ତେରଚ୍ଛା ବାଣ ମାରି ବିଜେଡ଼ି ଉପରେ ରାଗ ଶୁଝାଉଛନ୍ତି କି ଅମର?

ତେରଚ୍ଛା ବାଣ ମାରି ବିଜେଡ଼ି ଉପରେ ରାଗ ଶୁଝାଉଛନ୍ତି କି ଅମର?


ାା ପ୍ରଭାନୁ୍ୟଜ ।ା ଯାଜପୁର,: ବିଜୁ ଜନତା ଦଳର ବରିଷ୍ଠ ନେତା ହେଲେ ବଡ଼ଚଣାର ପ୍ରାକ୍ତନ ବିଧାୟକ ଅମର ପ୍ରସାଦ ଶତପଥୀ । ଜଣେ ଅନୁଭବୀ ନେତା ହେଉଛନ୍ତି ଅମର । ଜନତା, ଏନସିପି, ବିଜୁ ଜନତା ଦଳରୁ ନିର୍ବାଚନ ଲଢି ବଡ଼ଚଣାବାସୀଙ୍କ ବିଶ୍ୱାସ ଭାଜନ ହୋଇପାରିଥିବା ଅମର ଛଅ ଥର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି । କିନ୍ତୁ ୨୪ ନିର୍ବାଚନରେ ବିଜୁ ଜନତା ଦଳ ତାଙ୍କୁ ନିର୍ବାଚନ ଲଢିବାରୁ ବଞ୍ଚିତ କରିଥିଲା । ଲବି କରି ନିରାଶ ହୋଇଥିଲେ ଅମର । ଅମରଙ୍କ ସ୍ଥାନରେ ବିଜୁ ଜନତା ଦଳ ରାଜନୀତିରେ ଧାରଧରିନଥିବା ସିନେ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶନୀଙ୍କୁ ପ୍ରାର୍ଥୀ କଲା ।
 ଟିକେଟରୁ ବଞ୍ଚିତ ହୋଇଥିବା ଅମର ଦଳ ପାଇଁ ପ୍ରଚାର କରିବାକୁ ଆସିଲେନି । ଦଳରେ ଥିଲେ ହିଁ ନିରବ ରହିଲେ । ନିର୍ବାଚନରେ ବିଜେଡ଼ି ମାଟି କାମୁଡ଼ିଲା ଆଉ ବିଜେପି ସରକାର ଗଠନ କରି ଆଗକୁ ବଢୁଛି । ୨୪ବର୍ଷ ଧରି ସରକାରରେ ଥିବା ବିଜୁ ଜନତା ଦଳ ବିରୋଧୀ ଦଳରେ ବସିବାଟାକୁ ସହଜରେ ହଜମ କରିପାରୁନି । ବିଧାନସଭା ଅଧିବେସନ ହେଉ କି ବିଧାନସଭା ବାହାରେ ବିରୋଧି ଦଳକୁ ବାସିରେ ପଚାରୁ ନଥିବା ବିଜୁ ଜନତା ଦଳ ଆଜି ବିଧାନସଭା ଭିତରେ ଓ ବାହାରେ ଶାସକ ବିଜେପି ଦଳର ନେତା-ମନ୍ତ୍ରୀଙ୍କ ଦ୍ୱାରା କଟାକ୍ଷର ସମ୍ମୁଖିନ ହେଉଛି । ରାଜନୀତିରେ ଗୋଟିଏ ଦଳ ଆଉ ଗୋଟିଏ ଦଳକୁ ତେରଛାବାଣ ମାରିବାକୁ ଅସଙ୍ଗତ ବୋଲି କୁହାଯାଇପାରିବନି । କିନ୍ତୁ ଦଳରେ ଥାଇ ଯଦି କେହି ଦଳର ନିଷ୍ପତ୍ତିକୁ କେହି ତେରଛାବାଣ ମାରିବ ତାହା ହେଲେ ତାହା ହଜମ କରିବା ପରି ହେବନି । ବିଜେପି କ୍ଷମତାକୁ ଆସିବା ପରେ ଶ୍ରୀମନ୍ଦିର ଚାରି ଦ୍ୱାରା ଖୋଲିବା ଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ଖୋଲାଯିବା, ବିଜେଡ଼ି ସୁପ୍ରିମୋଙ୍କ ଦ୍ୱାରା ଛାୟା ମନ୍ତ୍ରୀ ମଣ୍ଡଳ ଗଠନ ଏବଂ ମମତା ମହାନ୍ତ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହେବା ଭଳି କିଛି ଘଟଣାରେ ବଡ଼ଚଣା ପ୍ରାକ୍ତନ ବିଧାୟକ ଅମର ପ୍ରସାଦ ଶତପଥୀ ବିଜୁ ଜନତା ଦଳକୁ ମାରୁଥିବା ତେରଛା ବାଣ କେବଳ ଯାଜପୁରରେ କାହିଁକି ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ତେରଛା ବାଣ ମାରି ଅମର ବିଜେଡ଼ି ଉପରେ ନିଜର ରାଗ ସୁଝାଉଛନ୍ତି ବୋଲି ଗୋଟିଏ ପଟେ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ବିଜେଡ଼ିରେ ଅମରଙ୍କ ଭବିଷ୍ୟତ କ’ଣ ହେବ, ତାହା ମଧ୍ୟ ଚର୍ଚ୍ଚା ହେଉଛି । ଏହି ପୃଷ୍ଟାରେ ତା୮ା୬ା୨୪ରେ କ’ଣ ହେବ ବିଜେଡ଼ିରେ ଅମରଙ୍କ ଭବିଷ୍ୟତ? ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା । ସେତେ ବେଳେ ସଦ୍ୟ ନିର୍ବାଚନ ଗଣତି ଶେଷ ହୋଇଥିଲା, ଆଉ ବିଜେପି ସରକାର ଗଠନ କରିବାକୁ ଯାଉଥିଲା । ଶୀର୍ଷକ ଖବରଟି ଭୋଟ ଫଳାଫଳକୁ ନେଇ ଉଲ୍ଲେଖ ଥିଲା । ବଡ଼ଚଣାରୁ ବିଜେଡ଼ି ପ୍ରାର୍ଥିନୀ ହାରିଯାଇଥିଲା ବେଳେ ପ୍ରାକ୍ତନ ବିଧାୟକ ଅମରଙ୍କ ୱାର୍ଡ଼ରୁ ବର୍ଷାଙ୍କୁ ୧୭୬ ଭୋଟ ଏବଂ ବିଜେପିକୁ ୨୧୯ ଭୋଟ ମିଳିବାକୁ ନେଇ ଏକ ସମୀକ୍ଷା କରାଯାଇଥିଲା । ଆଉ ଆଜି କାଲି ଅମର ବିଭିନ୍ନ ପ୍ରସଙ୍ଗରେ ମାରୁଥିବା ତେରଛାବାଣ ବିଜେଡ଼ିରେ ତାଙ୍କର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଦୀର୍ଘ ଦଶନ୍ଧୀ ଧରି ରାଜନୀତିରେ ଥିବା ଅମର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ଖୋଲାଯିବା, ଚାବି ହଜିବା ଏବଂ ଛାୟାମନ୍ତ୍ରୀ ମଣ୍ଡଳ ଗଠନ ହେବା ଭଳି ଘଟଣାରେ ଗୋଟେ ପଟେ ଶାସକ ବିଜେପି ଦେଇଥିବା ନିର୍ବାଚନ ପ୍ରତିଶ୍ରୁତିକୁ ଅନୁପାଳନ କରିଥିବା କହି ପ୍ରସଂଶା