ପୁଣି ଚର୍ଚ୍ଚାରେ ପିନାକୀ-ମହୁଆ

 ନୂଆଦିଲ୍ଲୀ :  ପୁଣି ଚର୍ଚ୍ଚାରେ ପିନାକୀ-ମହୁଆ । ଗ୍ରାଣ୍ଡ ରିସେପ୍ସନକୁ ନେଇ ହେଉଛି ଚର୍ଚ୍ଚା । ଜର୍ମାନୀରେ ଉଭୟଙ୍କ ହାତଗଣ୍ଠି ପଡିଥିବା ବେଳେ ଦିଲ୍ଲୀରେ ଧୁମଧାମରେ ହୋଇଛି ପ୍ରୀତିଭୋଜନ ।  ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ଥିବା ଯୋଡି ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା ମଙ୍ଗଳବାର ରାତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ ରିସେପ୍ସନ ଭୋଜି ଦେଇଛନ୍ତି । ଏହି ଭୋଜିରେ ଦଳମତ ନିର୍ବିଶେଷରେ ଅନେକ ନେତା/ନେତ୍ରୀ ଯୋଗ ଦେଇଥିଲେ । ବିଶେଷ କରି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ତାଙ୍କ ପନôୀ ଡିମ୍ପଲ ଯାଦବ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ମହୁଆଙ୍କ ସହକର୍ମୀ ଭାବେ ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ, ବିଜେଡିର ସୁଲତା ଦେଓ, ସୁପ୍ରିୟା ସୁଲେ, କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ପ୍ରମୁଖ ଯୋଗ ଦେଇଥିଲେ । 
ଉଲ୍ଲେଖ ଥାଉ କି ପୁରୀର ପୂର୍ବତନ ସାଂସଦ ତଥା ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର ଜର୍ମାନୀରେ ତୃଣମୂଳ କଂଗ୍ରେସର ବହୁଚର୍ଚ୍ଚିତ ସାଂସଦ ମହୁଆ ମୋଇତ୍ରାଙ୍କୁ ବିବାହ କରିଥିଲେ । କିଛି ନିର୍ଦ୍ଦିଷ୍ଟ ଅତିଥିଙ୍କ ଉପସ୍ଥିତିରେ ମେ’ ୩ ତାରିଖରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ୬୫ ବର୍ଷୀୟ ପିନାକୀ ମିଶ୍ରଙ୍କ ଏହା ଦ୍ୱିତୀୟ ବିବାହ ଥିଲା । ପୂର୍ବରୁ ସେ ସଙ୍ଗୀତା ମିଶ୍ରଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁଅ ଓ ଝିଅ ଅଛନ୍ତି । ପିନାକୀ ତାଙ୍କର ପ୍ରଥମ ପନôୀଙ୍କୁ ଛାଡପତ୍ର ଦେଇଛନ୍ତି । ଅପରପକ୍ଷରେ,୧୯୭୪ ମସିହାରେ ଆସାମରେ ଜନ୍ମ ଗ୍ରହଣ କରିଥିବା ମହୁଆ ଏବେ ସାଂସଦ ଥିବା ବେଳେ  ପ୍ରଥମ ସ୍ୱାମୀ ଲାର୍ସ ବ୍ରରସନଙ୍କୁ ଛାଡପତ୍ର ଦେବା ପରେ ଜଣେ ଓକିଲ ଜୟ ଅନନ୍ତ ଦେହାଦ୍ରାଇଙ୍କ ସହ ମହୁଆଙ୍କର ପ୍ରେମ ସଂପର୍କ ରହିଥିଲା । ହେଲେ ତାଙ୍କ ଠାରୁ କିଛି ବର୍ଷ ତଳେ ମହୁଆ ଅଲଗା ହୋଇଯାଇଥିଲେ ।