ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦ୍ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ
ନୂଆଦିଲ୍ଲୀ : ସ୍ୱାଧୀନତା ସଂଗ୍ରାମୀ ବିଠଲଭାଇ ପଟେଲ କେନ୍ଦ୍ରୀୟ ବିଧାନସଭାର ପ୍ରଥମ ନିର୍ବାଚିତ ଭାରତୀୟ ବାଚସ୍ପତି ହେବାର ୧୦୦ତମ ବାର୍ଷିକୀ ପାଳନ ଅବସରରେ ଦିଲ୍ଲୀ ବିଧାନସଭାରେ ଆୟୋଜିତ ଦୁଇ ଦିନିଆ ଅଖିଳ ଭାରତୀୟ ବାଚସ୍ପତି ସମ୍ମିଳନୀକୁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଉଦଘାଟନ କରିଛନ୍ତି । ଏହି ଅବସରରେ ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦ୍ର ଗୁପ୍ତା, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ, ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତି ତଥା ବିଧାନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନେ ଯୋଗ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଦିଲ୍ଲୀ ବିଧାନସଭା ପରିସରରେ ବିଠଲଭାଇ ପଟେଲଙ୍କ ଜୀବନୀ ଉପରେ ଆୟୋଜିତ ଏକ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିଥିଲେ ।
ଏହି ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଶାହ କହିଛନ୍ତି ଯେ ଆଜି ଦେଶର ବିଧାନସଭା ଇତିହାସର ଆରମ୍ଭ ହୋଇଛି । ସେ ଉଲ୍ଲେଖ କରିଥିଲେ ଯେ ଏହି ଦିନ ମହାନ ସ୍ୱାଧୀନତା ସଂଗ୍ରାମୀ ବିଠଲଭାଇ ପଟେଲ କେନ୍ଦ୍ରୀୟ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ ଓ ଭାରତୀୟମାନଙ୍କ ନେତୃତ୍ୱରେ ବ୍ୟବସ୍ଥାପକ ବ୍ୟବସ୍ଥାର ଇତିହାସ ଆରମ୍ଭ କରିଥିଲେ । ସେ କହିଥିଲେ ଯେ ଏହି ସଦନରେ ଭାରତର ସ୍ୱାଧୀନତା ଆନେ୍ଦାଳନର ଅନେକ ବିଶିଷ୍ଟ ଓ ବରିଷ୍ଠ ନେତାମାନଙ୍କର ବିଧାୟକ ଭାବେ ଉଲ୍ଲେଖନୀୟ ଅବଦାନ ଦେଖିବାକୁ ମିଳିଛି । ମହାମାନ୍ୟ ମଦନ ମୋହନ ମାଲବ୍ୟ ପ୍ରାୟ ୨୦ ବର୍ଷ ଧରି ଏହି ଗୃହର ସଦସ୍ୟ ରହିଥିଲେ । ଶାହ ଆହୁରି ମଧ୍ୟ କହିଛନ୍ତି ଯେ ମହାତ୍ମା ଗାନ୍ଧିଙ୍କ ପରାମର୍ଶଦାତା ଗୋପାଳ କୃଷ୍ଣ ଗୋଖଲେ, ଲାଲା ଲାଜପତ ରାୟ ଓ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ପରି ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କ ଶକ୍ତିଶାଳୀ ଭାଷଣ ମାଧ୍ୟମରେ ସ୍ୱାଧୀନତା ପାଇଁ ଦେଶର ଉକôଣ୍ଠା ଓ ସ୍ୱାଧୀନତା ପାଇଁ ସେମାନଙ୍କର ଆକାଂକ୍ଷାକୁ ପ୍ରକାଶ କରିଥିଲେ । ଶାହ ଦିଲ୍ଲୀ ବିଧାନସଭାର ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ଯେ ଏହି ଗୃହରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦିଆଯାଇଥିବା ଭାଷଣକୁ ସଂକଳିତ କରନ୍ତୁ ଓ ସେଗୁଡ଼ିକୁ ସାରା ଦେଶର ସମସ୍ତ ବିଧାନସଭାର ଲାଇବ୍ରେରୀରେ ଉପଲବ୍ଧ କରାନ୍ତୁ, ଯାହା ଦ୍ୱାରା ବିଧାୟକ ଓ ଆଜିର ଯୁବକମାନେ ଦିଲ୍ଲୀ ବିଧାନସଭାରେ ସ୍ୱାଧୀନତାର ଭାବନା କିପରି ପ୍ରଜ୍ୱଳିତ ହୋଇଥିଲା ତାହା ବୁଝିପାରିବେ । ଯଦି ସଂସଦ ଓ ବିଧାନସଭାରେ ଅର୍ଥପୂର୍ଣ୍ଣ ବିତର୍କ ନହୁଏ, ତେବେ ସେଗୁଡ଼ିକ କେବଳ ପ୍ରାଣହୀନ ଭବନରେ ପରିଣତ ହୋଇଯିବ । ସେ କହିଥିଲେ ଯେ ଏହି ଭବନଗୁଡ଼ିକରେ ଭାବପ୍ରବଣତା ଓ ବିଚାର ବ୍ୟକ୍ତ କରିବାର କାର୍ଯ୍ୟ ବାଚସ୍ପତିଙ୍କ ନେତୃତ୍ୱରେ ଗୃହର ସମସ୍ତ ସଦସ୍ୟଙ୍କ ଉପରେ ନିର୍ଭର କରେ । କେବଳ ସେତେବେଳେ ଏହା ଏକ ଜୀବନ୍ତ ସଂସ୍ଥା ହୋଇଯାଏ ଯେତେବେଳେ ଏହା ରାଷ୍ଟ୍ର ଓ ରାଜ୍ୟର ସ୍ୱାର୍ଥରେ କାର୍ଯ୍ୟ କରେ । ସେ କହିଥିଲେ ଯେ ବିଧାନସଭା ହେଉଛି ଗଣତନ୍ତ୍ରର ଇଞ୍ଜିନ, ଯେତେବେଳେ ଏଠାରେ ସୁସ୍ଥ ପରମ୍ପରା ପ୍ରତିଷ୍ଠା ହୁଏ, ଜାତୀୟ ନୀତି ପ୍ରସ୍ତୁତ ହୁଏ ଓ ରାଷ୍ଟ୍ରର ସ୍ୱାର୍ଥ ପାଇଁ ଆଇନ ପ୍ରଣୟନ ହୁଏ, ସେତେବେଳେ ରାଷ୍ଟ୍ରର କାର୍ଯ୍ୟଧାରା ସ୍ୱାଭାବିକ ଭାବେ ସ୍ପଷ୍ଟ ହୋଇଯାଏ ।