ପୁରୀ ଦଳାଚକଟା ଭିଡିଓ ମାଗିଲେ ଉନ୍ନୟନ କମିଶନର ଅନୁ ଗର୍ଗ

ଭୁବନେଶ୍ବର : ପୁରୀର ଶରଧାବାଲିରେ ଘଟିଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ଦଳାଚକଟା ସମୟର ଭିଡିଓ ମାଗିଛନ୍ତି ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ । ତଦନ୍ତରେ ସେ ଜନସାଧାରଣଙ୍କଠାରୁ ସହଯୋଗ ମାଗିଛନ୍ତି। ଏ ନେଇ ସେ ଅପିଲ କରିଛନ୍ତି ଯେ, ଦଳାଚକଟା ସମୟରେ କୌଣସି ଭିଡିଓ କିମ୍ବା ତଥ୍ୟ ଥିଲେ ତାହା ତଦନ୍ତ କାର୍ଯ୍ୟକୁ ସହାୟକ ହେବ। ଅନେକ ଲୋକ ଦଳାଚକଟା ସମୟରେ ଭିଡିଓ କରିଥିଲେ। ସେଥିରୁ ଯାହା ଥାଏ ଆମକୁ ଦିଅନ୍ତୁ ବୋଲି ଅନୁ ଗର୍ଗ କହିଛନ୍ତି । ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ଭିଡିଓ କିମ୍ବା ତଥ୍ୟ puritragedy.inquiry@odisha.gov.in ମେଲ୍ରେ ପାରିବେ । ଯଦି କେହି ନିଜେ ଭେଟି ତଥ୍ୟ ଦେବାକୁ ଚାହାନ୍ତି, ସେମାନେ ଭୁବନେଶ୍ବରର ରାଜ୍ୟ ଅତିଥି ଭବନ କିମ୍ବା ପୁରୀର ସ୍ପେଶାଲ୍ ସର୍କିଟ୍ ହାଉସ୍ରେ ଯୋଗାଯୋଗ କରିପାରିବେ। ଏହି ତଥ୍ୟଗୁଡ଼ିକ ତଦନ୍ତ ପ୍ରକ୍ରିୟାରେ ବେଶ୍ ସହାୟକ ହେବ ବୋଲି ଅନୁ ଗର୍ଗ ଆଶା କରିଛନ୍ତି। ଏବେ ତଦନ୍ତ ଉପରେ କିଛି କହିହେବ ନାହିଁ। ସମସ୍ତ ତଥ୍ୟ ସଂଗ୍ରହ ପରେ ହିିଁ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।