ବୃକ୍ଷ ଓ ପରିବେଶ ସୁରକ୍ଷା
ଜୟଶ୍ରୀ ପଟ୍ଟନାୟକ : ପ୍ରକୃତିର ଗନ୍ତାଘରେ ଅନେକ ପ୍ରାକୃତିକ ସମ୍ପଦ ରହିଛି । ସେଗୁଡ଼ିକ ହେଲା ମୃତ୍ତ୍ିକା ସମ୍ପଦ, ଖଣିଜ ସମ୍ପଦ, ଜଳ ସମ୍ପଦ ଓ ଜଙ୍ଗଲ ସମ୍ପଦ । ଖଣିଜ ସମ୍ପଦକୁ ବାଦ ଦେଲେ ଅନ୍ୟ ତିନୋଟି ଯାକ ସମ୍ପଦ ମଣିଷ ଜୀବନକୁ ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରଣ କରିଥାଏ । ମଣିଷ ସେଗୁଡ଼ିକର ଯଥାର୍ଥ ବିନିଯୋଗ କରି ସୁସ୍ଥ ଜୀବନଯାପନ କରେ । ବୃକ୍ଷଲତା, ଉଦ୍ଭିଦ, ଜୀବଜନ୍ତୁ, ପଶୁପକ୍ଷୀ ଏ ସମସ୍ତ ହେଲେ ସଜୀବ ପରିବେଶ । ଏଗୁଡ଼ିକ ପ୍ରକୃତିର ଅବଦାନ । ପ୍ରାକୃତିକ ପରିବେଶ କାଳେ କାଳେ ମଣିଷର ଜୀବନକୁ ପ୍ରଭାବିତ କରିଛି । ପ୍ରକୃତିର ଶ୍ୟାମଳ ପରିବେଶ ଓ ବୃକ୍ଷଲତା ଜନମନକୁ ପ୍ରକୃତିପ୍ରେମୀ ବା ବୃକ୍ଷପ୍ରେମୀ କରିଛି । ପ୍ରକୃତି ବିନା ମଣିଷ ଜୀବନ ଅସମ୍ଭବ । କାରଣ ପ୍ରକୃତି ହିଁ ଶିଖାଇଛି ତାକୁ ଖାଇବା, ରହିବା ଓ ଜୀବନ ଧାରଣର ମନ୍ତ୍ର । ଆଦିମ ମଣିଷ ସେହି ପ୍ରକୃତିରୁ ହିଁ ନିଜକୁ ଗଢ଼ିବା ଶିଖିଛି । ଜଙ୍ଗଲର ଯାଯାବର ଜୀବନକୁ ସୁସଙ୍ଗଠିତ ଜୀବନରେ ରୂପାନ୍ତରିତ କରିପାରିଛି । କୃଷି ସହ ପଶୁପାଳନ ଶିକ୍ଷାକରି ସାମାଜିକ ଜୀବନ ଓ ଦଳଗତ ଜୀବନ ଅତିବାହିତ କରିଛି । ତାର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରିଛି । ଜଙ୍ଗଲ ହେଉଛି ମଣିଷର ମିତ୍ର । ମୃତ୍ତିକା ସଂରକ୍ଷଣରେ ସାହାଯ୍ୟ କରେ । ବାୟୁମଣ୍ଡଳକୁ ଶୀତଳ ରଖେ ତେଣୁ ବୃଷ୍ଟିପାତ ଅଧିକ ହୁଏ ।
ଜଙ୍ଗଲରୁ ତାକୁ କାଠ ବାଉଁଶ, ବନ୍ୟଦ୍ରବ୍ୟ, ଔଷଧ, ମହୁ, ଝୁଣା, ଲାଖ ସବୁ ମିଲିଲା ଯାଦ୍ୱାରା ଜଙ୍ଗଲ ତାର ନିତିଦିନିଆ ଜୀବନର ସାଥି ହୋଇପାରିଲା । ଜଙ୍ଗଲ ତାକୁ ବଂଚେଇବା ଶିଖାଇଲା । ତା ସୁଖସୁଃଖରେ ସାଥି ହେଲା । ତେଣୁ ସେ ବୁଝିପାରିଲା ଯେ ବୃକ୍ଷ ବିନା ସୃଷ୍ଟି ଅସମ୍ଭବ । ବୃକ୍ଷ ପୃଥିବୀର ରକ୍ଷାକବଚ । ପୃଥିବୀକୁ ଶ୍ୟାମଳ ସୁନ୍ଦର ସତେଜ କରି ରଖିବାକୁ ସବୁଜ ବନାନୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜାତୀୟ ଜଙ୍ଗଲ ନୀତି ଅନୁସାରେ ଆମ ଦେଶରେ ଶତକଡ଼ା ୩୩.୨ ଜଙ୍ଗଲ ରହିବା କଥା ହେଲେ ଅଛି ୨୨.୭ । ଆମ ରାଜ୍ୟରେ ପ୍ରାୟ ୬୧,୨୦୪. ୧୭ ବର୍ଗ କି.ମି ଜଙ୍ଗଲ ରହିଛି । ଯାହାକି ଭୋଗୋଳିକ କ୍ଷେତ୍ରଫଳର ୩୯.୩୧ ପ୍ରତିଶତ । ଜଂଗଲ କ୍ଷୟକୁ ରୋକିବା ପାଇଁ ସରକାରୀ ବେସରକାରୀ ସ୍ତରରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି । ଗଛ କେବଳ ଗଛ ନୁହେଁ । କାଠ, ପଟା , ଜାଳେଣୀ, ଛାଇ , ଔଷଧ ସହିତ ଆମେ ପାଉ ନିର୍ମଳ ପରିବେଶ , ଗଛ ଯୋଗୁଁ ସୁନ୍ଦର ଦିଶେ ସବୁଜ ବନାନୀ, ଗଛ ପାଇଁ ଚାଲେ ଆମର ଶ୍ୱାସ ପ୍ରଶ୍ୱାସ । ବାୟୁ ବିଶୋଧନ ନିମନ୍ତେ ବୃକ୍ଷ ରାତିରେ ଅଙ୍ଗାରକାମ୍ଲଜାନ ଗ୍ରହଣ କରି ଦିନରେ ଅମ୍ଲଜାନ ପରିତ୍ୟାଗ କରେ । ଏହା ମଣିଷ ପାଇଁ ହିତକାରୀ । ଏଣୁ ବୃକ୍ଷ ହିଁ ମଣିଷର ପ୍ରକୃତ ବନ୍ଧୁ । ବୃକ୍ଷ ବ୍ୟତିରେକ ଜୀବନ ଅସମ୍ଭବ । ଲୋକମାନେ ଏହି କଥା ନ ବୁଝିପାରି ରହିବାପାଇଁ , ନିଜର ଜୀବିକା ନିର୍ବାହ ପାଇଁ ଅବାଧରେ ଗଛ କାଟି ଚାଲିଛନ୍ତି । ରହିବା ପାଇଁ ସ୍ଥାନ, ରାସ୍ତା ନିର୍ମାଣ, ବଡ଼ ବଡ଼ ଆପାର୍ଟମେଂଟ, କଳ କାରଖାନା, ନୂତନ ସହର ଗଠନ, ନଦୀବନ୍ଧ ଯୋଜନା, କାଠ ବ୍ୟବସାୟୀ , ଆଦିବାସୀମାନେ ପୋଡ଼ୁଚାଷ ପାଇଁ ପ୍ରତ୍ୟେକ ବର୍ଷ ଜଙ୍ଗଲ ପଦା ହୋଇଯାଉଛି ଏବଂ ତା ସ୍ଥାନରେ ନୂତନ ଗଛ ବା ଜଙ୍ଗଲ ସୃଷ୍ଟି ହୋଇପାରୁନି ।
