ଶୈଖିକ ପରିବେଶ ଓ ରାଷ୍ଟ୍ର ନିର୍ମାଣ 

ମୀରା ବେଉରା : ଗୁରୁଙ୍କ କୃପା ଯାହା ଉପରେ ଥାଏ ସେ କଦାପି ଜୀବନ ଯୁଦ୍ଧରେ ବିଫଳ ହୁଏ ନାହିଁ । ସଫଳତା ତା’ର ପଛେ ପଛେ ତାକୁ ଅନୁଧାବନ କରେ । ଶିକ୍ଷକମାନଙ୍କର ଅଥବା ଗୁରୁମାନଙ୍କ ଭୂମିକା ଆମ୍ଭମାନଙ୍କ ଜୀବନର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମେ ଏହି ଗୁରୁମାନଙ୍କଠାରୁ କେବଳ ବିଦ୍ୟାଳୟ ମହାବିଦ୍ୟାଳୟରେ ଶିକ୍ଷା ପାଇନଥାଉ ବରଂ ଜୀବନରେ ସଫଳତାର ସହ ବଞ୍ôଚବା ପାଇଁ ଯେଉଁ ନୈତିକ ମୂଲ୍ୟବୋଧ, ସାମାଜିକ ପ୍ରତିଶ୍ରୁତିବଦ୍ଧତା, ସଦ୍‌ ଗୁଣାବଳୀ ଏବଂ ସତ୍‌ ବ୍ୟବହାରର ଆବଶ୍ୟକତା ହୁଏ ତାହା କେବଳ ଗୁରୁ ହିଁ ପରିପୂରଣ କରିଥାନ୍ତି । ଜଣେ ଗୁରୁଙ୍କ ପାଖରେ ଏତେ ଶକ୍ତି ଅଛି ଯେ ସେ ଆମକୁ ଅନ୍ଧକାରରୁ ଆଲୋକକୁ ଏବଂ ଅଜ୍ଞାନରୁ ଜ୍ଞାନାଲୋକ ଆଡ଼କୁ ନେଇ ଯାଇଥାନ୍ତି । ସେମାନଙ୍କ ଭିତରେ ଅସୀମ ଶକ୍ତି ଥାଏ ଯେଉଁ ଶକ୍ତି କି ଆମ ଜୀବନକୁ ପରିବର୍ତ୍ତନ କରି ଆମ ଭିତରେ ଜ୍ଞାନର ଉପଲବ୍ଧି ଭରି ଦେଇଥାଏ । ଗୁରୁଙ୍କୁ ସମ୍ମାନ ଦେବା ଦ୍ୱାରା ଗୁରୁଙ୍କ କୃପା ପାଇ ଜୀବନରେ ସଫଳତା ପ୍ରାପ୍ତ କରିଥାଉ ।


ପ୍ରକୃତରେ ଗୁରୁ ହିଁ କଷ୍ଟ ପାଠକୁ ଅତି ସହଜ ଏବଂ ସରଳଭାବରେ ଛାତ୍ର ପାଖରେ ପହଁଞ୍ଚାଇଥାଆନ୍ତି । ଆମ୍ଭମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟା ଦେଖାଯାଏ, ଆମ ଜୀବନକୁ ସରଳ, ସରସ, ସୁନ୍ଦର କରି ଏହି ଗୁରୁ ହିଁ ବଞ୍ôଚବାର କଳା ଆମକୁ ଶିଖାଇ ଆମ ଜୀବନର ପଥପଦର୍ଶନ ସାଜିଥାନ୍ତି । ଗୁରୁ ସବୁବେଳେ ଶିଷ୍ୟକୁ ଆଗକୁ ଯିବା ପାଇଁ ପ୍ରୋତ୍ସାହିତ କରିଥାନ୍ତି । ଛାତ୍ରମାନଙ୍କୁ ବିଭିନ୍ନ ପ୍ରୋତ୍ସାହିତ ପୂର୍ଣ୍ଣ ଶବ୍ଦ ପ୍ରୟୋଗ କରି ଆଗକୁ ପ୍ରେରିତ କରିଥାନ୍ତି । ଜୀବନରେ ପ୍ରତିଟି ପାହାଚରେ କେବଳ ଗୁରୁଙ୍କ ଆଶୀର୍ବାଦ ହିଁ ଆମକୁ ସଫଳତା ପାଇବା ପଛରେ କାର୍ଯ୍ୟ କରିଥାଏ । ଆତ୍ମବିଶ୍ୱାସର ମଞ୍ଜି ହିଁ ଏହି ଗୁରୁ ରୋପଣ କରିଥାନ୍ତି ଛାତ୍ରମାନଙ୍କ ହୃଦୟରେ । ପ୍ରକୃତରେ ଗୁରୁ ହେଉଛନ୍ତି ଏ ସମାଜର, ଏ ରାଷ୍ଟ୍ରର ପ୍ରକୃତ ନିର୍ମାତା । କୋଠାରୀ କମିଶନ ମଧ୍ୟ କହେ ରାଷ୍ଟ୍ର ନିର୍ମାଣ ହୁଏ ଶ୍ରେଣୀ ଗୃହରେ ।  ଶିକ୍ଷକତା ଏଭଳି ଏକ ବୃତ୍ତି ଯେଉଁ ବୃତ୍ତିକୁ କି ଆଧାର କରି ଜଣେ ଶିକ୍ଷକ ଇଞ୍ଜିନିୟର, ଡାକ୍ତର, ସୈନିକ, ପୋଲିସ ଅଫିସର, କୃଷକ, ବୈଜ୍ଞାନିକ, ନ୍ୟାୟାଧୀଶ ଆଦି ଅନେକ ବୃତ୍ତିଧାରୀ ଲୋକଙ୍କୁ ନିର୍ମାଣ କରିବାକୁ ସକ୍ଷମ ହୋଇଥାନ୍ତି । ଗୁରୁ ତାଙ୍କର ଜ୍ଞାନ, ଅଧ୍ୟବସାୟ, ନିଷ୍ଠା, ସାଧନା, ଆଦର୍ଶ, ବ୍ୟବହାର ମାଧ୍ୟମରେ ଗୋଟିଏ ଉତ୍ତମ ଛାତ୍ର ଗଠନ କରିବାକୁ ସକ୍ଷମ ହୋଇଥାଏ । ଯୁଗେ ଯୁଗେ ଗୁରୁ ଅମର ଗୁରୁ ପୁଣି ବ୍ରହ୍ମା, ଗୁରୁ ପୁଣି ବିଷ୍ଣୁ ଗୁରୁ ସାକ୍ଷାତ୍‌ ପରମେଶ୍ୱର । ଗୁରୁସାକ୍ଷାତ୍‌ ପରମବ୍ରହ୍ମ, ତସୈଶ୍ରୀ ଗୁରୁବେ ନମଃ । ଶ୍ରୀକୃଷ୍ଣଙ୍କ ଗୁରୁ ଥିଲେ ଗୁରୁ ସନ୍ଦୀପନି । ପ୍ରଭୁ ଶ୍ରୀରାମଙ୍କ ଗୁରୁଥିଲେ ମହର୍ଷି ବଶିଷ୍ଠ । ଅଷ୍ଟବକ୍ର ଥିଲେ ଜନକଙ୍କ ଗୁରୁ । ଗୁରୁ ଦ୍ରୋଣାଚାର୍ଯ୍ୟ ଥିଲେ ଏକଲବ୍ୟଙ୍କ ଗୁରୁ । ସକ୍ରେଟିସ୍‌ ଥିଲେ ପ୍ଲାଟୋଙ୍କ ଗୁରୁ । ପ୍ରକୃତରେ ଗୁରୁ ହିଁ ସାକ୍ଷାତ ଈଶ୍ୱର । ଯଦି ଗୁରୁ ଏବଂ ଈଶ୍ୱର ଏକାଠି ରହିଛନ୍ତି । ତେବେ ଗୁରୁଙ୍କୁ ପ୍ରଥମେ ପ୍ରଣାମ କରିବାକୁ ହେବ । 


