ପାଲଘରରେ ବୁଲେଟ ଟ୍ରେନ ପ୍ରକଳ୍ପର ପ୍ରଥମ ପାହାଡି ସୁଡଙ୍ଗ ନିର୍ମାଣ ସଫଳ : ଅଶ୍ୱିନୀ

ପାଲଘରରେ ବୁଲେଟ ଟ୍ରେନ ପ୍ରକଳ୍ପର ପ୍ରଥମ ପାହାଡି ସୁଡଙ୍ଗ ନିର୍ମାଣ ସଫଳ : ଅଶ୍ୱିନୀ

ନୂଆଦିଲ୍ଲୀ : ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍‌ ଟ୍ରେନ ପ୍ରକଳ୍ପକୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ମହାରାଷ୍ଟ୍ରର ପାଲଘରଠାରେ ଏହି ପ୍ରକଳ୍ପ ଅନ୍ତର୍ଗତ ପ୍ରଥମ ପାହାଡି ସୁଡଙ୍ଗ ନିର୍ମାଣ କାର୍ଯ୍ୟ ସଫଳତାପୂର୍ବକ ସମ୍ପୂର୍ଣ୍ଣ ହୋଇଛି । ଏହା ରାଜ୍ୟରେ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ଦ୍ୱିତୀୟ ସୁଡଙ୍ଗ । ଆଜି ନୂଆଦିଲ୍ଲୀରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ନବନିର୍ମିତ ପାହାଡି ସୁଡଙ୍ଗର ଲମ୍ବ ପ୍ରାୟ ଦେଢ କିଲୋମିଟର । ଏହା ପାଲଘର ଜିଲ୍ଲାରେ ଆସୁଥିବା ପ୍ରକଳ୍ପର ସବୁଠୁ ଲମ୍ବା ସୁଡଙ୍ଗ। 

   

 ଏହି ସୁଡଙ୍ଗ ବିରାର୍‌ ଓ ବୋଇସାର୍‌ ବୁଲେଟ୍‌ ଟ୍ରେନ୍‌ ଷ୍ଟେସନ ମଧ୍ୟରେ ଅବସ୍ଥିତ । ପାହାଡି ସୁଡଙ୍ଗ-୫କୁ ଉଭୟ ପଟୁ ଖୋଳା ଯାଇଥିଲା । ଅତ୍ୟାଧୁନିକ ଖନନ ଏବଂ ବିସ୍ଫୋରଣ ପଦ୍ଧତି ଅବଲମ୍ବନ କରାଯାଇ ମାତ୍ର ୧୮ ମାସ ମଧ୍ୟରେ କାମ ସମ୍ପୂର୍ଣ୍ଣ ହୋଇଥିଲା । ଏଥିପୂର୍ବରୁ ସେପ୍ଟେମ୍ବର ୨୦୨୫ରେ ଠାଣେରୁ ବିକେସି ମଧ୍ୟରେ ୫ କିଲୋମିଟର ଲମ୍ବ ପ୍ରଥମ ଭୂତଳ ସୁଡଙ୍ଗ ନିର୍ମାଣ କରାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଯଥେଷ୍ଟ ନିଯୁକ୍ତି ସୃଷ୍ଟି କରୁଛି ଏବଂ କାର୍ଯ୍ୟ ସମୟରେ ଅତିରିକ୍ତ ସୁଯୋଗ ପ୍ରଦାନ କରିବ । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଯାତ୍ରା ସମୟ ମାତ୍ର ୧ ଘଣ୍ଟା ୫୮ ମିନିଟକୁ ହ୍ରାସ ପାଇବ । ଏହା ପ୍ରମୁଖ ବାଣିଜ୍ୟିକ କେନ୍ଦ୍ରର ଆର୍ଥିକ କାରବାରକୁ ସମନ୍ୱିତ କରିବ । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ସଡ଼କ ପରିବହନ ତୁଳନାରେ ଅଙ୍ଗାରକାମ୍ଳ ନିର୍ଗମନକୁ ପ୍ରାୟ ୯୫ ପ୍ରତିଶତ ହ୍ରାସ ଘଟିବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି ।