ପାନୀୟ ଜଳ ସମସ୍ୟାରେ ଭାଲୁଡୁଙ୍ଗରୀ ଗ୍ରାମବାସୀ

 ନୂଆପଡା:  ପାଣି ମୁନ୍ଦାଏ ପାଇଁ ନାହିଁ ନ ଥିବାର ଅବସ୍ଥା । ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଖଡ଼ିଆଳ ବ୍ଲକ ଦାବ୍ରି ପଞ୍ଚାୟତର ଭାଲୁଡୁଙ୍ଗରି ଗ୍ରାମରେ ପାଣି ସମସ୍ୟା ଉକ୍ରଟ ହୋଇଛି ।  ଏଥିପାଇଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି । ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି, କିନ୍ତୁ ଗତ ସାତ ଦିନ ଧରି ପାଣି ଆସୁନି । ଫଳରେ ଲୋକେ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି । ଗ୍ରାମରେ ୨ ଶହ ପରିବାର ଥିବା ବେଳେ, ଦୁଇଟି ନଳକୂପ ଅଛି । ତହିଁରୁ ଗୋଟିଏ ନଳକୂପରୁ ଖରାପ ପାଣି ବାହାରୁ ଥିବା ବେଳେ, ଅନ୍ୟ ଗୋଟିଏ ନଳକୂପ ଉପରେ ଏବେ ଗ୍ରାମବାସୀ ନିର୍ଭର କରୁଛନ୍ତି । ଏହି ନଳକୂପରେ ଭିଡ଼ ଜମୁଥିବା ବେଳେ ପାଣି ମଧ୍ୟ କମ ବାହାରିଥାଏ । ଏଥିରେ ମଧ୍ୟ ଫ୍ଲୋରାଇଡ ଥିବା ଗ୍ରାମବାସୀ କହନ୍ତି । ଗାଁର ମହିଳା ମାନେ ରାତି ଅଧରୁ ପାଣି ପାଇଁ ଜଗି ରହନ୍ତି । ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ  କେହି ଶୁଣୁ ନଥିବା ଲୋକେ କହୁଛନ୍ତି । ପାଣି ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ପଞ୍ଚାୟତ ଓ ବ୍ଲକ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।ଖରା  ମାସରେ ପାଣି ସମସ୍ୟା ଦେଖା ଦେବା ସ୍ୱାଭାବିକ କିନ୍ତୁ ପ୍ରଶାସନ ଏନେଇ ପଦକ୍ଷେପ ନେବା ଜରୁରୀ ହୋଇ ପଡୁଛି । ଗାଆଁ ଗାଆଁରେ ବସୁଧା ଯୋଜନାରେ ପାଣି ଯୋଗାଣ ବ୍ୟବସ୍ଥା କରା ଯାଇଥିବା ବେଳେ ଦୂର ଦୃଷ୍ଟି ଅଭାବରୁ ଏହି ଗ୍ରାମରେ ପାଣି ପହଞ୍ଚି ପାରୁନି । ଏଥିପାଇଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ଯୋଜନା ଫେଲ୍ ମାରିଥିବାରୁ ବିଭାଗୀୟ ଅଧିକାରୀଙ୍କ ଖାମ୍ ଖିଆଲି ମନୋଭାବ ସ୍ପଷ୍ଟ ବାରି ହେଉଛି । ଏନେଇ ସ୍ଥାନୀୟ ସରପଞ୍ଚ ଅମ୍ବିକା ମାଝୀଙ୍କୁ ପଚାରିବାରୁ ଅତିଶିଘ୍ର ପାଣି ଯୋଗାଣ ବ୍ୟବସ୍ଥା କରାଯିବ, ନ ହେଲେ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯିବ  ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଉଦାସୀନତା ଯୋଗୁଁ ସରକାରଙ୍କ କୋଟିକୋଟି ଟଙ୍କାର ଜଳ ଯୋଗାଣ ବ୍ୟବସ୍ଥା ଫେଲ ମାରିଛି  । ସ୍ଥାନୀୟ ସରପଞ୍ଚଙ୍କ ପ୍ରତିଶ୍ରୁତି ପରେ ଭାଲୁଡୁଙ୍ଗରି ଗାଁ ବାସୀଙ୍କ ଜଳ ସଙ୍କଟ କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା ।