ପାଣି ପାଇଁ ଡହଳବିକଳ ହରିଜନସାହି ବାସିନ୍ଦା
ନୀଳଗିରି: ଦୀର୍ଘ ଏକବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରଶାସନ, ନେତା ଓ ଲୋକପ୍ରତିନିଧିଙ୍କୁ ଭେଟି ପିଇବା ପାଣି ମୁନ୍ଦାଏ ପାଇଁ ଗୁହାରି କରି ଆସୁଥିଲେ ଅଞ୍ଚଳବାସୀ । ତେବେ କୌଣସି ସୁଫଳ ପାଇ ପାରିନଥିବାବେଳେ ଶେଷରେ ଗରା, ବାଲ୍ଟିି ଧରି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ନୀଳଗିରି ବ୍ଲକ୍ ମହିଷାପଟା ପଞ୍ଚାୟତ ପାଟଣା ଗ୍ରାମର ହରିଜନ ସାହିର ପ୍ରାୟ ୬୦ପରିବାରର ମହିଳା ଓ ପୁରୁଷ ।
ପ୍ରକାଶ ଯେ, ଉକ୍ତ ଗ୍ରାମରେ ଚାରୋଟି ନଳକୂପ ସ୍ଥାପନ କରାଯାଇ ପାନୀୟଜଳ ଯୋଗାଇ ଦିଆଯାଉଥିବା ବେଳେ ଗତବର୍ଷ ଠାରୁ ୩ଟି ନଳକୂପ ଅକାମୀ ହୋଇ ବନ୍ଦ ପଡ଼ିଥିବାରୁ ଅଞ୍ଚଳବାସୀ ଚୁଆପାଣି ବ୍ୟବହାର କରିବାକୁ ବାଧ୍ୟ ହୋଇ ଆସୁଥିଲେ । ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଲୋକପ୍ରତିନିଧିଙ୍କୁ ନେହୁରା ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନଥିଲା । ଚଳିତବର୍ଷ ମାଘ ମାସରୁ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିବାରୁ ଗ୍ରାମବାସୀ ଉପାୟ ଶୂନ୍ୟ ହୋଇ ମିତ୍ରପୁର ଅଯୋଧ୍ୟା ରାସ୍ତାର ପାଟଣାଛକ ଠାରେ ପୂର୍ବାହ୍ନ ୮ଘଟିକା ଠାରୁ ଉଭୟ ମହିଳା ଓ ପୁରୁଷମାନେ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ । ଫଳରେ ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଶହ ଶହ ଯାନବାହନ ଓ ସାଧରଣଜନତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବର ପାଇ ୧୩ନଂ ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହିତ ଗ୍ରାମ୍ୟ ଜଳଯୋଗାଣ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ । ତେବେ ଅଧିକାରୀ ଖୁବଶୀଘ୍ର ନୂତନ ନଳକୂପ ଖନନ କରାଯାଇ ପାନୀୟ ଜଳର ବନ୍ଦବୋସ୍ତ କରାଯିବାର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।