ନୂଆପଡ଼ା ଅଙ୍କ : ସମସ୍ତଙ୍କ ଟାର୍ଗେଟ୍‌ ୪୦% ଭୋଟ୍‌

ନୂଆପଡ଼ା ଅଙ୍କ : ସମସ୍ତଙ୍କ ଟାର୍ଗେଟ୍‌ ୪୦% ଭୋଟ୍‌

ଭୁବନେଶ୍ୱର : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଧିବଦ୍ଧ ବିଗୁଲ ଫୁଙ୍କି ସାରିଛନ୍ତି । ଏବେ ରାଜନୀତିକ ତାତି ବଢ଼ିବାରେ ଲାଗିଛି । ବିଜୁ ଜନତା ଦଳ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ଟିକେଟ୍‌ ଦେବା ନିଶ୍ଚିତ ଥିବାବେଳେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବ । ତେବେ ବିଜେପି ଟିକେଟ୍‌ ରେସରେ ୩ ନେତା ଥିବାବେଳେ କାହାକୁ ଟିକେଟ ମିଳିବ ସେନେଇ କିଛି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । ଏସବୁ ଭିତରେ ସମସ୍ତଙ୍କ ଟାର୍ଗେଟ୍‌ ରହିଛି ୪୦% ଭୋଟ୍‌ । ନୂଆପଡ଼ା ନିର୍ବାଚନ ଇତିହାସକୁ ଅନୁଶୀଳନ କଲେ ଜିତିବା ପାଇଁ ୩୫%ରୁ ୪୦% ଭୋଟର ଆବଶ୍ୟକତା ରହିଛି । ତିନି ଦଳ ପାଇଁ ଭିନ୍ନ ଭିନ୍ନ ଅନୁକୂଳ ସମୀକରଣ ଥିବାବେଳେ ଏବେ ନୂଆ ସମୀକରଣ ଉପରେ ହିଁ ସବୁକିଛି ନିର୍ଭର କରିବ ।

ନୂଆପଡ଼ା ବ୍ଳକ, କୋମନା ବ୍ଳକ ଓ ଖରିଆର ରୋଡ଼ ଏନଏସିକୁ ନେଇ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ । ଏଥିରେ ନୂଆପଡ଼ା ବ୍ଳକର ୩୦ ଗ୍ରାମ ପଞ୍ଚାୟତ ଓ କୋମନା ବ୍ଳକର ୩୨ ଗ୍ରାମ ପଞ୍ଚାୟତ ରହିଛି । ୨୦୧୪ ନିର୍ବାଚନରେ ନୂଆପଡ଼ାରୁ ବାଜିମାତ୍‌ କରିଥିଲେ ବସନ୍ତ ପଣ୍ଡା । ବିଜେପି ଟିକେଟରେ ସେ ଲଢ଼ି ବିଜେଡ଼ିର ରାଜେନ୍ଦ୍ର ଢୋଲକିଆଙ୍କୁ ୯ ହଜାରରୁ ଉଦ୍ଧ୍ୱର୍ ଭୋଟରେ ପରାସ୍ତ କରିଥିଲେ । ସେତେବେଳେ ବସନ୍ତ ୩୬.୪୬% ଭୋଟ୍‌ ପାଇଥିବାବେଳେ ରାଜେନ୍ଦ୍ରଙ୍କୁ ୩୦% ଭୋଟରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ଅପରପକ୍ଷରେ କଂଗ୍ରେସ ନେତା ଘାସିରାମ ମାଝୀଙ୍କୁ ୨୬% ଭୋଟ୍‌ ମିଳିଥିଲା । 

