କୁଆଖିଆ-ସାତଭାୟା ଏନ୍ଏଚ୍-୨୦ରାସ୍ତା ନିର୍ମାଣରେ ଅନିୟମିତତା , ନିମ୍ନମାନର କାର୍ଯ୍ୟକରି କୋଟି କୋଟି ଲୁଟ୍ ମସୁଧା

 ଦଶରଥପୁର: କୁଆଖିଆ-ସାତଭାୟା ଏନ୍ଏଚ୍-୨୦ର ରାସ୍ତା କାର୍ଯ୍ୟ ଚାରି ଲେନ୍ବିଶିଷ୍ଟ ହେବାକୁ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କୁଆଖିଆଠାରୁ ଏହି ଚାରିଲେନ୍ ରାସ୍ତା ନିର୍ମାଣ ଆରମ୍ଭ ହୋଇ ଏବେ ହରିପୁର ପର୍ଯ୍ୟନ୍ତ ପହଞ୍ଚିଥିବାବେଳେ ଏହି ରାସ୍ତାର ଦଶରଥପୁର ବ୍ଲକ୍ ମଧ୍ୟଦେଇ ଯାଇଥିବା ହଳଦୀପଦାଠାରୁ ମଙ୍ଗଳପୁର ପର୍ଯ୍ୟନ୍ତ ପୂର୍ବରୁ ଥିବା ଦୁଇଲେନ୍ ରାସ୍ତାକୁ ସମ୍ପ୍ରସାରଣ କରାଯାଉଛି । ସମ୍ପ୍ରସାରଣ କାର୍ଯ୍ୟ ଏଆରଏସ୍ଏସ୍ ନାମକ ଏକ କମ୍ପାନୀ ହାତକୁ ନେଇଥିବାବେଳେ ରାସ୍ତାଟିର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି । ରାସ୍ତାର ନିର୍ମାଣ କାର୍ଯ୍ୟ ମାତ୍ର ଉଭୟ ପାଶ୍ୱର୍ରେ ଦୁଇଫୁଟ୍ ଲେଖାଏଁ ବଢ଼ୁଥିବାବେଳେ ଅତ୍ୟନ୍ତ ନିମ୍ନମାନର ଚିପ୍ସ ଓ ଡଷ୍ଟ ଗୁଣ୍ଡରେ ଉକ୍ତ ବଢ଼ିବା ଅଂଶକୁ ନିର୍ମାଣ କରାଯାଉଥିବାର ଦେଖିବାକୁ ମିଳିଛି । ଏଥିସହ ଏହି ରାସ୍ତା କାର୍ଯ୍ୟର କୌଣସି ଜାଗାରେ ସୂଚନାଫଳକ ଲାଗିନଥିବାବେଳେ କମ୍ପାନୀ ଅତି ବେପରୁଆଭାବେ ରାସ୍ତାଟିକୁ ନିର୍ମାଣ କରିବା ଆଳରେ ନଷ୍ଟ କରିବାକୁ ବସିଛି । ପ୍ରାୟ ୨୦ରୁ ଊଦ୍ଧ୍ୱର୍ ସ୍ଥାନରେ ଏକା ସମୟରେ କଲଭର୍ଟଗୁଡ଼ିକୁ ଖୋଳିପକାଇ ସମ୍ପ୍ରସାରଣ କରୁଥିବାବେଳେ ଉକ୍ତ କଲଭର୍ଟଗୁଡ଼ିକର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବାର ଦେଖିବାକୁ ମିଳିଛି । ନିମ୍ନମାନର ସିମେଣ୍ଟ ସହ ୮ ଏମ୍ଏମ୍ଓ ୧୦ ଏମ୍ଏମ୍ ରଡ଼ରେ ଉକ୍ତ କଲଭର୍ଟଗୁଡ଼ିକର ନିର୍ମାଣ କାର୍ଯ୍ୟ ଚାଲିଛି । ଏହା ଏକ ମୁଖ୍ୟ ରାସ୍ତା ହୋଇଥିବାରୁ ଭବିଷ୍ୟତରେ ଏହି କଲଭର୍ଟ ଭୁଷୁଡ଼ି ଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏଥିସହ ରାସ୍ତାଟି ନିର୍ମାଣ ଚାଲୁଥିବାରୁ ପ୍ରବଳ ଧୂଳି ଧୂସରରେ ସମଗ୍ର ପରିବେଶ କରାୟତ୍ତ ହୋଇଥିବାବେଳେ ନିର୍ମାଣକାରୀ ଠିକାସଂସ୍ଥା ରାସ୍ତା ଉପରେ ଆଦୌ ପାଣି ମୁନ୍ଦିଏ ଢାଳୁନାହିଁ । ଦିନରେ ଦୁଇବେଳେ ପାଣି ଢାଳିବାକୁ ସରକାରୀ ନିୟମ ଥିବାବେଳେ ନିର୍ମାଣକାରୀ ସଂସ୍ଥା ଏହାକୁ ଭ୍ରୁକ୍ଷେପ କରୁନଥିବାର ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣ ସମୟରେ ରାଜୀୟ ରାଜପଥ ବିଭାଗର କୌଣସି ଯନ୍ତ୍ରୀ ଆଦୌ ଉପସ୍ଥିତ ନଥିବାବେଳେ ଭବିଷ୍ୟତରେ ଏହି ନିର୍ମାଣଧୀନ ନିମ୍ନମାନର କଲଭର୍ଟଗୁଡ଼ିକ ନିଶ୍ଚିତ ଭୁଶୁଡ଼ିବ ବୋଲି ଲୋକେ ଆଶଙ୍କା କରୁଛନ୍ତି । ଏଥିସହ ଯେଉଁସବୁ ସ୍ଥାନରେ କଲଭର୍ଟ ନିର୍ମାଣ କରାଯାଉଛି ସେସବୁ ସ୍ଥାନରେ କଲଭର୍ଟ ମଧ୍ୟରେ ପାଣି ଯିବାଆସିବା କରିବା ମଧ୍ୟ ସମ୍ଭବ ହେବନି ବୋଲି ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣ ଚାଲିଯିବା ସ୍ଥାନରେ ଖୋଳିଥିବା ସ୍ଥାନର ପୂର୍ବରୁ ନିର୍ମାଣକାରୀ ସଂସ୍ଥା ଯାତ୍ରୀଙ୍କ ଅବଗତି ନିମନ୍ତେ କୌଣସି ସୁରକ୍ଷା ବାଡ଼ ଦେଇନଥିବାବେଳେ ପ୍ରତ୍ୟେକ ଦିନ ଏହି ରାସ୍ତାରେ ୧୦ରୁ ଊଦ୍ଧ୍ୱର୍ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡ଼ି ପୀଠକୁ ଯିବାଆସିବା ନିମନ୍ତେ ଯାଜପୁର ଠାରୁ ଯାତ୍ରୀମାନେ ମୁଖ୍ୟତଃ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ ୫୦ରୁ ଊଦ୍ଧ୍ୱର୍ ବସ୍ ଓ ଶତାଧିକ ଟ୍ରକ୍ ଓ ହଜାର ହଜାର ବାଇକ୍, ଟେମ୍ପୋ, ମିନିଟ୍ରକ୍, କାର ପ୍ରଭୃତି ଏହି ରାସ୍ତାରେ ଯା’ଆସ କରୁଥିବାବେଳେ ସୁରକ୍ଷା ନଥିବାରୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏବେପର୍ଯ୍ୟନ୍ତ ଏପରି ଦୁର୍ଘଟଣାରେ ପ୍ରାୟ ୧୦ରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କର ଜୀବନ ଯାଇଥିବାବେଳେ ବହୁଲୋକ ଦୁର୍ଘଟଣାର ଶିକାରହୋଇ ପଙ୍ଗୁ ହୋଇ ଘରେ ବସିରହିଛନ୍ତି । ନିର୍ମାଣକାରୀ ସଂସ୍ଥା ଝୁମ୍ପୁରୀ ବଜାରଠାରୁ ବ୍ଲକ୍ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପାଶ୍ୱର୍ରେ ଡ୍ରେନ୍ ନିର୍ମାଣ କରୁଛି । ଡ୍ରେନ୍ ନିର୍ମାଣ କାର୍ଯ୍ୟ ମଧ୍ୟ ଅତି ନିମ୍ନମାନର ହୋଇଥିବାରୁ ମାତ୍ର ୬ ଏମ୍ଏମ୍ ୨/୪ ପିସ୍ ରଡ଼ ଦେଇ କରୁଥିବାରୁ ଏହି ଡ୍ରେନ୍ ଭବିଷ୍ୟତରେ ନିଶ୍ଚିତ ଭୁଶୁଡ଼ିବ ବୋଲି ଝୁମ୍ପୁରୀ ବଜାରର ବହୁ ବ୍ୟବସାୟୀ ମତପ୍ରକାଶ କରିଛନ୍ତି । ଆଗକୁ ଉକ୍ତ ରାସ୍ତାଟି ଚାରିଲେନ୍ ହେବାକୁ ଥିବାବେଳେ ଏବେ ଯେଉଁ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି ଏହା କେଉଁ କାର୍ଯ୍ୟ ଓ କେଉଁ ଅର୍ଥରେ ହେଉଛି ଏବଂ ଭବିଷ୍ୟତରେ ଏହି ରାସ୍ତା ଚାରିଲେନ୍ ହେବାକୁ ଯାଉଥିବାରୁ ଏବେ ଯେଉଁ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି ଏହା ପୁଣି ଭଙ୍ଗାଯିବ ବୋଲି ଜାଣିବାକୁ ମିଳିଛି । ସାଧାରଣରେ ଏବେ ନିର୍ମାଣଧୀନ ଏହି ସମ୍ପ୍ରସାରଣ କାର୍ଯ୍ୟ ବିରୁଦ୍ଧରେ ମତପ୍ରକାଶ ପାଇଥିବାବେଳେ କୋଟି କୋଟି ଟଙ୍କାର ଅର୍ଥ ପାଣିରେ ପଡ଼ିବାକୁ ଯାଉଛି ବୋଲି ଲୋକେ କହିଛନ୍ତି । ତୁରନ୍ତ କେନ୍ଦ୍ର ସରକାରଙ୍କ ଅର୍ଥକୁ ଶ୍ରାଦ୍ଧ କରିବାକୁ ବସିଥିବା ଜାତୀୟ ରାଜପଥ, ଚଣ୍ଡୀଖୋଲ ବିଭାଗର ଯନ୍ତ୍ରୀମାନେ ଓ ଠକାମୀ କାର୍ଯ୍ୟ କରୁଥିବା ଏଆରଏସ୍ଏସ୍. କମ୍ପାନୀ ବିରୁଦ୍ଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ଲକ୍ର ହଜାର ହଜାର ଲୋକେ ଦାବି କରିଛନ୍ତି ।