ପରିବର୍ତ୍ତନ ଓ  ବିରୋଧର ବର୍ଷ 

ଗୋପାଳ ମହାପାତ୍ର : ସମୟ ଗଡିଚାଲିଛି, ସମୟ ସହ ତାଳ ମିଳାଇ ୨୦୨୫ ମଧ୍ୟ ବିଦାୟ ନେଉଛି । ୨୦୨୫ ମଧ୍ୟ ପୁର୍ବ ବର୍ଷ ମାନଙ୍କ ଭଳି ତାର ପାଦ ଚିହ୍ନ ଛାଡିଯାଉଛି । ଆଉ ଫେରିବନି । ନିଜର ସବୁ ଭଲ ମନ୍ଦ, ଖୁସି କାନ୍ଦ ସବୁକୁ ୨୦୨୬ ପାଇଁ ଛାଡିଦେଇ କାଳଗର୍ଭରେ ହଜି ଯାଉଛି କିନ୍ତୁ ଯାହା କିଛି କରିଛି, ଯାହା କିଛି ସହିଛି ସେ ସବୁ ଇତିହାସରେ ଲିପିବଦ୍ଧ ହୋଇଯାଉଛି । ୨୦୨୫ କେବଳ ଏକ ସାଧାରଣ କ୍ୟାଲେଣ୍ଡର ବର୍ଷ ନଥିଲା ବରଂ ଏମିତି ସବୁ ଘଟଣା କ୍ରମର ସାକ୍ଷୀ ହୋଇଥିଲା ଯାହାର ପ୍ରଭାବ ରାଜନୀତି, ଅର୍ଥବ୍ୟବସ୍ଥା, ସମାଜ ଏବଂ ଜନମାନସକୁ ଅନେକ ସମୟ ଆଛାଦିତ କରି ରଖିବ । ଅନ୍ତର୍ଜାତୀୟ ମଞ୍ଚଠାରୁ ଦେଶର ଗ୍ରାମାଞ୍ଚଳ ପର୍ଯ୍ୟନ୍ତ, ବାଦ-ବିବାଦ, ସମ୍ବାଦ, ନିର୍ଣ୍ଣୟ, ଟଣାଓଟରା, ସୌହାର୍ଦ୍ଦ୍ୟ, ଉପଲବ୍ଧି ଏବଂ ପ୍ରୟୋଗ ସବୁରେ  ଅନେକ ଖୁସି ସହ କେବେ ବି ଭୁଲି ନହେବା ଭଳି ଦାଗ ଛାଡି ଯାଇଛି ୨୦୨୫ ।


   ଅନ୍ତର୍ଜାତୀୟ ଘଟଣାକ୍ରମ ଉପରେ ନଜର ପକାଇଲେ ତ ରୁଷ-ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ- ହମାସ ଳଢେଇ ଜାରି ରହିଛି, ଥମିବାର ନାଁ ଧରୁନାହିଁ । ନେପାଳରେ ଜେନ ଜି ଆନ୍ଦୋଳନ ଓଲି ସରକାରଙ୍କ ପତନ ଘଟାଇଥିଲା ଓ ଶୁଶୀଳା ଯୋଶୀଙ୍କୁ ଗାଦିରେ ବସାଇଥିଲା । ସେହିପରି ବଙ୍ଗଳାଦେଶରେ ମଧ୍ୟ ଶେଖ ହସିନାଙ୍କୁ ସେଠାକାର ଅଦାଲତ ଫାଶୀ ଦଣ୍ଡ ଶୁଣାଇଥିଲେ । ଅପରେସନ ସିନ୍ଦୂର ପାକିସ୍ଥାନ ପାଇଁ ଝଟକାଥିଲା କିନ୍ତୁ ତାହା ସତ୍ତେ୍ୱ ଅସୀମ ମୁନୀରଙ୍କ ଫୁଟାଣି ଭାଙ୍ଗୁନାହିଁ । ଅନ୍ୟପକ୍ଷରେ ଏବେ ବି ପାକିସ୍ଥାନର ଜନତା ଇମ୍ରାନଖାନଙ୍କୁ ପସନ୍ଦ କରୁଛନ୍ତି ଓ ଶାହାବାଜ ଶରିଫ ଏକ କାଠକଣ୍ଡେଇ ପ୍ରଧାନମନ୍ତ୍ରୀ ଭଳି ସରକାର ଚଳାଉଛନ୍ତି । ଏସବୁ ଘଟଣାକ୍ରମରୁ ଟିକିଏ ଅଲଗା ୨୦୨୫ରେ ଟ୍ରମ୍ପଙ୍କ “ଟାରିଫ ଟେରର” ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା । ବ୍ରାଜିଲ, ଚୀନ, ଏବଂ ଭାରତ ଉପରେ ସର୍ବାଧିକ ୫୦ ପ୍ରତିଶତ ଟାରିଫ ଲଗାଇଥିଲେ ଟ୍ରମ୍ପ । ଏହା ସତ୍ତେ୍ୱ ଭାରତୀୟ ଜିଡିପି ଆଶାତୀତ ଭାବେ ବଢ଼ିଥିଲା । ଆତଙ୍କବାଦ ବୃଦ୍ଧି ଏବଂ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରି ରହିଥିଲା ଯାହା ପହଲଗାମ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର କାର୍ଯ୍ୟକାରୀ କରିଥିôଲା । ଆଫଗାନିସ୍ଥାନ ଏବଂ ପାକିସ୍ଥାନ ମଧ୍ୟରେ ବିବାଦ ମଧ୍ୟ ଅଧିକ ହୋଇଥିଲା । ଟ୍ରମ୍ପଙ୍କ ଟାରିଫ ବୃଦ୍ଧି କାରଣରୁ ବୈଶ୍ୱିକ ବ୍ୟାପାର ପ୍ରଭାବିତ ହୋଇଥିଲା । ଏହାଫଳରେ ଭାରତ ସମେତ ଅନେକ ବିକାଶଶୀଳ ଦେଶର ଅର୍ଥବ୍ୟବସ୍ଥା ଉପରେ ଚାପ ପଡିଥିଲା । ରପ୍ତାନି ଏବଂ ମୁଦ୍ରା ବଜାର ମଧ୍ୟ ପ୍ରଭାବଗ୍ରସ୍ତ ହୋଇଥିଲା ।

