ପୌରପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ : ବିଜେଡି ସୁପ୍ରିମୋଙ୍କ  ହ୍ୱିପ୍‌ ଜାରି, ଆଜି ଭୋଟ

ରାୟଗଡା : ରାୟଗଡା ପୌରପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ରାୟଗଡା ରାଜନୀତିରେ ଚଞ୍ଚକତା ସୃଷ୍ଟି ହୋଇଛି । ୨୪ ଜଣ କାଉନସିଲର ମଧ୍ୟରୁ ୧୯ ଜଣ ସଭ୍ୟ ଏହି ପ୍ରସ୍ତାବ ଦାଖଲ କରିଥିବା ବେଳେ, ବିଜେଡ଼ି ଭିତରେ ଦଳୀୟ ଦ୍ୱନ୍ଦ୍ୱ ତୀବ୍ର ରୂପ ଧାରଣ କରିଛି । ଏହି ପରିପ୍ରେକ୍ଷିତରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ତରଫରୁ ୱିପ ଜାରୀ କରାଯାଇଛି । ବିଜେଡ଼ି ସଭ୍ୟମାନଙ୍କୁ ଦଳ ନିର୍ଦ୍ଦେଶ ଅନୁସାରେ ଭୋଟ ଦେବାକୁ କଠୋର ନିର୍ଦ୍ଦେଶ ଦିଆଯାଇଛି । ଦଳ ଉଲ୍ଲଂଘନ କଲେ ଶାସନତ୍ମକ କାର୍ଯ୍ୟହୋଇପାରିବ ବୋଲି ସୂତ୍ର ମାଧ୍ୟମରେ ଜଣାଯାଇଛି । ଆଜି (୯ ଅକ୍ଟୋବର) ରାୟଗଡା ପୌରପରିଷଦ ସଭାଗୃହରେ ଏହି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ ଗ୍ରହଣ ଅବସରରେ ସୁରକ୍ଷା ବ୍ୟବସ୍ଥା କଟକଣା କରାଯାଇଛି । ସଭାଗୃହ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ପୁଲିସ୍‌ ବ୍ୟବସ୍ଥା ବଢାଇ ଦିଆଯାଇଛି । ସୂତ୍ର ଅନୁସାରେ, ବିଜେଡ଼ିର ଭିତରେ ଗତ କିଛି ମାସ ଧରି ଦଳୀୟ ଅସନ୍ତୋଷ ବଢିବା ଫଳରେ ଏହି ଅନାସ୍ଥା ପ୍ରସ୍ତାବ ଉପସ୍ଥିତ ହୋଇଛି । ଜିଲ୍ଲାରେ ପୂର୍ବତନ ବିଜେଡ଼ି ନେତାମାନଙ୍କ ଦଳ ଛାଡ଼ିବା ଓ ନୂଆ ରାଜନୈତିକ ସଂଗଠନରେ ଯୋଗଦେବା ଘଟଣା ମଧ୍ୟ ଏହି ରାଜନୀତିକ ତିବ୍ରତାକୁ ବଢ଼ାଇଛି । ଏହି ଅନାସ୍ଥା ଭୋଟ ଫଳାଫଳ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି । ରାୟଗଡା ଜିଲ୍ଲା ରାଜନୀତିରେ ଏହା ଭବିଷ୍ୟତରେ ଦଳୀୟ ସମୀକରଣ ଓ ଶକ୍ତି ସନ୍ତୁଳନକୁ ପ୍ରଭାବିତ କରିପାରିବ ।