କ୍ୟାବିନେଟ୍‌ ମନ୍ତ୍ରୀ ହେଲେ ଆଝାରୁଦ୍ଦିନ

କ୍ୟାବିନେଟ୍‌ ମନ୍ତ୍ରୀ ହେଲେ ଆଝାରୁଦ୍ଦିନ

ନୂଆଦିଲ୍ଲୀ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡିଙ୍କ କ୍ୟାବିନେଟରେ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

     ଆଝାରୁଦ୍ଦିନଙ୍କ ଯୋଗଦାନ ସହିତ ତେଲେଙ୍ଗାନା କ୍ୟାବିନେଟର ସଂଖ୍ୟା ୧୬ କୁ ବୃଦ୍ଧି ପାଇଛି । ଆଉ ଦୁଇ ଜଣ ମନ୍ତ୍ରୀଙ୍କ ପାଇଁ ସ୍ଥାନ ଖାଲି ରହିଛି । ବିଧାନସଭା ସଂଖ୍ୟା ଅନୁସାରେ ରାଜ୍ୟରେ ୧୮ ଜଣ ମନ୍ତ୍ରୀ ରହିପାରିବେ । ଆଝାରୁଦ୍ଦିନଙ୍କ ମନ୍ତ୍ରୀପଦ କଂଗ୍ରେସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପଦକ୍ଷେପ ଭାବରେ ଦେଖାଯାଉଛି, ବିଶେଷକରି ଆଗାମୀ ଜୁବିଲି ହିଲ୍ସ ଉପନିର୍ବାଚନରେ ଦଳ କଠିନ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ଯାଉଛି । ଏକ ଲକ୍ଷରୁ ଅଧିକ ମୁସଲିମ ଭୋଟର ଥିବା ଏହି ନିର୍ବାଚନମଣ୍ଡଳୀ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି । ଚଳିତ ବର୍ଷ ଜୁନ୍‌ ମାସରେ ହୃଦଘାତ ଯୋଗୁଁ   ବିଆରଏସ ବିଧାୟକ ମାଗନ୍ତି ଗୋପୀନାଥଙ୍କ ମୃତ୍ୟୁ ପରେ ଉପନିର୍ବାଚନ ଜରୁରୀ ହୋଇପଡ଼ିଥିଲା । ଆଝାରୁଦ୍ଦିନ୍‌ ତାଙ୍କ ନିଯୁକ୍ତି ଉପନିର୍ବାଚନ ସହିତ ଜଡିତ ବୋଲି ଦାବିକୁ ଖାରଜ କରିଛନ୍ତି । "ମୁଁ ଖୁସି । ମୁଁ ମୋ ଦଳର ହାଇକମାଣ୍ଡ, ଜନସାଧାରଣ ଏବଂ ମୋର ସମର୍ଥକମାନଙ୍କୁ ଧନ୍ୟବାଦ ଜଣାଉଛି । ଏହା (ମନ୍ତ୍ରୀ ହେବା) ଜୁବୁଲି ଉପନିର୍ବାଚନ ସହିତ କୌଣସି ସମ୍ପର୍କ ନାହିଁ । ଏଗୁଡ଼ିକ ଦୁଇଟି ପୃଥକ ପ୍ରସଙ୍ଗ ଏବଂ ଏହାକୁ ଜଡିତ କରାଯିବା ଉଚିତ୍‌ ନୁହେଁ ବୋଲି ଶପଥ ଗ୍ରହଣ ପରେ ସେ କହିଛନ୍ତି ।

   ଉପନିର୍ବାଚନ ପୂର୍ବରୁ ସଂଖ୍ୟାଲଘୁ ଭୋଟ ବ୍ୟାଙ୍କିଂ ପାଇଁ ଏହାକୁ "ରାଜନୈତିକ ତୁଷ୍ଟିକରଣ’ ବୋଲି କହି ବିଜେପି ଏହି ପଦକ୍ଷେପକୁ ତୀବ୍ର ସମାଲୋଚନା କରିବା ପରେ ମଧ୍ୟ ତାଙ୍କର ନିଯୁକ୍ତି ଆସିଥିଲା । ବିଜେପି ଆଝାରୁଦ୍ଦିନଙ୍କ ନିଯୁକ୍ତିକୁ ଯୋଗ୍ୟତା ଆଧାରିତ ଶାସନ ଅପେକ୍ଷା ନିର୍ବାଚନୀ ସୁବିଧା ପାଇଁ ପୁରସ୍କାର ଭାବରେ ବର୍ଣ୍ଣନା କରିଥିଲା ।