କୁମ୍ଭମେଳା ଓ ଆଖଡ଼ା ପରମ୍ପରା


କୁମ୍ଭମେଳାର ସବୁଠାରୁ ଦୃଷ୍ଟି ଆକର୍ଷଣକାରୀ ପ୍ରମୁଖତା ହେଉଛି ଏହାର ଆଖଡ଼ା । ଯେକେହି କୁମ୍ଭମେଳା ଯାଇଥିବେ ସବୁଠାରୁ ଘୋଘା ଓ ଅଧିକ ଭିଡ଼ ତଥା ଭବ୍ୟତା ସହିତ ଆଡ଼ମ୍ବର ହେଉଥିବା କେନ୍ଦ୍ରଟି ହେଉଛି ଏହି ଆଖଡ଼ା । ପ୍ରୟାଗରାଜରେ ମହାକୁମ୍ଭରେ ତିନୋଟି ଅମୃତ ସ୍ନାନ ଶେଷ ହୋଇସାରିଛି । ଆଖଡ଼ା ସମ୍ପର୍କରେ ତଥ୍ୟ ସଂଗ୍ରହ ସମ୍ପର୍କରେ ଜେମସ୍ ଜି ଗଡ଼ଫେଲ୍ଡ ପୁସ୍ତକ "ଇଲଷ୍ଟ୍ରେଟେଡ ଏନସାଇକ୍ଲୋପିଡ଼ିଆ ଅଫ ହିନ୍ଦୁଇଜିମ୍'ରେ ଯାହା ଉଲ୍ଲେଖ ରହିଛି ତାହା ହେଉଛି କୁସ୍ତି କସରତ ବା ଆଖଡ଼ା ହେଉଛି ଏହା ସହ ସମ୍ବନ୍ଧିତ । ଆଖଡ଼ା ଗୁଡ଼ିକରେ ଯୋଦ୍ଧା ସନ୍ନ୍ୟାସୀମାନେ ହିଁ ସଦସ୍ୟ ଏବଂ ଏମାନେ ହେଉଛନ୍ତି ଆଖଡ଼ାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ଶକ୍ତିଶାଳୀ ଅଂଶ । ପରବର୍ତ୍ତୀ ସମୟରେ ଏମାନେ ନାଗା ସାଧୁ ଭାବେ ପରିଚିତ ହେଲେ । ଅନେକ ହୁଏତ ଜାଣିନଥିବେ ଆଜି ପ୍ରୟାଗରାଜର ଯେଉଁ ଭବ୍ୟ କୁମ୍ଭମେଳା ହେଉଛି ଆଖଡ଼ାର ନାଗା ସାଧୁମାନେ ହିଁ ଏହାର ବଡ଼ ଭୂମିକା ତୁଲାଉଛନ୍ତି । ଭାରତ ତମାମ ଥିବା ୧୩ଟି ଆଖଡ଼ା, ସମସ୍ତେ କୁମ୍ଭମେଳାରେ ସମବେତ ହେବାର ଏକ ପ୍ରକାର ବାଧ୍ୟବାଧକତା ରହିଛି । ଏହି ଆଖଡ଼ା ଗୁଡ଼ିକ ହେଉଛି ଶ୍ରୀ ପଞ୍ଚାୟତି ଆଖଡ଼ା ମହାନିର୍ବାଣୀ, ଶ୍ରୀ ଶମ୍ଭୁ ପଞ୍ଚାୟତି ଅଟଳ ଆଖଡ଼ା, ଅଖିଳ ଭାରତୀୟ ଶ୍ରୀପଞ୍ଚ ନିର୍ମୋହୀ ଅନୀ ଆଖଡ଼ା, ଅଖିଳା ଭାରତୀୟ ଶ୍ରୀପଞ୍ଚ ଦିଗମ୍ବର ଅନୀ ଆଖଡ଼ା, ଶ୍ରୀ ପଞ୍ଚାୟତି ଆନନ୍ଦ ଆଖଡ଼ା, ଶ୍ରୀପଞ୍ଚ ଦଶନାମ ଆବାହନ ଆଖଡ଼ା, ଶ୍ରୀ ପଞ୍ଚ ଅଗ୍ନୀ ଆଖଡ଼ା ମହାରାଜ, ଶ୍ରୀ ତପୋନିଧି ପଞ୍ଚାୟତି ଶ୍ରୀ ନିରଞ୍ଜନୀ ଆଖଡ଼ା, ଶ୍ରୀ ପଞ୍ଚଦଶନାମ ଜୁନା ଆଖଡ଼ା, ଅଖିଳ ଭାରତୀୟ ଶ୍ରୀ ପଞ୍ଚ ନିର୍ବାଣୀ, ଶ୍ରୀ ପଞ୍ଚାୟତି ଆଖଡ଼ା ବଡ଼ା ଉଦାସୀନ ନିର୍ବାଣ, ଶ୍ରୀ ପଞ୍ଚାୟତି ନୟା ନିର୍ବାଣ ଉଦାସନୀ ଆଖଡ଼ା ଓ ଶ୍ରୀ ପଞ୍ଚାୟତି ନିର୍ମଳ ଆଖଡ଼ା । ଏହି ୧୩ଟି ଆଖଡ଼ା ସମିଶ୍ରିତ ଭାବେ ଅଖିଳ ଭାରତୀୟ ଆଖଡ଼ା ପରିଷଦ ଗଠନ କରିଛନ୍ତି ।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଆଖଡ଼ାଙ୍କ ପାଖରେ ଆମ ଭାରତ ବର୍ଷର ତମାମ ମଠ ମନ୍ଦିର ସମେତ କୋଟି କୋଟି ଟଙ୍କାର ଜମି, ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ଆଖଡ଼ା ଭିତରେ ସବୁଠାରୁ ବଡ଼ ଆଖଡ଼ାର ମାନ୍ୟତା ପାଇଥିବା ନିରଞ୍ଜନୀ ଆଖଡ଼ା ପାଖରେ ମୋଟ ସମ୍ପତ୍ତିର ପରିମାଣ ୩୦୦ କୋଟିରୁ ଊଦ୍ଧ୍ୱର୍ । ଏହି ଆଖଡ଼ାରେ ପ୍ରୟାଗରାଜ, ମିର୍ଜାପୁର, ହରିଦ୍ୱାର, ଉଜ୍ଜୟୀନି, ନାସିକ, ମାଉଣ୍ଟଆବୁ, ବାରାଣାସୀ, ନୋଏଡ଼ା, ବଡ଼ଦୋରା ଓ ଜୟପୁରରେ ମଠ ଆଶ୍ରମ ରହିଛି । ସେହିପରି ଦୁଇ ନମ୍ବର ସ୍ଥାନରେ ନିର୍ବାଣୀ ଆଖଡ଼ା ପାଖରେ ଉତ୍ତରପ୍ରଦେଶର ପ୍ରତାପଗଡ଼, ଗୋଣ୍ଡା, ବସ୍ତୀ ଓ ଫଇଜାବାଦରେ ଅନେକ ସମ୍ପତ୍ତି ରହିଛି । ନିର୍ମୋହୀ ଆଖଡ଼ାର ଉତ୍ତରପ୍ରଦେଶ ଓ ବିହାରରେ ଅନେକ ମଠ ଓ ସାଧାରଣ ସମ୍ପତ୍ତି ରହିଥିବାବେଳେ ଜୁନା ଆଖଡ଼ାର ସମଗ୍ର ଦେଶରେ ୫୦ହଜାର ମଠ ମନ୍ଦିର ରହିଛି । ଏହି ସମ୍ପତ୍ତିର ଦାୟିତ୍ୱ ନିର୍ବାହ ଓ ସୂଚାରୁରୂପେ ପରିଚାଳନା ସହ ରକ୍ଷଣାବେକ୍ଷଣ ପାଇଁ ଆଖଡ଼ାରେ ଆଠଜଣ ଶ୍ରୀ ମହନ୍ତଙ୍କ ସହ ଅଷ୍ଟ କୌଶଳ ଭାବେ କିଛି ସାଧୁ ମାନଙ୍କୁ ଦାୟିତ୍ୱ ଦିଆଯାଏ । ଏହି ଅଷ୍ଟକୌଶଳ ହେଉଛି ଆଖଡ଼ାର ଏକ ପରିଚାଳକ ଅଙ୍ଗ ।
ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ମେଳାରେ ଏହି ଅଷ୍ଟ କୌଶଳ ଭଙ୍ଗାଯାଇ ନୂଆ ନିର୍ବାଚନର ବ୍ୟବସ୍ଥା ରହିଛି ଯେଉଁଥିରେ ଆଖଡ଼ା ମାନଙ୍କର ସଦସ୍ୟ ଭୋଟ ଦେଇଥାନ୍ତି ଓ ଏଥିରେ ପୂଜାରୀ ଓ ନାଗାସାଧୁମାନେ ବି ସାମିଲ । ତେବେ କ୍ୱଚିତ ନିର୍ବାଚନ ହୋଇ ଅଧିକାଂଶ ଆପୋଷ ସହମତି ଓ ବ୍ୟକ୍ତିଗତ ଆଲୋଚନା ଦ୍ୱାରା ପଦାଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଏ । ଚଳିତ ମହାକୁମ୍ଭରେ ନିରଞ୍ଜନୀ ଓ ମହାନିର୍ବାଣୀ ଆଖଡ଼ା ଭିତରେ ସହମତି ଓ ଆପୋଷ ଆଲୋଚନା ଦ୍ୱାରା ଅଷ୍ଟ କୌଶଳ ନିର୍ବାଚନ ହୋଇଥିଲା । ନିରଞ୍ଜନୀ ଆଖଡ଼ାରେ ରବୀନ୍ଦ୍ରପୁରୀ ପୁନର୍ବାର ଶ୍ରୀମହନ୍ତ ଭାବେ ମନୋନୀତ ହୋଇଛନ୍ତି । ଏହି ନିର୍ବାଚନ ଛଅ ବର୍ଷ ପରେ ଅନୁଷ୍ଠିତ ହୋଇଛି । 
ସେହିପରି ବାରାଣାସୀରେ ଜୁନା ଆଖଡ଼ାର ଅଷ୍ଟକୌଶଳ ଓ ସଚିବ ପଦବୀ ନିମିତ୍ତ ନିର୍ବାଚନ ହେବ । ଅନ୍ୟ ଆଖଡ଼ା ତୁଳନାରେ ଏହି ଆଖଡ଼ାର କାର୍ଯ୍ୟକାରିଣୀ ସମୟ ତିନିବର୍ଷ । ଏହି ଅଷ୍ଟକୌଶଳ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସମସ୍ତ ଗତିବିଧିକୁ ସମ୍ଭାଳିବେ । କିଛି ଆଖଡ଼ାରେ ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଛି । ଆଖଡ଼ା କ୍ଷେତ୍ରର ଏହା ହେଉଛି ଏକ ସ୍ୱତନ୍ତ୍ରତା ଏବଂ ମୋକ୍ଷ ରାସ୍ତାରେ ଅଗ୍ରସର ହେଉଥିବା ଆଖଡ଼ାର ସିଦ୍ଧ ସାଧକ ମାନଙ୍କର ମଧ୍ୟ ଅନ୍ୟ ଏକ ପ୍ରମୁଖ କାର୍ଯ୍ୟ ସନ୍ନ୍ୟାସ ଜୀବନକୁ ନିୟମ ଅନୁସାରେ ସମୂହ ମଧ୍ୟରେ ଆବଣ୍ଟନ କରିବା । ତେବେ ଯେବେ ଠାରୁ ସାଧୁସନ୍ଥଙ୍କୁ ଏକତ୍ର କରି ଆଖଡ଼ା, ମଠ ଆଦି ଗଠନ କରାଗଲା ସନ୍ନ୍ୟାସୀ ମାନଙ୍କୁ ମଧ୍ୟ ସେହି ସଂଗଠନର ନିୟମ ମାନି ଚଳିବାକୁ ହେଲା । ଆଖଡ଼ା ଓ ମଠର ସେହି ସବୁ ସାଧୁମାନେ ନୈତିକ, ବୌଦ୍ଧିକ, ଜ୍ଞାନ ଅଧିକାରୀ ହୋଇ ନିୟମାନୁବର୍ତ୍ତୀ ଜୀବନ ଶୈଳୀ ପ୍ରତିଫଳନ କରିଥାନ୍ତି ଯାହା କୁମ୍ଭମେଳାରେ ଦେଖିବାକୁ ମିଳିଥାଏ । 
ସୌମ୍ୟ ସାଇ ସିଦ୍ଧାର୍ଥ,ମୋ: ୯୦୯୦୦୫୧୫୪୩