିବ କୁହ, ମୋର କିଛି ଅସୁବିଧା ହେବନାହିଁ । ଏମିତି ସବୁ ଅଭିଯୋଗ ଆଣିଛନ୍ତି କାଳିଆପାଣି ଖଣି ଅଞ୍ଚଳ ଟାଟା କମ୍ପାନୀ ପରିଷର ମଧ୍ୟରେ ଥିବା ଶ୍ରମଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ । ଗତ ଦୁଇବର୍ଷ ଧରି ଟାଟା କମ୍ପାନୀ ସ୍ଥାନୀୟ ଖଣି ପ୍ରଭାବିତ ଗାଁ ଗୁଡିକର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ସ୍କୁଲ ବସର ବନେ୍ଦାବସ୍ତ କରିଛି । ଉକ୍ତ ବସଟି କଅଁସ ପଂଚାୟତର କମର୍ଦା, ସାରୁଆବିଲ ଠାରୁ କାଳିଆପାଣି ଦେଇ ସୁକିନ୍ଦା କ୍ରୋମାଇଟ ମାଇନ୍ସ (ଟାଟା ଷ୍ଟିଲ) କଲରଙ୍ଗୀ ଅତା ଠାରେ ଥିବା ଶ୍ରମଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟକୁ ପିଲାଙ୍କୁ ନେବା ଆଣିବା କରିଥାଏ । ଟାଟା କମ୍ପାନୀ ପକ୍ଷରୁ ସ୍ଥାନୀୟ ଅଂଚଳର ସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉକ୍ତ ବସର ବ୍ୟବସ୍ଥା କରାଯାଇଥିବା ବେଳେ ଉକ୍ତ ବସର ଡ୍ରାଇଭରଙ୍କ ଏତାଦୃଶ ବ୍ୟବହାର ପାଇଁ ଅନେକ ପିଲା ସ୍କୁଲ ଆସିବା ବନ୍ଦ କରି ଦେଇଥିବାର ଖବର ଆସିଛି । ଅନ୍ୟମାନେ ଏହି ସ୍କୁଲରୁ ଅନ୍ୟ ସ୍କୁଲକୁ ଚାଲିଯିବା ପାଇଁ ଟିସି ନେବାକୁ ଆବେଦନ କରିଛନ୍ତି । ଏନେଇ ଟାଟା କମ୍ପାନୀର ବରିଷ୍ଠ ଅଧିକାରୀ ପ୍ରମୋଦ କୁମାରଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଟାଟା କମ୍ପାନୀ ସ୍ଥାନୀୟ ଅଂଚଳର ସ୍କୁଲ ପିଲାମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ପ୍ରତିଶୃତିବଦ୍ଧ । ଯଦି କୌଣସି ଡ୍ରାଇଭର କିଛି ଖରାପ ବ୍ୟବହାର କରିଛନ୍ତି ତେବେ ଏହାକୁ କମ୍ପାନୀ ଗୁରୁତର ସହିତ ବିଚାର କରି ବିହିତ କାଯ୍ୟନୁଷ୍ଠାନ ନେବ । ପିଲାମାନଙ୍କ ସ୍କୁଲ ବସସେବା ନିରନ୍ତର ଜାରି ରହିବାକୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ ।