ଗଛ ମୂଳରେ ଚାଲିଛି ଶିକ୍ଷା ଦାନ
ଭୁବନେଶ୍ୱର: ଶ୍ରେଣୀ ଗୃହ ନ ଥିବାରୁ ଗଛ ମୂଳରେ ଚାଲିଛି ଶିକ୍ଷା ଦାନ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ପ୍ରବଣ ଅଞ୍ଚଳ କୋଟଗଡ଼ ବ୍ଲକର ରାଣୀପଙ୍ଗା ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋହିଗୁଡାରେ । ଏହି ବିଦ୍ୟାଳୟ ଜଙ୍ଗଲ, ପାହାଡ଼, ପର୍ବତ ଘେରରେ ଅବସ୍ଥିତ । ବିଦ୍ୟାଳୟଟି ୧୯୯୧ ମସିହାରେ ସ୍ଥାପିତ । ଏତେ ପୁରୁଣା ବିଦ୍ୟାଳୟ ହେଲେ ବହୁ ସମସ୍ୟା ମଧ୍ୟରେ ଗତି କରୁଛି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮୫ ଜଣ ଛାତ୍ର ଛାତ୍ରୀ ଶିକ୍ଷା ଅଧ୍ୟୟନ କରନ୍ତି । ସେଠାରେ ସମୁଦାୟ ୨ ଜଣ ଶିକ୍ଷକ ନିୟୋଜିତ ହୋଇଛନ୍ତି । ତେବେ ମାତ୍ର ଗୋଟିଏ ଶ୍ରେଣୀ ଗୃହ ଥିବାରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ବାରଣ୍ଡା ଓ ଗଛମୂଳେ ବସି ପାଠ ପଢୁଛନ୍ତି । ସମସ୍ୟା ବିଷୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ଅଭିଭାବକ ମାନେ ବାରମ୍ବାର ଲିଖିତ ଆକାରେ କୋଟଗଡ଼ ବିଇଓଙ୍କୁ ଲିଖିତ ଆକାରରେ ଦେବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।