   ଏହି ୨୦୨୫ରେ ଲୋହିତ ସାଗର ଏବଂ ଅନ୍ୟ କେତେକ ସାମୁଦ୍ରିକ ଅଞ୍ଚଳରେ ସମୁଦ୍ର ମାର୍ଗରେ ଅସ୍ଥିରତା କାରଣରୁ ଅନେକ ଦେଶ ସେମାନଙ୍କର ସାମୁଦ୍ରିକ ବ୍ୟବସାୟ ପାଇଁ ରାସ୍ତା ବଦଳାଇଦେଇଥିଲେ । ଅଶୋଧିତ ତୈଳର ମୂଲ୍ୟରେ ଅସ୍ଥିରତା ଦେଖାଯାଇଥିଲା । ଆର୍ଥକ ଦୃଷ୍ଟିରେ ବିଶ୍ୱର ତୃତୀୟ ଅର୍ଥବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଥିବା ଭାରତର ରାଷ୍ଟ୍ରୀୟ ପରିଦୃଶ୍ୟରେ ମଧ୍ୟ ୨୦୨୫ ଘଟଣା ବହୁଳ ବର୍ଷ ଥିଲା । ଅନେକ ଯୋଜନାର ପୁନର୍ଗଠନ ଏବଂ ରାଜନୈତିକ ସଙ୍କେତ ଦେଶ ଭିତରେ ୨୦୨୫ରେ ସର୍ବାଧିକ ଚର୍ଚ୍ଚାର ବିଷୟ ଥିଲା । ମନରେଗାର ପୁନର୍ଗଠନ କରାଯାଇ ତାକୁ ବିକଶିତ ଭାରତ ଜି-ରାମ-ଜି ରୂପରେ ପ୍ରସ୍ତୁତ କରାଯାଇଥିଲା । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତେ୍ୱ ସରକାର ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ କାଟିଦେଇଥିଲେ । ବିରୋଧୀଦଳ ଏହି ଯୋଜନାକୁ “ନୂଆ ବୋତଲରେ ପୁରୁଣା ମଦ”ର ଆଖ୍ୟା ଦେଇଥିଲେ । ସଂସଦର ଶୀତକାଳୀନ ଅଧିବେଶନରେ  ଏହି ନାମ ପରିବର୍ତ୍ତନକୁ ନେଇ ପ୍ରବଳ ହୋହାଲ୍ଲା ହୋଇଥିଲା । ଗ୍ରାମାଞ୍ଚଳରେ ରୋଜଗାର, ବଜେଟ ଆବଣ୍ଟନ ଏବଂ ରାଜ୍ୟ ମାନଙ୍କର ଭୂମିକା ପ୍ରସଙ୍ଗ ୨୦୨୫ର ବିମର୍ଷର ବିଷୟ ଥିଲା । ଏହି ବର୍ଷ ନିର୍ବାଚନ ସୁଧାର, ଏକ ଦେଶ-ଏକ ନିର୍ବାଚନ ଏବଂ ପ୍ରଶାସନିକ ପାରଦର୍ଶିତା ଭଳି ପ୍ରସଙ୍ଗକୁ ନେଇ ଶାସକ ବିରୋଧୀ ଆମନା ସାମନା ହୋଇଥିଲେ । ବିଶେଷ ଗହନ ପୁନଃ ନିରୀକ୍ଷଣ (ଏସ୍‌ ଆଇ ଆର) ମଧ୍ୟ ଚର୍ଚ୍ଚାରେ ଥିଲା ।

