ପୁଲିସ ଏସ୍‌ଆଇ ସ୍କାମ : ‘ବଣିକ’ ଉପରେ କ୍ରାଇମବ୍ରାଞ୍ଚ ଚଢାଉ 

ଭୁବନେଶ୍ୱର : ଓଡ଼ିଶା ପୁଲିସ୍‌ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍‌ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡିଶା ପୁଲିସ ସବ୍‌ଇନ୍‌ସ୍ପେକ୍ଟର (ଏସ୍‌ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଉ ଏକ ବଡ ଖୁଲାସା କରିଛି । ଏହି ପରୀକ୍ଷାରେ ଜାଲିଆତି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ରାଜ୍ୟର ଏକ ଜଣାଶୁଣା ଘରୋଇ କୋଚିଂ ସେଣ୍ଟର ‘ବଣିକ’ ଉପରେ ଚଢ଼ଉ କରିଛି । ପୁଲିସ ଏସ୍‌ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ଭିତରୁ ଜେରା ବେଳେ ୧୨ ଜଣ ସିଧାସଳଖ ‘ବଣିକ’ର ନାଁ ନେଇଥିବା କୁହାଯାଉଛି । ସେମାନେ ‘ବଣିକ’ର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ଶାଖାରେ କୋଚିଂ ନେଉଥିଲେ । ସ୍କାମରେ ବଣିକର ସଂପୃକ୍ତି ଥିବା ଅନୁମାନ କରି ଆଜି ନୟାପଲ୍ଲୀ ଥାନା ଅଧିନ ସିଆରପି ଛକ ନିକଟରେ ଥିବା ବଣିକ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ୍‌ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ ବେଳେ କୋଚିଂ ସେଣ୍ଟରରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବହୁ ତଥ୍ୟ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ, ପୁଲିସ ଏସ୍‌ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ୧୧୯ ଜଣ ଗିରଫ ହୋଇଛନ୍ତି । ଏବେବି ଏହାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତି ଫେରାର ଅଛନ୍ତି । ଶଙ୍କର ପୃଷ୍ଟି ସହ ବଣିକର ଲିଙ୍କ୍‌ ଥିବା ନେଇ ବି ଚର୍ଚ୍ଚା ହେଉଛି । କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରାଙ୍କ ସୂଚନା ଅନୁଯାୟୀ, ୧୦ ଜଣଙ୍କ ବୟାନ ଆଧାରରେ ଏହି ଚଢ଼଼ଉ କରାଯାଇଛି । ଆଜି ଚଢ଼ଉ ସମୟରେ ୬ ଜଣଙ୍କ ବାବଦରେ ତଥ୍ୟ ଏକାଠି କରିଛି କ୍ରାଇମବ୍ରାଞ୍ଚ୍‌ ଟିମ୍‌ । ଭୁବନେଶ୍ୱରରେ ‘ବଣିକ’ରେ ଏସଆଇ ଆଶାୟୀମାନେ ଟ୍ରେନିଂ ନେଇଥିଲେ କି ନାହିଁ, ସେନେଇ ଖୋଳତାଡ଼ କରୁଛି ଟିମ୍‌ । ତେବେ ସର୍ଭର ଡାଉନ ଥିବାରୁ ଡାଟା ରିକଭରି କରିବା କଷ୍ଟ ହୋଇଛି । କିନ୍ତୁ ସମସ୍ତ ଡାଟା ନେଇ ସାରିବା ପରେ କ୍ରାଇମବ୍ରାଞ୍ଚ ଟିମ୍‌ ଫେରିବ । ପୁଲିସ ଏସ୍‌ଆଇ ପରୀକ୍ଷା ବାତିଲ ପରେ ରାଜ୍ୟ ସରକାର ଜୋର୍‌ଦାର ତନାଘନା କରିଛନ୍ତି । ଅପରପକ୍ଷରେ ବଣିକର ମାଲିକ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।