କରିଥିବା ବେଳେ ଅନ୍ୟପଟେ ଯଦି ନବୀନ ପଟ୍ଟନାୟକ ନିଜ ଦଳର ନେତା, ମନ୍ତ୍ରୀଙ୍କ କଥା ଶୁଣୁଥାନ୍ତେ, ତେବେ ଦଳ ଆଜି ବିରୋଧୀ ଦଳରେ ବସିନଥାନ୍ତା କହି ମନଭିତରେ ଜମାଟବାନ୍ଧି ବସିଥିବା କଥାକୁ ଅତି ଚତୁରତାର ସହ ଉଗାଳି ଦେଇଥିଲେ । ହଠାତ ପ୍ରତିକ୍ରିୟାଶୀଳ ହେଉନଥିବା ଅମର ରାଜ୍ୟସଭା ସାଂସଦ ମମତା ମହାନ୍ତ ବିଜେଡ଼ି ସହ ସଦସ୍ୟତାରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ପ୍ରସଙ୍ଗରେ ଆମୁଳଚୂଳ ସଂଗଠନକୁ ସଜଡ଼ା ନଗଲେ ଆଗକୁ ଅନେକ ଅଘଟଣ ଘଟିବ ବୋଲି ମାପିଚୁପି ଦଳର ନେତାଙ୍କ ଉଦେଶ୍ୟରେ ତେରଛାବାଣ ମାରିଛନ୍ତି । ଅମରଙ୍କ ଏହି ତେରଛାବାଣ କର୍ମୀଙ୍କୁ ହଜମ ହେଉନନଥିବା ବେଳେ ନେତା କିନ୍ତୁ ହଜମ କରି ବସିଛନ୍ତି । ଟିକଟରୁ ବଞ୍ଚିତ ଅମର ରାଗ ସୁଝିବା ଯାଏ ଏଭଳି ତେରଛାବାଣ ମାରିଚାଲିଲେ କେହିି ଆଶ୍ଚର୍ଯ୍ୟ ହେବେନି ।
 ବିଜେଡ଼ି ମହଲ ଅମରଙ୍କୁ କେତେ ଦିନ ହଜମ କରିବ ତାହା ହିଁ ଦେଖିବାର ଅଛି କିନ୍ତୁ ଯାଜପୁର ଜିଲା କଥା ଯଦିକହିବା, ତେବେ ଅମର ଦଳ ପାଇଁ ଏକ ପ୍ରକାର ଅଲୋଡ଼ା ହୋଇପଡ଼ିଛନ୍ତି । କିଛଦିନ ତଳେ ନିର୍ବାଚିତ ବିଧାୟକଙ୍କ ସହ ପରାଜିତ ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ, ପ୍ରାକ୍ତନ ସାଂସଦ ଶର୍ମିଷ୍ଠା ସେଠୀ, ପ୍ରାକ୍ତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଜିଲାପାଳଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରଥିଲେ ହେଁ ଅମରଙ୍କୁ ଖୋଜା ପଡ଼ିନଥିଲା । ସୁକିନ୍ଦାର ପ୍ରାକ୍ତନ ବିଧାୟକ ପ୍ରୀତିରଂଜନ ଘଡ଼ାଇଙ୍କ ସହ ଅମରଙ୍କୁ ବାଦ୍ଦେଇ ବିଜେଡ଼ି ଟିମ ଜିଲପାଳଙ୍କୁ ଭେଟିବା ବେଳେ ବଡ଼ଚଣା ବ୍ଲକ ସଭାପତି ଅରବିନ୍ଦ ସାମଲ ସାମିଲ ହୋଇଥିଲେ । ଏଣୁ ଯାଜପୁର ବିଜେଡ଼ି ପାଇଁ ଅଲୋଡ଼ା ଅମରଙ୍କ ଭବିଷ୍ୟତ ରାଜନୀତି କ’ଣ ହେବ, ତାହା ହିଁ ରାଜନୈତିକ ମହଲକୁ ଆଲେଚନା ପାଇଁ ବାଧ୍ୟ କରିଛି ।