  ବିହାରରେ ୬୫ଲକ୍ଷ ଲୋକ ଭୋଟର ତାଲିକାରୁ ବାଦ ପଡିଥିଲେ । ମମତା ବାନାର୍ଜୀଙ୍କ ବିରୋଧକୁ ୨୦୨୫ର ଏକ ଗୁରୁତ୍ୱପୁର୍ଣ୍ଣ ଘଟଣାଭାବେ ବିବେଚନା କରାଯାଇଥିଲା । ୨୦୨୫ରେ ନିର୍ବାଚନ ଆୟୋଗ ବିରୋଧୀଙ୍କ ଟାର୍ଗେଟରେ ଥିଲେ । ଆର୍ଥକ ଘଟଣାକ୍ରମରେ ଦରଦାମ ବୃଦ୍ଧି, ଡିଜିଟାଲ ଅର୍ଥବ୍ୟବସ୍ଥା ଏବଂ ଚାପ ଚର୍ଚ୍ଚାରେ ଥିଲା । ଦରଦାମ ନିୟନ୍ତ୍ରଣ ସରକାରଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିଲା । ବୈଶ୍ୱିକ ଅସ୍ଥିରତାର ପ୍ରଭାବ ସିଧାସଳଖ ଭାବେ ଖାଦ୍ୟ ପଦାର୍ଥ ଓ ଇନ୍ଧନ ଉପରେ ପଡିଥିଲା । ସୁନା ରୁପାର ମୂଲ୍ୟ ରେକର୍ଡ ପରିମାଣରେ ବୃଦ୍ଧି ପାଇଥିଲା । ସେହିପରି ଡିଜିଟାଲ ନେଣ ଦେଣ ପ୍ରଣାଳୀ ମଧ୍ୟ ରେକର୍ଡ ସୃଷ୍ଟି କରିଥିଲା । ଷ୍ଟାର୍ଟଅପ ଏବଂ ଗ୍ରୀନ ଏନର୍ଜୀ କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ିଥିଲା । ଜିଏସ୍‌ଟି ବ୍ୟବସ୍ଥାକୁ ସୁଧାରାଜିବା ପରେ ବ୍ୟବସାୟ ଏବଂ ପୁଞ୍ଜିନିବେଶକୁ ଫାଇଦା ମିଳିଥିଲା । ୨୦୨୫ରେ ଭାରତ ବିଶ୍ୱର ସବୁଠାରୁ ବୃହତ୍‌ ଡିଜିଟାଲ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଥିଲା । କିନ୍ତୁ ଦେଶର ମଧ୍ୟମ ବର୍ଗଙ୍କ ଅବସ୍ଥା, ଗ୍ରାମାଞ୍ଚଳର ଅର୍ଥବ୍ୟବସ୍ଥା ସୁଧୁରି ପାରିନଥିଲା । ୨୦୨୫ରେ ବେରୋଜଗାରୀକୁ ନେଇ ଚିନ୍ତା ବଢିଥିଲା । ଡିଜିଟାଲ ଯୁଗରେ ନିଜସ୍ୱ ତଥ୍ୟ (ଡ଼ାଟା)ର ସୁରକ୍ଷା ଓ ମହିଳାଙ୍କ ସୁରକ୍ଷା ଏପରିକି କାର୍ଯ୍ୟାଳୟରେ ସମାନତା, ଶିକ୍ଷା ତଥା ପ୍ରତିଯୋଗୀ ପରୀକ୍ଷାକୁ ନେଇ ବିବାଦ, ଆନଲାଇନ୍‌ ଠକେଇ ବୃଦ୍ଧି ଲୋକଙ୍କ ପାଇଁ ସମସ୍ୟା ପାଲଟିଥିଲା । ଖେଳ ମୋର୍ଚ୍ଚାରେ କ୍ରିକେଟରେ ପୁରୁଷ ଓ ମହିଳାଙ୍କ ସକାଶେ ୨୦୨୫ ଭାରତ ପାଇଁ ଉତ୍ସାହଜନକ ଥିଲା । ଯୁବ ଖେଳାଳୀମାନଙ୍କ ପ୍ରଦର୍ଶନ ଉତ୍ତମ ଥିଲା ।


ରାମଚନ୍ଦ୍ରପୁର, ରଣପୁର
ମୋ: ୯୪୩୮୪୮୫୦୯୪