୨୦୧୯ରେ ବସନ୍ତ ଲୋକସଭା ନିର୍ବାଚନ ଲଢ଼ିବାରୁ ବିଜେପି ହୋମ ସିଂ ମାଝୀଙ୍କୁ ପ୍ରାର୍ଥୀ କରିଥିଲା । ସେହି ନିର୍ବାଚନରେ ରାଜେନ୍ଦ୍ର ୩୯.୭୫% ଭୋଟ୍‌ ପାଇ ବାଜିମାତ କରିଥିଲେ । ଯେତେବେଳେକି ଘାସିରାମ ୨୭.୪୪% ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ  । ତେବେ ବିଜେପିକୁ ୧୮% ଭୋଟରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ୨୦୨୪ରେ ବିଜେପି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ଟିକେଟ୍‌ ଦେଇଥିଲା । ତେବେ ନିର୍ବାଚନରେ ରାଜେନ୍ଦ୍ରଙ୍କୁ ୩୩.୬୫% ଭୋଟ୍‌ ମିଳିଥିଲେବି ୨୦୧୯ ତୁଳନାରେ ପ୍ରାୟ ୬% ଭୋଟ୍‌ କମ୍‌ ପାଇଥିଲେ । ରାଜେନ୍ଦ୍ର ବାଜିମାତ୍‌ କରିଥିବାବେଳେ ସ୍ୱାଧୀନ ଭାବେ ଲଢ଼ି ଘାସିରାମ ମାଝୀ ୨୭.୭୩% ଭୋଟ୍‌ ପାଇଥିଲେ  । ଯଦି କଂଗ୍ରେସ ତାଙ୍କୁ ଟିକେଟ ଦେଇଥା’ନ୍ତା ତେବେ କଂଗ୍ରେସର ବିଜୟ ସମ୍ଭାବନା ଅଧିକ ରହିଥିଲା । ତେବେ କଂଗ୍ରେସରୁ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ି ୧୫୫୦୧ ଭୋଟରେ ସନ୍ତୁଷ୍ଟ ରହିଥିଲେ । ଏହି ନିର୍ବାଚନରେ ବିଜେପି ନେତା ଅଭିନନ୍ଦନଙ୍କୁ ୨୪.୩୯% ଭୋଟ୍‌ ମିଳିଥିଲା । ୨୦୧୯ ତୁଳନାରେ ୨୦୨୪ରେ ବିଜେପିର ଭୋଟ୍‌ ବଢ଼ିଥିଲା । ତେବେ ୨୦୧୯ ଓ ୨୦୨୪ରେ ତିନି ନିମ୍ବର ସ୍ଥାନରେ ଥିବା ବିଜେପିକୁ ଏବେ ଆଉ ୧୨%ରୁ ୧୫% ଭୋଟର ଆବଶ୍ୟକତା ରହିଛି । ଯାହାକି ବିଜେପି ପାଇଁ ଏକ ଆହ୍ୱାନ ସୃଷ୍ଟିକରିଛି ।

