ବ୍ୟବସ୍ଥିତ ହେଉନାହିଁ ଧାନକିଣା
ରାଜ୍ୟର ଚାଷୀମାନଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି । ହେଲେ ସେହି ୩୧ ଶହ ଟଙ୍କା କେତେଜଣ ଚାଷୀଙ୍କ ଠାରୁ ଧାନ କିଣାଯାଉଛି, ତାହାର ଏକ ନିରପେକ୍ଷ ଏବଂ ସ୍ପଷ୍ଟ ଚିତ୍ର ବର୍ତ୍ତମାନ ରାଜ୍ୟବାସୀଙ୍କୁ ଜଣେଇବା ଉଚିତ୍ । ଚଳିତବର୍ଷ ଚାଷୀମାନେ ବିଭିନ୍ନ ଧାନମଣ୍ଡିରେ ଟୋକନ୍ ପାଇବା ପରେ ମଧ୍ୟ ଧାନ ବିକ୍ରି କରିପାରିଲେ ନାହିଁ । ଧାନ ଗଜା ହୋଇଗଲା ଏବଂ ବିକ୍ରିଯୋଗ୍ୟ ଆଉ ରହିଲା ନାହିଁ । ତେଣୁ ଚାଷୀଙ୍କ କ୍ଷତି କିଏ ଭରଣା କରିବ ତାହା ବଡ଼ ପ୍ରଶ୍ନ । ରାଜ୍ୟର ଲକ୍ଷାଧିକ ଚାଷୀ ଟୋକନ୍ ପାଇବା ପରେ ମଧ୍ୟ ଧାନ ବିକ୍ରି କରିପାରିନାହାନ୍ତି । ଠିକ୍ ସେହିପରି ଲକ୍ଷ ଲକ୍ଷ ଚାଷୀଙ୍କର ଧାନ ଅସମୟର ବର୍ଷାରେ ଗଜା ହୋଇ ନଷ୍ଟ ହୋଇଛି । ଏହିସବୁ କାରଣରୁ ଚାଷୀମାନେ ଯେଉଁ କ୍ଷତି ସହୁଛନ୍ତି ତାହା ସେମାନଙ୍କର ଆର୍ଥôକ ମେରୁଦଣ୍ଡକୁ ଭାଙ୍ଗି ଦେଉଛି । ଏହାର ସିଧାସଳଖ ପ୍ରତିକ୍ରିୟାଟି ହେଉଛି ଚାଷୀ ଧାନଚାଷ ଛାଡ଼ି, ବିଲ ଛାଡ଼ି ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲିଯାଉଛି । ଏଣେ ଆମ ରାଜ୍ୟରେ ବିଲ ପଡ଼ିଆ ପଡ଼ିଛି । ସରକାର ହିସାବ ଦେଉଛନ୍ତି ଯେ ବର୍ଷକୁ ବର୍ଷ ଧାନ ଉତ୍ପାଦନ ବଢୁଛି । ଜମି ପଡ଼ିଆ ପଡୁଥିବା ବେଳେ ଧାନ ଉତ୍ପାଦନ କେମିତି ବଢୁଛି ତାହା ବୁଝାପଡୁନାହିଁ ।
ବର୍ତ୍ତମାନ ପୁରୀ ଜିଲ୍ଲାର ଧାନଚାଷୀମାନେ ସରକାରୀ ବ୍ୟବସ୍ଥାରେ ଧାନକିଣାକୁ ନେଇ ଅତିଷ୍ଠ ହୋଇ ରାଜରାସ୍ତାକୁ ଆସିବାକୁ ସଜବାଜ ହେଲେଣି । ହୁଏତ ପୁରୀ ଜିଲ୍ଲାରେ ଏ ପ୍ରକାରର ଘଟଣା ସଫଳ ହେଲେ ସମଗ୍ର ରାଜ୍ୟରେ ଚାଷୀମାନେ ଧାନକିଣାର ଅବ୍ୟବସ୍ଥା ଏବଂ ଅମଳ ହୋଇଥିବା ଧାନର କ୍ଷତିକୁ ନେଇ ରାଜରାସ୍ତାକୁ ଓହ୍ଲାଇବେ । ଅନ୍ୟପକ୍ଷରେ ଆଉ ଏକ ଖବରରୁ ଜଣାପଡ଼ିଛି ଯେ ପାଖାପାଖି ୩୦ ଲକ୍ଷ ଟନ୍ ଚାଉଳ ରାଜ୍ୟରେ ତ୍ତତ୍ପାଦିତ ହୋଇ ରହିଥିଲେ ମଧ୍ୟ ଏଫସିଆଇ ତାକୁ ଉଠାଉ ନାହିଁ । ଗୋଟିଏ ପଟେ ମିଲର୍ମାନେ ଧାନ ମଣ୍ଡିରୁ ନେଉନାହାଁନ୍ତି, ଅନ୍ୟପଟେ ଏଫ୍ସିଆଇ ଚାଉଳ ନେଉନାହିଁ । ତେଣୁ ଦେଖିବାକୁ ଗଲେ ରାଜ୍ୟରେ ଧାନ ଚାଷ ଅବହେଳିତ କ୍ଷେତ୍ର ଭାବରେ ପରିଗଣିତ ହୋଇ ସାରିଲାଣି । ଜମି ମାଲିକ ଏବଂ ଚାଷୀମାନ ଏହିସବୁ ସମସ୍ୟାକୁ ନେଇ ଆଉଁ ଗାଁରେ ବି ରହିବାକୁ ଚାହୁଁନାହାନ୍ତି । ଆଉ ଗୋଟିଏ ପଟେ ସହରାଞ୍ଚଳର ପାଖାପାଖି ଏବଂ ଗ୍ରାମାଞ୍ଚଳର ମୁଖ୍ୟ ରାସ୍ତାକଡ଼ର ଜମି ସବୁ ଜମି ମାଫିଆ ତଥା ବିଲଡ଼ର୍ମାନଙ୍କ ହାତକୁ ଚାଲିଗଲାଣି । ଧାନ ଚାଷ ବର୍ତ୍ତମାନ ଆପାର୍ଟ୍ମେଣ୍ଟରେ ପରିଣତ ହୋଇଗଲାଣି । ହଜାର ହଜାର ହେକ୍ଟର୍ ଜମିରେ ବର୍ତ୍ତମାନ କଂକ୍ରିଟ୍ କୋଠା ଛିଡ଼ା ହୋଇଛି । ଏ ସମସ୍ୟାକୁ କୃଷି ବିଭାଗ ତଥା ରାଜ୍ୟ ସରକାର ଅଣଦେଖା କରି ଦେଉଛନ୍ତି । ବର୍ତ୍ତମାନ ପଡ଼ିଆ ପଡ଼ିଥିବା ଜମିର ପରିମାଣ କେତେଯେ ହେବ ତାହାର ହିସାବ ସରକାରଙ୍କ ପାଖରେ ନାହିଁ । ରାଜ୍ୟରେ ପଡ଼ିଆ ପଡୁଥିବା ଜମିର ସଦ୍ବିନିଯୋଗ ପାଇଁ ସମବାୟଭିତ୍ତିକ ଧାନଚାଷ ଏବଂ ଅନ୍ୟାନ୍ୟ କୃଷି ନିମିତ୍ତ ସ୍ୱତନ୍ତ୍ର ପଦକ୍ଷେପ ରାଜ୍ୟ ସରକାର ଜରୁରୀକାଳୀନ ଭିତ୍ତିରେ ନେବା ଆବଶ୍ୟକ । ଏ ପ୍ରକାରର କୌଣସି ଏକ ନିୟମ ଯଦି କୃଷିକ୍ଷେତ୍ର ପାଇଁ ଲାଗୁ କରାନଯାଏ, ତେବେ ଭବିଷ୍ୟତରେ ସମସ୍ତ ଚାଷୀ ଏବଂ ଜମି ମାଲିକ ନାମମାତ୍ର ଚାଷୀରେ ପରିଣତ ହୋଇଯିବେ । ବର୍ତ୍ତମାନ ସହରାଞ୍ଚଳର ଲୋକମାନେ ୨୫ କେଜିଆ ବସ୍ତାର ମିଲ୍ରେ ଆସୁଥିବା ଚାଉଳ ଖାଇବାରେ ଅଭ୍ୟସ୍ତ ହୋଇଗଲେଣି । ଢ଼ିଙ୍କିକୁଟା ଧାନ, ଘର ଚାଉଳ ଖାଇବା ସପନ ହୋଇଗଲାଣି । ପଲିସ୍ ଚାଉଳ ସ୍ୱାସ୍ଥ୍ୟ ପ୍ରତି କେତେ ଉପଯୋଗୀ ତାହାର ବିଶ୍ଳେଷଣ ଲାବରଟୋରୀରେ ହେବା ଆବଶ୍ୟକ । ନିଜର ଜମି ଥାଇ ଚାଷ କରିପାରୁନଥିôବା ଚାଷୀ ଅନ୍ୟ ରାଜ୍ୟର ପଲିସ୍ କରାଯାଇଥିବା ମିଲ୍ ଚାଉଳର ଭାତ ଖାଇବା ନିହାତି ଅପମାନଜନକ ।