ଆଇନ ସଚେତନତା କର୍ମଶାଳା 

 ବାଲେଶ୍ୱର: ମହିଳାଙ୍କ ମୌଳିକ ଅଧିକାରର ସୁରକ୍ଷା ଲାଗି ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବା ଏବଂ ନ୍ୟାୟ ବ୍ୟବସ୍ଥାକୁ ବ୍ୟାପକ ଗୁରୁତ୍ୱକୁ ଦେବା ପାଇଁ ବାଲେଶ୍ୱର ସଦର ମହକୁମା ସ୍ଥିତ ଟାଉନ ହଲ ଠାରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ଅନୁଷ୍ଠିତ ତଥା ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ବ୍ଲକସ୍ତରୀୟ ଆଇନଗତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀମଣି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଜିଲ୍ଲା ପରିଷଦ ବାଲେଶ୍ୱର ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଐଶ୍ୱର୍ଯ୍ୟା ସାମନ୍ତ, ସଂସାଧନ ସଭ୍ୟ ଗୋପାଳ କୃଷ୍ଣ କର ଏବଂ ସଂସାଧନ ସଭ୍ୟା ସ୍ନେହଲତା ଦାସ ପତି ପ୍ରମୁଖ ମଞ୍ଚାସୀନ ଥିଲେ । ଉଦ୍ଘାଟନୀ ଅଧିବେଶନରେ ଲିଙ୍ଗଗତ ସମାନତାର ମୌଳିକ ଧାରଣା ଏବଂ ଲିଙ୍ଗ ଭିତ୍ତିକ ହିଂସାର ବିଭିନ୍ନ ରୂପ ଉପରେ ଆଲୋକପାତ କରାଯାଇଥିଲା । ଅଧିବେଶନରେ ଘରୋଇ ହିଂସା ଆଇନର ବ୍ୟବସ୍ଥା, କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ସମ୍ପର୍କିତ ଆଇନ ଏବଂ ମହିଳା ସୁରକ୍ଷାକୁ ସୁଦୃଢ଼ କରୁଥିବା ସାମ୍ପ୍ରତିକ ଅପରାଧିକ ଆଇନ ସଂଶୋଧନର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହୋଇଥିଲା । ଏହି ଅବସରେ ବିଭିନ୍ନ ଯୋଜନା ସହ ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରାଯାଇଥିଲା ।