ପୃଥିବୀ ପୃଷ୍ଠରେ ଶୁଭାଂଶୁ

ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତରେ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନରୁ ଅଧିକ ସମୟ ଅତିବାହିତ କରିବା ପରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ତଥା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ପୃଥିବୀକୁ ଫେରିଛନ୍ତି । ସେ ଆକ୍ସିଅମ୍-୪ ମିସନର ଅଂଶ ଭାବରେ ତାଙ୍କର ତିନିଜଣ ଅନ୍ତର୍ଜାତୀୟ ସହଯୋଗୀଙ୍କ ସହିତ ସ୍ପେସ୍ଏକ୍ସର ଡ୍ରାଗନ୍ କ୍ୟାପସୁଲ୍ "ଗ୍ରେସ୍" ଯୋଗେ ଫେରିଛନ୍ତି ।
ଏହି ଐତିହାସିକ ମିସନ୍ ସମୟରେ ଶୁଭାଂଶୁ ଆଇଏସ୍ଏସ୍ରେ ୬୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ କରିଛନ୍ତି । ଏଥିରେ ଇସ୍ରୋ ଦ୍ୱାରା ପରିଚାଳିତ ୭ଟି ମାଇକ୍ରୋଗ୍ରାଭିଟି ପରୀକ୍ଷଣ ମଧ୍ୟ ସାମିଲ ଅଛି । ତାଙ୍କର ଏହି ମିସନ୍ ଭାରତର ଆଗାମୀ ମାନବ ମହାକାଶ ମିସନ୍ "ଗଗନଯାନ" ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ତାଙ୍କର ଏହି ସଫଳ ପ୍ରତ୍ୟାବର୍ତ୍ତନକୁ ନେଇ ସାରା ଦେଶରେ ଉତ୍ସାହର ମାହୋଲ ଦେଖାଦେଇଛି ।