ରାଜ୍ୟପାଳଙ୍କ ନେତୃତ୍ୱରେ ଆସିବ ବୁଦ୍ଧଙ୍କ ଅବଶେଷ

 ଭୁବନେଶ୍ୱର: ଆଗାମୀ ଜୁନ ୨ରେ ଭାରତରୁ ଭିଏତନାମକୁ ନିଆଯାଇଥିବା ଭଗବାନ ବୁଦ୍ଧଙ୍କର ପବିତ୍ର ଅବଶେଷ ଆସିବ । ଏଥିପାଇଁ ଏକ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେବେ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି । ଏ ଉଦେ୍ଦଶ୍ୟରେ ରାଜ୍ୟପାଳ ଶୁକ୍ରବାର ନୂଆଦିଲ୍ଲୀରୁ ଭିଏତନାମ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ବିଶ୍ୱବ୍ୟାପୀ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଗଭୀର ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରୁଥିବା ପବିତ୍ର ଅବଶେଷଗୁଡ଼ିକୁ ଭାରତରୁ ଭିଏତନାମକୁ ଜାତିସଂଘ ଭେଶକ ଦିବସ ଉତ୍ସବ ଅବସରରେ ପ୍ରଦର୍ଶନ ପାଇଁ ନିଆଯାଇଥିଲା । ଯାହା ପ୍ରତିବର୍ଷ ମେ’ ପୂର୍ଣ୍ଣିମାରେ ଭଗବାନ ବୁଦ୍ଧଙ୍କ ଜନ୍ମ, ଜ୍ଞାନ ଏବଂ ଇହଲୀଳା ସମ୍ବରଣକୁ ସ୍ମରଣ କରିବା ପାଇଁ ପାଳନ କରାଯାଏ । ଏହି ଅବଶେଷଗୁଡ଼ିକ ୨୦୨୫, ୬ ରୁ ୮ ପର୍ଯ୍ୟନ୍ତ ଭେଶକ ଉତ୍ସବ ଅବସରରେ ଭିଏତନାମରେ ପ୍ରଦର୍ଶିତ ହୋଇଥିଲା । ବର୍ତ୍ତମାନ ଏହା ସେହି ଦେଶରେ ବିଭିନ୍ନସ୍ଥାନରେ ପ୍ରଦର୍ଶିତ ହେଉଛି । ହୋ ଚି ମିନ୍ ସିଟି, ତାଏ ନିନ୍, ହାନୋଇ ଏବଂ ଅନ୍ୟାନ୍ୟ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୨ ତାରିଖ ଦିନ ପ୍ରଦର୍ଶନୀ ଶେଷ ହେବା ପରେ ଡା ନାଙ୍ଗ ସିଟିରୁ ପବିତ୍ର ଅବଶେଷକୁ ସ୍ୱତନ୍ତ୍ର ବିମାନ ଯୋଗେ ଭାରତକୁ ଅଣାଯିବ । ଭିଏତନାମ ଯାତ୍ରା ପୂର୍ବରୁ ରାଜ୍ୟପାଳ କହିଛନ୍ତି ଯେ, ‘ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ସହିତ ଭାରତକୁ ଫେରିବା ଏକ ମହାନ ସମ୍ମାନର ବିଷୟ । ଏହି ଆଧ୍ୟାତ୍ମିକ ଯାତ୍ରା ଭିଏତନାମ ସହିତ ଆମର ସହଭାଗୀ ସଭ୍ୟତା ଐତିହ୍ୟକୁ ପ୍ରତିଫଳିତ କରେ । ଭାରତ ଭିଏତନାମ ସହିତ ଥିବା ଏହାର ସମୃଦ୍ଧ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସଂପର୍କକୁ ଗଭୀର ଭାବେ ଗୁୁରୁତ୍ୱ ଦେଇଥାଏ ।