ମିଲରଙ୍କ ଅସହଯୋଗ ଯୋଗୁଁ ଧାନ କିଣାରେ ବିଭ୍ରାଟ : ମଣ୍ଡିରେ ପଡି ରହୁଛି ହଜାର ହଜାର ବସ୍ତା ଧାନ
କେନ୍ଦ୍ରାପଡା : ୨୦୨୫ ମସିହାରେ ଚାଷୀମାନଙ୍କଠାରୁ ମଣ୍ଡି ମାଧ୍ୟମରେ ଧାନ କିଣିବା ପାଇଁ ରାଜ୍ୟ ସରକାର ଯେତେ ପ୍ରକାର ନିୟମ କାନୁନ ପ୍ରଣୟନ କଲେ ମଧ୍ୟ ମିଲରମାନଙ୍କ ଅସହଯୋଗ କାରଣରୁ ଧାନକିଣାରେ ବ୍ୟାପକ ବିଭ୍ରାଟ ଦେଖାଦେଇଛି । ସମସ୍ତ ପ୍ରକାର କଟକଣାକୁ ଆଡେଇ ଦେଇ ମିଲରମାନେ ଅସହଯୋଗ କରୁଥିବା କାରଣରୁ ମଣ୍ଡି ମାନଙ୍କରେ ହଜାର ହଜାର ବସ୍ତା ଧାନ ଖରା କାକରରେ ପଡି ରହିଥିବା ବେଳେ ଧାନ ବିକିବା ପାଇଁ ଚାଷୀମାନେ ଅପେକ୍ଷା କରିବା ସହ ବାରମ୍ବାର ମଣ୍ଡିକୁ ଦୌଡି ନିରୂପାୟହୋଇ ବସିଛନ୍ତି । କଟନି ଛଟନି ହେବନାହିଁ ବୋଲି ସରକାର ନିୟମ କରିଥିବା ବେଳେ ୩୫ କିଲିଆ ଝୋଟ ବସ୍ତାରେ ଧାନ ସଂଗ୍ରହ ପାଇଁ ନିୟମ ଧାର୍ଯ୍ୟ କରିଥିଲେ । ଏହା ସହ ଏଫକୁ୍ୟଏ ମାନର ଧାନ କିଣିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା । ମଣ୍ଡିରୁ ମିଲକୁ ଯାଉଥିବା ଗାଡିରେ ଜିପିଏସ ସିଷ୍ଟମ ସଂଯୋଗ କରିବା ଓ ଯୋଗାଣ ବିଭାଗର ରାଡାରରେ ଏହି ଯାନଗୁଡିକ ରହିବ ବୋଲି ନୀତି ନିୟମ ଧାର୍ଯ୍ୟ କରାଯାଇଥିଲା । ଏହିସବୁ ନିୟମ ପାଳନ କରାଯାଇ ଥିଲେ ଚାଷୀମାନେ ପ୍ରକୃତ ଲାଭ ପାଇଥାନ୍ତେ । ମାତ୍ର ମିଲରମାନେ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ଏକ ପ୍ରକାର ଧାନକ୍ରୟ ବ୍ୟବସ୍ଥାକୁ ଆଂଶିକ ଅଚଳ କରି ଦେଇଛନ୍ତି । ସେମାନଙ୍କ ମର୍ଜିରେ ଧାନ ଉଠୁଥିବାରୁ ମଣ୍ଡି ମାନଙ୍କରେ ଅପ୍ରତିକର ପରିସ୍ଥିତି ଦେଖାଦେଇଛି । ଜିଲ୍ଲାରେ ୧୧୮ଟି ମଣ୍ଡିରେ ପ୍ରାୟ ୪୦ ହଜାର ଚାଷୀ ପଞ୍ଜିକୃତ ଥିବାବେଳେ ପ୍ରାୟ ୧୬ ହଜାର ଚାଷୀ ୬ଲକ୍ଷ କ୍ୱିଣ୍ଟାଲ ଧାନ ବିକ୍ରୟ କରିଛନ୍ତି । ୨୦୨୩-୨୪ ମସିହାରେ ସାଢେ ୮ ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯାଇ ଥିବାବେଳେ ୨୦୨୨-୨୩ ରେ ୧୧ଲକ୍ଷ ୫୦ ହଜାର କ୍ୱିଣ୍ଟାଲ କିଣାଯାଇଥିଲା । ୨୦୨୪-୨୫ ଚଳିତ ବର୍ଷ ମିଲର ମାନଙ୍କ ଅସହଯୋଗ ଯୋଗୁଁ ଧାନ କିଣା ମନ୍ଥର ଗତିରେ ଚାଲିଛି । ଆଜିସୁଦ୍ଧା ଜିଲ୍ଲାରୁ ମୋଟ୍ ୫ଲକ୍ଷ ୯୪ ହଜାର ୮୫୮ କ୍ୱିଣ୍ଟାଲ ଧାନ ଚାଷୀମାନଙ୍କଠାରୁ କିଣାଯାଇଥିବା ସୂଚନା ମିଳିଛି । ତେବେ ଜିଲ୍ଲପାଳ ସ୍ମୃତି ରଞ୍ଜନ ପ୍ରଧାନ ବିଭିନ୍ନ ମଣ୍ଡି ବୁଲି ଧାନକିଣା ତଦାରଖ କରି ଧାନ ପରିବହନରେ ବିଭ୍ରାଟ ଲକ୍ଷ୍ୟ କରି ମିଲରମାନଙ୍କୁ ସତର୍କ କରାଇ ଦେଇଛନ୍ତି । ବିଭିନ୍ନ ଆଳ ଦେଖାଇ ଯେଉଁ ମିଲରମାନେ ମଣ୍ଡିରୁ ଧାନ ଉଠାଇବାକୁ ବିଳମ୍ବ କରୁଛନ୍ତି ଓ ମନ୍ଥର ଗତିରେ ପରିବହନ କରୁଛନ୍ତି, ସେମାନେ ତୁରନ୍ତ ସରକାରଙ୍କ ନିଦେ୍ର୍ଦଶକୁ ମାନି ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ପରିବହନକୁ ସ୍ୱାଭାବିକ କରିବା ପାଇଁ ଚେତାବନୀ ଦେଇଛନ୍ତି ଓ ଚରମ ବିଶୃଙ୍ଖଳା ସୃଷ୍ଟି କରୁଥିବା ମିଲରମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି କୈଫତ ତଲବ କରିଥିବା ସୂଚନା ମିଳିଛି ।