ପାଣି ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଭଣଜାଙ୍କୁ ଗୁଳିମାଡ଼
ଗୁଳିକାଣ୍ଡରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଭଣଜା ମୃତ, ଅନ୍ୟଜଣେ ଭାଇ ଏବଂ ମାଆ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି । ବିହାରର ନଭଗଛିଆରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦୁଇ ଭଣଜାଙ୍କ ମଧ୍ୟରେ ଗୁଳି ବିନିମୟର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ଜଣେ ଭଣଜାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଅନ୍ୟ ଭାଇ ଏବଂ ମାଆ ଆହତ ହୋଇଛନ୍ତି । ପାରସ୍ପରିକ ବିବାଦ ଯୋଗୁଁ ଉଭୟ ପକ୍ଷରୁ ଗୁଳିଚାଳନା ହୋଇଥିଲା । ନଭଗଛିଆ ପୋଲିସ କହିଛି ଯେ ପାଣି ପାଇଁ ବିବାଦକୁ ନେଇ ଦୁଇ ଭାଇ ବିଶ୍ୱଜିତ ଏବଂ ଜୟଜିତଙ୍କ ମଧ୍ୟରେ ଗୁଳିଚାଳନା ହୋଇଥିଲା । ଏହି ଘଟଣାରେ ବିଶ୍ୱଜିତଙ୍କ ଗୁଳି ବାଜିବାରୁ ମୃତ୍ୟୁ ହୋଇଥିଲା । ଅନ୍ୟଜଣେ ଭାଇ ଜୟଜିତ ଏବଂ ମା' ହିନା ଦେବୀ ଆହତ ହୋଇଛନ୍ତି । ଉଭୟଙ୍କୁ ଭାଗଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ବିଶ୍ୱଜିତ ଯାଦବ ଏବଂ ଜୟଜିତ ଯାଦବ ଉଭୟ ନଭଗଛିଆର ଜଗତପୁର ଗାଁରେ ଗୋଟିଏ ଘରେ ଏକାଠି ରହୁଥିଲେ । ବିଶ୍ୱଜିତ ବଡ଼ ଥିଲେ ଏବଂ ଜୟଜିତ ସାନ ଥିଲେ। ଦୁହେଁ ଚାଷ କରି ଜୀବିକା ନିର୍ବାହ କରୁଥିଲେ । କୁହାଯାଉଛି ଯେ ନଳକୂପ ପାଣିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା, ଯାହା ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଜୟଜିତ ବିଶ୍ୱଜିତଙ୍କ ଉପରେ ଗୁଳି ଚଳାଇଥିଲେ। ଆହତ ବିଶ୍ୱଜିତ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ହସ୍ପିଟାଲ ନେବା ବାଟରେ ବିଶ୍ୱଜିତଙ୍କ ମୃତ୍ୟୁ ହୋଇଯାଇଥିଲା, ଜୟଜିତ ଓ ତାଙ୍କ ମା ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ମେଡ଼ିକାଲରେ ଚିକିତ୍ସା ଚାଲିଛି ।