ନୂଆପଡ଼ାର ରାଜନୀତିକ ଚିତ୍ରକୁ ଅନୁଶୀଳନ କଲେ ରାଜେନ୍ଦ୍ରଙ୍କର ସେଠାରେ ୧୨%ରୁ ୧୫% ପକେଟ୍‌ ଭୋଟ ରହିଛି । ଗାଏମୋଟ୍‌ କହିଲେ ବିଜେଡ଼ିର ମୂଳ ଭୋଟ୍‌ ଅପେକ୍ଷା ରାଜେନ୍ଦ୍ରଙ୍କର ଭଲ ପକେଟ୍‌ ଭୋଟ୍‌ ରହିଛି । ଯାହାର ଫାଇଦା ଜୟ ନେବେବୋଲି ଅନୁମାନ କରାଯାଉଛି । ନିର୍ବାଚନରେ ବିଜେଡ଼ି ମଧ୍ୟ ପ୍ରଚାର, ପ୍ରସାର ଓ ଅର୍ଥରେ ପଛରେ ପଡ଼ିବ ନାହିଁ । ସେପଟେ ବିଜେପି ସରକାର ଆସିଥିବାରୁ ପ୍ରଚାର, ପ୍ରସାର ଓ ଅର୍ଥରେ ବିଜେଡ଼ିକୁ ବି ବିଜେପି କଡ଼ା ଟକ୍କର ଦେବ । ସ୍ୱାଭାବିକ ଭାବେ ସରକାରୀ କଳ, ପ୍ରଶାସନର ବି ଉପଯୋଗ କରାଯିବ । ତେଣୁ ତିନି ନମ୍ବର ସ୍ଥାନରେ ଥିବା ବିଜେପି ମଧ୍ୟ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ଏମିତିବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ାକୁ ୧୧ ଶହ କୋଟିର ପ୍ୟାକେଜ୍‌ ଦେଇଥିବାରୁ ଆଉ କିଛି ଭୋଟ ବିଜେପି ଖାତାକୁ ଯାଇପାରେ । ସାଧାରଣତଃ ଶାସକ ଦଳ ଜିତିଲେ ବିକାଶ ଅଧିକ ହେବା ଆଶାରେ ସଚେତନ ଭୋଟରମାନେ ମତଦାନ କରିବାର ନଜିର ରହିଛି । ଅତୀତରେ ସମାନ ଫର୍ମୁଲା ବିଜେଡ଼ି ଓ ନବୀନ ଆପଣାଇଥିଲେ । ତେବେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ସ୍ଥିର କରିପାରୁନାହିଁ । ସମ୍ପ୍ରତି ଟିକେଟ ରେସରେ ବସନ୍ତ ପଣ୍ଡା, ଅଭିନନ୍ଦନ ପଣ୍ଡା, ଯଦୁମଣି ପାଣିଗ୍ରାହୀ ଓ ପ୍ରସନ୍ନ ପାଢ଼ୀ ରହିଛନ୍ତି । ବସନ୍ତ ନିର୍ବାଚନ ଲଢ଼ିଲେ ଯଦୁମଣି ଓ ପ୍ରସନ୍ନ ତାଙ୍କୁ ବରିଷ୍ଠତା ଭିତ୍ତିରେ ଦୃଢ଼ ସମର୍ଥନ କରି ଜିତାଇବାର ପ୍ରୟାସ କରିବେ ବୋଲି କୁହାଯାଉଛି । କିନ୍ତୁ ଅଭିନନ୍ଦନଙ୍କ ପାଇଁ ଯଦୁମଣି ଓ ପ୍ରସନ୍ନ ଜୋରଦାର ଲାଗିବେନି ବୋଲି ନୂଆପଡ଼ାର ରାଜନୀତିକ ବିଶ୍ଲେଷକମାନେ ମତପୋଷଣ କରୁଛନ୍ତି  । ସମ୍ଭବତଃ ଦୁଇ ତିନି ଦିନ ମଧ୍ୟରେ ଏନେଇ ସ୍ପଷ୍ଟ ଚିତ୍ର ଆସିବ । କଂଗ୍ରେସର ଅଙ୍କ ହେଉଛି ସ୍ୱାଧୀନ ପ୍ରାର୍ଥୀ ଘାସିରାମଙ୍କ ୫୧ ହଜାର ଭୋଟ୍‌ ଓ କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକଙ୍କ ୧୫ ହଜାର ଭୋଟ୍‌ । ଦଳର ଆକଳନ ହେଉଛି ୨୦୨୪ରେ ଦଳ ୬୬ ହଜାର ଭୋଟ୍‌ ପାଇଥିଲା, ଯାହାକି ରାଜେନ୍ଦ୍ରଙ୍କ ଠାରୁ ଅଧିକ । ତେବେ ସେତେବେଳେ ଘାସିରାମଙ୍କୁ ଆଦିବାସୀ ସମାଜର ଏକପାଖିଆ ସମର୍ଥନ ମିଳିଥିଲା । ବିଶେଷକରି ଖାମ ସିଂ ମାଝୀ, ଭାସ୍କର ମାଝୀ, ହୋମ ସିଂ ମାଝୀଙ୍କ ଭଳି ଆଗଧାଡ଼ିର ନେତାମାନେ ତାଙ୍କୁ ସମର୍ଥନ କରିଥିଲେ । ଏବେ କିନ୍ତୁ ଏହି ନେତାଙ୍କର ମତିଗତି ସ୍ପଷ୍ଟ ହୋଇପାରିନାହିଁ । ଏହି ମଉକାରେ ବିଜେଡ଼ି ଓ ବିଜେପି ମଧ୍ୟ କିଛି ନେତାଙ୍କୁ ଥୋପ ଦେଇ ନେବାକୁ ଯୋଜନା କରୁଛି । ଏସବୁ ଭିତରେ ଗୋଟିଏ କଥା ସ୍ପଷ୍ଟ, ୨୦୧୪ରୁ ୨୦୨୪ ମଧ୍ୟରେ ଘାସିରାମ ତିନି ଥର ଲଢ଼ି ୨୬%ରୁ ୨୮% ଭୋଟ୍‌ ହାତେଇବାରେ ସମର୍ଥ ହୋଇଛନ୍ତି । ଦଳ ପାଇଁ ଅର୍ଥ ଅଭାବ ଏକ ଆହ୍ୱାନ ସୃଷ୍ଟିକରିବ। ଉପନିର୍ବାଚନମାନଙ୍କରେ ସାଧାରଣ ନିର୍ବାଚନ ତୁଳନାରେ ଅଧିକ ଖର୍ଚ୍ଚ ହୋଇଥାଏ । ବିଜେଡ଼ି ଓ ବିଜେପି ଆର୍ଥିକ ଦୃଷ୍ଟିରୁ ମଜବୁତ୍‌ ଥିବାବେଳେ କଂଗ୍ରେସ କିନ୍ତୁ ବହୁ ପଛରେ ରହିଛି । ଅର୍ଥାତ୍‌ ଉଭୟ ବିଜେଡ଼ି ଓ ବିଜେପିର ଟଙ୍କା କଂଗ୍ରେସ ଭୋଟ ଭାଙ୍ଗିବାରେ ଖର୍ଚ୍ଚ ହେବ । ତେଣୁ ଭୋଟ ହାର ବଜାୟ ରଖିବା କଂଗ୍ରେସ ଓ ଘାସିରାମ ମାଝୀଙ୍କ ପାଇଁ ନିଶ୍ଚିତ ଭାବେ ଆହ୍ୱାନ ସୃଷ୍ଟିକରିବ ।