ଫଳରେ ବନକ୍ଷୟ ଯୋଗୁଁ , ପ୍ରକୃତି ଓ ପରିବେଶ ପ୍ରତି ଭୟଙ୍କର ବିପଦ ମାଡ଼ିଆସୁଛି । ଗ୍ଲାସିଅର ତରଳୁଛି, ସମୁଦ୍ର ପତନ ବୃଦ୍ଧି, ମରୁଡ଼ି, ବାତ୍ୟା, ବନ୍ୟା, ମହାବାତ୍ୟା, ସୁନାମି, ସାମୁଦ୍ରିକ ଝଡ଼ ଏବଂ ଏବେ ଜୋର ଧରିଛି ମହାମାରୀ କରୋନା । ପରିବେଶରେ ଅମ୍ଲଜାନର ଅଭାବ ପ୍ରଭୃତି ମନୁଷ୍ୟାକୃତି ବିପଦମାନ ଦେଖାଗଲାଣି । ଜଙ୍ଗଲରେ ନିଆଁ ଲାଗିବା ଫଳରେ ଅରଣ୍ୟ ଜାତୀୟ ବୃକ୍ଷଲତା , ଗୁଳ୍ମ, ଲତା, ଔଷଧୀୟ ବୃକ୍ଷ ନଷ୍ଟ ହୋଇ ପରିବେଶର ତାପମାତ୍ରା ବୃଦ୍ଧି କରାଉଛି ଫଳରେ ଅଂଶୁଘାତ, ଓ ଚର୍ମଜାତୀୟ ରୋଗର ଶିକାର ହେଉଛି ମଣିଷ । କେତେବେଳେ ବୃଷ୍ଟି ଅନୁପାତ ଅଧିକ ତ କେତେବେଳେ କମ୍ ହେଉଛି ଫଳରେ କୃଷିକ୍ଷେତ୍ର ପ୍ରଭାବିତ ହେଉଛି, ଜଳାଭାବ ଲାଗିରହୁଛି । ବିଭିନ୍ନ ପ୍ରକାର ବୈଜ୍ଞାନିକ ପରୀକ୍ଷଣ ଓ ଦେଶ ଦେଶ ଭିତରେ ଯୁଦ୍ଧ ଲାଗିବା ଫଳରେ ପରିବେଶ ଦୂଷିତ ହେଉଛି । କଳକାରଖାନା, ଗାଡ଼ି ମଟର, ମେଡ଼ିକାଲ ବର୍ଜ୍ୟବସ୍ତୁ ଦ୍ୱାରା ମଧ୍ୟ ପରିବେଶ ଦୂଷିତ ହେବାରେ ଲାଗିଛି । ଏ ପ୍ରକୃତି,ଏ ପୃଥିବୀ ଆମକୁ କେତେକଣ ଦେଇଛି ତାର ପଟାନ୍ତର ନାହିଁ । ବାସ୍ ଆମେ ଗଛଟିଏ ପୋତି ଶ୍ୟାମଳ, ସୁନ୍ଦର, ସତେଜ ପୃଥିବୀଟିଏ ଗଢ଼ିବାରେ କେବଳ କର୍ତ୍ତବ୍ୟ ଟିଏ ସମ୍ପାଦନ କରିବା ଉଚିତ । ପ୍ରକୃତି ହେଉଛି ଶୋଭାର ଗନ୍ତାଘର। ନଦୀକୂଳରେ ବୃକ୍ଷରାଜି, ସବୁଜ ତରୁଲତା ଆଚ୍ଛାଦିତ ପର୍ବତ କନ୍ଦରରୁ ବହି ଆସିଥିବା ଝରଣା, ବୃକ୍ଷ ମାନଙ୍କର ଶୀତଳ ଛାଇ, ପରାଗସଙ୍ଗମରେ ସହାୟକ ହେଉଥିବା ପଶୁ ପକ୍ଷୀ, ପ୍ରଭାତର ଶାନ୍ତ ପରିବେଶକୁ କୋଳାହଳମୟ କରି ରଖୁଥିବା ପଶୁ ପକ୍ଷୀ, ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ମାତୃଭୂମି, କାଠ, ଜାଳେଣୀ, ଘରର ସୋ÷ଖୀନ ଆସବାବପତ୍ର, ଔଷଧ ଓ ନାନା ଜାତିର ଫଳ ଫୁଲରେ ଭରା । ଆସନ୍ତୁ ସେହି ପରିବେଶକୁ ବୃକ୍ଷରୋପଣ ଦ୍ୱାରା ପ୍ରଦୂଷଣମୁକ୍ତ କରିବା ।
ମୋ: ୭୯୭୮୧୧୦୪୭୪
Samir Kumar Rout