ପୁରୀ ବେଳାଭୂମିରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ

 ଭୁବନେଶ୍ୱର/ପୁରୀ : ପୁରୀ ବେଳାଭୂମି ଲାଇଟ୍ ହାଉସ୍ ନିକଟରେ ଫିଟ୍ ଇଣ୍ଡିଆ ସନ୍, ସ୍ୟାଣ୍ଡ ଓ ସୋଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଫିଟ୍ ଇଣ୍ଡିଆ ଅଭିଯାନ ଅଧୀନରେ ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଦୈନନ୍ଦିନ ଜୀବନରେ ଶାରୀରିକ ଗତିବିଧି ଏବଂ କ୍ରୀଡ଼ାକୁ ଅନ୍ତର୍ଭୁକ୍ତ କରି ଫିଟନେସକୁ ପ୍ରୋତ୍ସାହିତ କରିବା । ଏହି କାର୍ଯ୍ୟକ୍ରମରେ ଯୋଗ, ମାଲଖମ୍ବ ଏବଂ ଗୋଟିପୁଅ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ସ୍କୁଲ ପିଲାମାନଙ୍କ ସମେତ ୨୦୦ରୁ ଅଧିକ ଅଂଶଗ୍ରହଣକାରୀ ଏଥିରେ ଭାଗନେବା ସହିତ ସ୍ଥାନୀୟ ପର୍ଯ୍ୟଟକମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ପୁରୀ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିଦେ୍ର୍ଦଶକ ସନ୍ତୋଷ ସେଠୀ, ଡିଏସଓ ଚନ୍ଦନ କୁମାର, ପୁରୀ ଏଚପିସି ମୁଖ୍ୟ ପ୍ରଶିକ୍ଷକ ସଞ୍ଜୀବ ଶର୍ମା, ପାରା କ୍ରୀଡ଼ାବିତ୍ ପ୍ରଶିକ୍ଷକ ବିଷ୍ଣୁ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମ୍ମାନିତଅତିଥିଙ୍କ ମଧ୍ୟରେ ଓଡ଼ିଶା ଆଇ/ସି ଉପନିଦେ୍ର୍ଦଶକ ତ୍ରୈଲୋକ୍ୟନାଥ ସାହୁ, କୋଲକାତା ସ୍ଥିତ ସାଇ ଏନ୍ଏସ୍ଇସି  ସହକାରୀ ନିଦେ୍ର୍ଦଶକ ଲକ୍ଷ୍ମଣ ଡୋଙ୍ଗାରୀ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ତର୍ଜାତୀୟ ପାରା ଆଥଲେଟ୍ ସୁଶ୍ରୀ ଜୟନ୍ତୀ ବେହେରା, ଅନ୍ତର୍ଜାତୀୟ ଖୋ-ଖୋ ଆଥଲେଟ୍ ସୁଶ୍ରୀ ମାଗାଇ ମାଝୀ, ସୁଶ୍ରୀ ଶୁଭଶ୍ରୀ ସିଂଙ୍କୁ ସମ୍ମାନିତ କରାଯାଇଥିଲା ।