ଆକାଶରେ ବଢ଼ିବ ଭାରତର ଶକ୍ତି


 ନୂଆଦିଲ୍ଲୀ:  ଆକାଶରେ ଭାରତର ଶକ୍ତି ବଢ଼ିବ  । ଆମେରିକା ଓ ଚାଇନା ପରେ ଭାରତ ୫ମ ଜେନେରେସନ ଫାଇଟର ଜେଟ୍ କ୍ଳବରେ ସାମିଲ୍ ହେବ  । ଏଥିପାଇଁ ୧୫ ହଜାର କୋଟିର ଯୋଜନାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମୋଦନ କରିଛନ୍ତି  ।  ସମ୍ପ୍ରତି ଆମେରିକାର ଏଫ ୨୨ ଓ ଏଫ ୩୫ ଏବଂ ଚାଇନାର ଜେ-୨୦ ଓ ଜେ-୩୫ ହିଁ ପଞ୍ଚମ ଜେନେରେସନର ଫାଇଟର ଜେଟର ମାନ୍ୟତା ପାଇଛି  । ଇତିମଧ୍ୟରେ ଚାଇନା ଷଷ୍ଠ ଜେନେରେସନର ଫାଇଟର ଜେଟର ବିକଶିତ କରିସାରିଛି  । ଭାରତର ଏହି ଏଏମସିଏ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯିବ  । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ଏହା ଏକ ମାଇଲଖୁଣ୍ଟ ହେବବୋଲି ରାଜନାଥ କହିଛନ୍ତି  । 
ଏହି ଯୋଜନା ପାଇଁ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ  । ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସୀ ସହାୟତାରେ ଏହା କାର୍ଯ୍ୟକାରୀ କରାଯିବ  । ଏଥିପାଇଁ ଅନ୍ୟ ଭାରତୀୟ କମ୍ପାନୀମାନେ ମଧ୍ୟ ବିଡ୍ ଦାଖଲ କରିପାରିବେ  । ଏଥିପାଇଁ ଟେଣ୍ଡର ବି ଆହ୍ୱାନ କରାଯାଇଛି  । ଗତବର୍ଷ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ୍ ବୈଠକରେ ଏହି ଫାଇଟର ଜେଟ୍ କାର୍ଯ୍ୟକ୍ରମକୁ ଅନୁମୋଦନ ମିଳିଥିଲା  । ୨୦୩୪ ବେଳକୁ ଏହାର ଉତ୍ପାଦନ ଆରମ୍ଭ ହେବବୋଲି ଲକ୍ଷ୍ୟ ରଖାଯାଇଛି  ।