ସତରେ ଜୀବନର ଘଡ଼ିସନ୍ଧୁ ମୁହୂର୍ତ୍ତରେ ଆମକୁ ପ୍ରେରଣା ଦିଅନ୍ତି ଏହି ଶିକ୍ଷକ ସମାଜ । ସମସ୍ତ ଛାତ୍ର ହେଉଛନ୍ତି ଗୋଟିଏ ଗୋଟିଏ ପଥର ସଦୃଶ । ତାଙ୍କୁ ସୁନ୍ଦର ମୂର୍ତ୍ତିରେ ପରିଣତ କରନ୍ତି ଏହି ଶିକ୍ଷକ । ଗୋଟିଏ ପିଢ଼ିରୁ ଆଗଧାଢ଼ିକୁ ଜ୍ଞାନ ଦେବାର ଦାୟିତ୍ୱ ହେଉଛି ଶିକ୍ଷକ ସମାଜର, ଛାତ୍ରକୁ ତାର ଲକ୍ଷ୍ୟ ସମ୍ପର୍କରେ ସଚେତନ କରି ତାର ଲକ୍ଷ୍ୟସ୍ଥଳରେ ପହଁଞ୍ଚାଇବାର ଗୁରୁଦାୟିତ୍ୱ ହେଉଛି ଶିକ୍ଷକମାନଙ୍କର । ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରି ତାଙ୍କୁ ସମାଜର ଉନ୍ନତିପଥରେ ଆଗେଇ ନିଅନ୍ତି ଏହି ଶିକ୍ଷକ ସମାଜ । ପ୍ରଥମେ ପିଲାଟି ତାର ପରିବେଶରୁ ହିଁ ଶିକ୍ଷାଲାଭ କରିଥାଏ । ଜୀବନରେ ପିତାଙ୍କର ଗୁରୁତ୍ୱ ଯେତିକି ଅଛି, ଶିକ୍ଷକର ମଧ୍ୟ ଆବଶ୍ୟକତା ଠିକ୍‌ ସେତିକି ଅଛି । ଆଜି ଆମେ ଜାଣିବା ଉଚିତ୍‌ ଯେ କେବଳ ଶିକ୍ଷା ହିଁ ଦେଶର ତଥା ସମାଜର, ଛାତ୍ରଛାତ୍ରୀମାନଙ୍କର ଆର୍ଥିକ, ନୈତିକ, ସାମାଜିକ ପରିବର୍ତ୍ତନ ଆଣିବାକୁ ସକ୍ଷମ ହୋଇଥାଏ । ଆମ ଜୀବନକୁ ସଜାଡ଼ି ଆମକୁ ଉଚ୍ଚତମ ସୋପାନକୁ ନେଇଯିବାର ଭୂମିକା କେବଳ ଉତ୍ତମ ଶିକ୍ଷକମାନେ ହିଁ କରିଥାନ୍ତି । ଭଲ ମଣିଷ ତିଆରି କରିବାର ଭୂମିକା ମଧ୍ୟ ଏହି ଶିକ୍ଷକ ସମାଜ ହାତରେ ନ୍ୟସ୍ତ ଥାଏ । ପ୍ରକୃତରେ ଶିକ୍ଷକମାନେ ହେଉଛନ୍ତି । ଏ ରାଷ୍ଟ୍ରର ତଥା ଆମ ସମାଜର ପ୍ରକୃତ ନିର୍ମାଣକର୍ତ୍ତା । 


ମୋ:୯୮୫୩୩୫୦୩୮୪