ପୀଡ଼ିତାଙ୍କ ପରିବାରକୁ ଭେଟିଲେ କଂଗ୍ରେସ ଟିମ୍
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର କଲେଜ ଛାତ୍ରୀଙ୍କୁ ଚେକିଂ କରିବା ଆଳରେ କଲେଜର କେତେଜଣ ପୁରୁଷ କର୍ମଚାରୀ ଅସଦାଚରଣ କରିଥିବା ଓ ଏହି ଲଜ୍ଜ୍ୟାଜନକ ଘଟଣା ପାଇଁ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ କଂଗ୍ରେସର ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ସଂପୃକ୍ତ ଛାତ୍ରୀଙ୍କ ଘରକୁ ଯାଇ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରିଥିବା ଜଣାପଡିଛି । ଏନେଇ କଂଗ୍ରେସ ର ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଦାସଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଗଣ ମାଧ୍ୟମକୁ ସୂଚନା ଦିଆ ଯାଇଛି । ତଥ୍ୟ ଅନୁସନ୍ଧାନକାରୀ ଟିମ୍ର ଅଧ୍ୟକ୍ଷ ନଗେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ସୁଜିତ୍ ପାଢୀ, ମାନସ ମଲିକ, ଡ. ସିପ୍ରା ମଲିକ, ସତ୍ୟପ୍ରିୟ ସାମଲ, ରାଜେଶ କୁମାର ରାଉତ, ମହମ୍ମଦ ଆକବର ଅଲ୍ଲୀ, ପ୍ରଶାନ୍ତ ରାଉତ ପ୍ରମୁଖ କମିଟି ସଦସ୍ୟ ମାନେ ପୀଡିତା ପରିବାରକୁ ଭେଟି ପ୍ରକୃତ ଘଟଣା ଜାଣିବାକୁ ପାଇଥିଲେ । ତେବେ ଅଭିଯୁକ୍ତଙ୍କୁ ପ୍ରଶାସନ ଘଣ୍ଟ ଘୋଡାଉଥିବା ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ କମିଟି କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟରେ ନାରୀ ନିର୍ଯ୍ୟାତନା, ଛାତ୍ରୀ ଅସଦାଚରଣ ଘଟଣା ଓ କୁକର୍ମ ମାମଲା ବଢି ଚାଲିଥିବା କମିଟି ଅଭିଯୋଗ କରିଥିଲା । ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି କୋହଳ ମନୋଭାବ ପୋଷଣ କରୁଥିବାରୁ ଏଭଳି କାଣ୍ଡ ଘଟାଉଥିବା ଦୁର୍ବୁତ ମାନେ ଅଧିକ ସାହସ ପାଇ ମହିଳାଙ୍କ ପ୍ରତି ଅତ୍ୟାଚାର ବଢାଇ ଚାଲିଛନ୍ତି ବୋଲି ଅଭିଯୋଗ କରିଥିଲା । ଏହା ସହ ଏହି ଟିମ୍ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିବା ଜଣାପଡିଛି ।