କୃଷକ ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଲା ବିଜେଡି
ଭୁବନେଶ୍ୱର: ବିଜେଡି ବିଧାୟକମାନଙ୍କ ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟପାଳଙ୍କୁ ଭେଟି ରାଜ୍ୟ କୃଷକମାନଙ୍କ ସମସ୍ୟା ଉକ୍ରଟ ସ୍ଥିତିରେ ପହଞ୍ଚିଛି ଓ ରାଜ୍ୟ ସରକାର ଏହାକୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାସହ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି ପ୍ରତିନିଧିମଣ୍ଡଳୀ । ବିଜେଡି ବିଧାୟକ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧିମଣ୍ଡଳୀରେ ଦଳର ପ୍ରାୟ ସମସ୍ତ ବିଧାୟକ ଉପସ୍ଥିତ ଥିଲେ । କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରସଙ୍ଗରେ, ବିଜେଡିର ବିଧାୟକମାନଙ୍କ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ସ୍ମାରକପତ୍ରରେ କୁହାଯାଇଛି, ଗତ ଡିସେମ୍ୱର ଓ ଜାନୁଆରୀରେ ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ ହାନି ହୋଇଥିଲା, ଯାହା ଯୋଗୁଁ ରାଜ୍ୟର କୃଷକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଏଥିରେ ପ୍ରଭାବିତ ହୋଇଥିବା ଚାଷୀମାନେ ହତାଶ ହୋଇପଡ଼ିଥିଲେ ଓ ଚାଷୀମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ମଧ୍ୟ ନେଇଥିଲେ । ବିଭିନ୍ନ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟୁଥିବା ବେଳେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ୩୦ ଓ ୩୧ ଡିସେମ୍ୱର ଦିନ ରାଜ୍ୟର ଗଞ୍ଜାମ, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଆଦି ଜିଲ୍ଲା ବୁଲି ଚାଷୀଙ୍କ ସହିତ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଫସଲ ଅମଳ ହେବା ପାଇଁ ପ୍ରସ୍ତୁତ ଥିବାବେଳେ ଅଦିନିଆ ବର୍ଷା ତାଙ୍କ ଭାତହାଣ୍ଡିକୁ ଉଜାଡି ଦେଲା ବୋଲି ଚାଷୀମାନେ କହିବା ସହିତ ବର୍ଷା ସମ୍ପର୍କିତ ପ୍ରାକ ସୂଚନା ସରକାରଙ୍କ ଠାରୁ ତାଙ୍କୁ ମିଳି ନଥିବାରୁ ଏପରି ଘଟିଲା ବୋଲି ସେମାନେ କହିଥିଲେ । ତେଣୁ, ଏହି କ୍ଷତିକୁ ଭରଣା କରିବା ପାଇଁ ତୁରନ୍ତ କ୍ଷତି ସହିଥିବା କୃଷକ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ସ୍ମାରକପତ୍ରରେ ଦାବି କରାଯାଇଛି । ସେହିପରି ମଣ୍ଡିରେ ଧାନ ରଖିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନଥିବାରୁ କୃଷକ ମାନଙ୍କୁ ଲମ୍ୱା ସମୟ ଅପେକ୍ଷା କରିବାକୁ ପଡୁଛି । ଏଫ୍ଏକୁ୍ୟ ଧାନ ସଂଗ୍ରହ ନାମରେ କ୍ୱିଣ୍ଟାଲ ପିଛା ୯ରୁ ୧୦ କେଜି କଟନିଛଟନି କରାଯାଉଛି ବୋଲି ସ୍ମାରକପତ୍ରରେ କୁହାଯାଇଛି ।