ଜବରଦଖଲକାରୀଙ୍କ ପାଇଁ ବଢୁଛି ଟ୍ରାଫିକ ସମସ୍ୟା
ନାଉଗାଁ ବଜାରରେ ଜବରଦଖଲକାରୀଙ୍କ ପାଇଁ ବଡୁଛି ଟ୍ରାଫିକ ସମସ୍ୟା । ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ଅଧିନ ଶିଖର ବାଲିଭଉଁରୀ ମୁଖ୍ୟ ରାସ୍ତାର ନାଉଗାଁ ବଜାର ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଟ୍ରାଫିକ ସମସ୍ୟା, ଦିନ ଠାରୁ ରାତି ପର୍ଯ୍ୟନ୍ତ ଏବେ ଘଣ୍ଟା ଘଣ୍ଟା ଧରି ଜାମ ରହୁଛି ରାସ୍ତା । ଯାହାକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ତେବେ ମୁଖ୍ୟତଃ ନାଉଗାଁ ବଜାର ଅଞ୍ଚଳରେ କିଛି ଦୋକାନୀ ସରକାରୀ ଜମିକୁ ଜବର ଦଖଲ କରି ଏବେ ରାସ୍ତା ପର୍ଯ୍ୟନ୍ତ ଅକ୍ତିଆର କରିବାକୁ ବସିଲେଣି, ଯାହାଫଳରେ ରାସ୍ତାରେ ଗୋଟିଏ ଭାରି ଯାନ ଗଲେ ଘଣ୍ଟାଘଣ୍ଟା ଧରି ବନ୍ଦ ହେଇ ଯାଉଛି ମୁଖ୍ୟରାସ୍ତା । ଏ ସଂକ୍ରାନ୍ତ ରେ ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନକୁ ବିଭିନ୍ନ ମହଲ ପକ୍ଷରୁ ଦୃଷ୍ଟି ଆକର୍ଷଣ କରା ଯାଇଥିଲେ ମଧ୍ୟ ତାହା କେବଳ କାଗଜ ପତ୍ରରେ ସୀମିତ ହୋଇ ରହିଛି । ଯାହାକୁ ନେଇ ଏବେ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ଯଦି କୌଣସି ଜରୁରୀ ରୋଗୀକୁ ଆଣିବା ପାଇଁ ହେଉ କି ଆଣିକି ମେଡିକାଲ ଅଭିମୁଖେ ଆସୁଥିବା ସମୟରେ ମଧ୍ୟ ଏହି ଟ୍ରାଫିକ ସମସ୍ୟା ନିମନ୍ତେ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଅଟକ ରହୁଥିବା ଦେଖାଯାଇଛି । ତେବେ ଏ ସଂକ୍ରାନ୍ତରେ ତହସିଲଦାର ଅକ୍ଷୟ ବଡୁଙ୍କ ସହିତ ଆଲୋଚନା କରିବାରୁ ସେ ଏପ୍ରିଲ ମାସ ସୁଦ୍ଧା ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।