ପ୍ରଥମ ପର୍ଯ୍ୟାୟ ବିହାର ନିର୍ବାଚନ : ୧୨୧ ଆସନରେ ସରିଲା ଭୋଟ
- ଦୁଇ ଉପ-ମୁଖ୍ୟମନ୍ତ୍ରୀ, ତେଜସ୍ୱୀ ଓ ତେଜପ୍ରତାପଙ୍କ ଭାଗ୍ୟ ସିଲ୍
- ୬୪.୬୬ % ମତଦାନ
- ବିହାର ଉପମୁଖ୍ୟମନ୍ତ୍ରୀଙ୍କ କର୍ଡନ ଉପରେ ଆକ୍ରମଣ
ବିହାର : ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ହୋଇଛି । ୨୪୩ ବିଧାନସଭା ଆସନ ମଧ୍ୟରୁ ୧୮ ଜିଲ୍ଲାର ୧୨୧ ଆସନରେ ଭୋଟ୍ ଗ୍ରହଣ ହୋଇଛି । ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ନିର୍ଦ୍ଧାରଣ କରିଛନ୍ତି ୩.୭୫ କୋଟି ଭୋଟର । ଭାରତୀୟ ଜନତା ପାର୍ଟି ଓ ଜନତା ଦଳ (ସଂଯୁକ୍ତ) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ, ରାଷ୍ଟ୍ରୀୟ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସ ନେତୃତ୍ୱାଧୀନ ମହାଗଠବନ୍ଧନ ଏବଂ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି । ଭୋଟ୍ ଗ୍ରହଣ ସକାଳ ୭ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟାରେ ଶେଷ ହୋଇଥିଲା । କିଛି ସ୍ଥାନରେ ସନ୍ଧ୍ୟା ୫ ଟାରେ ଭୋଟ ଶେଷ ହୋଇଥିଲା । ରେକର୍ଡ ୬୪.୬୬ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି । ଯାହା ବିହାର ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଆଜି ସେମାନଙ୍କ ମତଦାନ କରିଛନ୍ତି ।
ଗତ ନିର୍ବାଚନ ତୁଳନାରେ ଏଥର ୫ ପ୍ରତିଶତ ଭୋଟ ହାର ବଢିଛିି । ୪୫,୩୪୧ ମତଦାନ କେନ୍ଦ୍ରରେ ମତଦାନ ହୋଇଥିଲା, ଯେଉଁଥିରୁ ୩୬,୭୩୩ ଗ୍ରାମାଞ୍ଚଳରେ ରହିଛି । ମୋଟାମୋଟି ଭାବେ ପ୍ରଥମ ପର୍ଯ୍ୟାୟ ଭୋଟ କାଁ ଭାଁ ଗଣ୍ଡଗୋଳକୁ ଛାଡି ଦେଲେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ୩.୭୫ କୋଟି ଭୋଟରଙ୍କ ମଧ୍ୟରୁ ୧୦.୭୨ ଲକ୍ଷ ‘ନୂତନ ଭୋଟର' ଥିଲେ । ଏହି ହାଇ-ପ୍ରୋଫାଇଲ୍ ପ୍ରତିଦ୍ୱନ୍ଦ୍ୱିତାରେ ରାଘୋପୁରରେ ଆରଜେଡିର ତେଜସ୍ୱୀ ଯାଦବ ଓ ତାରାପୁରରେ ବିଜେପି ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ଅନେକ ଶୀର୍ଷ ନେତା ଅଛନ୍ତି । ଲଗାତାର ତୃତୀୟ ବିଜୟ ପାଇଁ ଯାଦବଙ୍କ ମୁକାବିଲା ବିଜେପିର ସତୀଶ କୁମାରଙ୍କ ସହ ହେଉଛି । ଯିଏ ତାଙ୍କ ମାଆ ରାବ୍ରୀ ଦେବୀଙ୍କୁ ପରାସ୍ତ କରିଥିଲେ । ତାଙ୍କ ବଡ଼ ଭାଇ ତେଜ ପ୍ରତାପ ଯାଦବ ତାଙ୍କ ନୂତନ ଦଳ ଜନଶକ୍ତି ଜନତା ଦଳ ଅଧୀନରେ ମହୁଆରୁ ଆରଜେଡିର ମୁକେଶ ରାଉଶନଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଲଖିସରାଇରେ ଚତୁର୍ଥ କ୍ରମାଗତ ବିଜୟ ପାଇଁ ନଜର ରଖିଛନ୍ତି । ବିଜେପିର ମଙ୍ଗଳ ପାଣ୍ଡେ ସିୱାନରୁ ତାଙ୍କର ପ୍ରଥମ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି । ଜେଲରେ ଥିବା ଜେଡି(ୟୁ) ନେତା ଅନନ୍ତ ସିଂହ ଆରଜେଡିର ବୀଣା ଦେବୀଙ୍କ ସହ ମୁହାଁମୁହିଁ ହେଉଥିବାରୁ ମୋକାମା ଆସନଟି ଦୃଷ୍ଟି ଆକର୍ଷଣ କରିଛି । ଗାୟିକା ମୈଥିଳୀ ଠାକୁର ଏବଂ ଭୋଜପୁରୀ ଅଭିନେତା ଖେସାରି ଲାଲ ଯାଦବଙ୍କ ଭଳି ନୂଆ ପ୍ରାର୍ଥୀ ମଧ୍ୟ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ।
ଅପରପକ୍ଷରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଲଖିସରାଇ ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କର୍ଡନ ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ପଥର, ଗୋବର ଓ ଚପଲ ଫିଙ୍ଗିଥିଲେ । ବିଜେପି ଏହି ଆକ୍ରମଣ ପାଇଁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଉପରେ ଅଭିଯୋଗ ଆଣିଛି । ଲଖିସରାଇ ଆସନରୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ତିନି ଥର ବିଧାୟକ ସିହ୍ନା ଦାବି କରିଛନ୍ତି ଯେ ଖୋରିଆରି ଗାଁକୁ ତାଙ୍କ ଗସ୍ତକୁ ରୋକିବା ପାଇଁ ଆରଜେଡି ସମର୍ଥକମାନେ ଏହି ଆକ୍ରମଣ କରିଥିଲେ ।
ଘଟଣାର ଦୃଶ୍ୟରେ ଦେଖାଯାଇଛି ଯେ ଏକ ଭିଡ଼ ସିହ୍ନାଙ୍କ ଗାଡ଼ିକୁ ଘେରି ରହିଛି, ସ୍ଲୋଗାନ ଦେଉଛି ଏବଂ ତାଙ୍କ ସୁରକ୍ଷା କର୍ଡନକୁ ଆଗକୁ ବଢ଼ିବାକୁ ବାଧା ଦେଉଛି । ଅନେକ ଲୋକ ‘ମୁର୍ଦ୍ଦବାଦ' ସ୍ଲୋଗାନ ଦେଉଥିବା ଶୁଣୁବାକୁ ମିଳୁଥିବା ବେଳେ ବିଜେପି ନେତାଙ୍କ କର୍ଡନକୁ ଗାଁରେ ପ୍ରବେଶ କରିବାକୁ ବାଧା ଦେଉଥିବାର ଦେଖା ଯାଉଛି । ଏମାନେ ଆରଜେଡିର ଗୁଣ୍ଡା । ସେମାନେ ଜାଣନ୍ତି ଯେ ଏନଡିଏ ପୁଣି କ୍ଷମତାକୁ ଫେରୁଛି, ତେଣୁ ସେମାନେ ଗୁଣ୍ଡାଗିରି କରିଛନ୍ତି । ସେମାନେ ମୋର ପୋଲିଂ ଏଜେଣ୍ଟଙ୍କୁ ଫେରାଇ ଦେଇଥିଲେ ଏବଂ ତାଙ୍କୁ ଭୋଟ ଦେବାକୁ ଦେଇ ନଥିଲେ । ଖୋରିଆରିର ୪୦୪ ଏବଂ ୪୦୫ ବୁଥରେ ସେମାନଙ୍କର ଆଚରଣ ଦେଖନ୍ତୁ ବୋଲି ସିହ୍ନା କହିଛନ୍ତି । ସିହ୍ନା ଜିଲ୍ଲା ପୁଲିସକୁ "କାପୁରୁଷ ଏବଂ ଦୁର୍ବଳ’ ବୋଲି କହି କେନ୍ଦ୍ରୀୟ ବାହିନୀ ନିୟୋଜିତ କରିବାକୁ ଦାବି କରିଥିଲେ । ପୁଲିସ କହିଛି ଯେ ଏହା ସ୍ଥାନୀୟ ଗ୍ରାମବାସୀଙ୍କ ପ୍ରତିବାଦ ଥିଲା ଏବଂ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଘଟଣାର ପ୍ରତିକ୍ରିୟା ଦେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ କାହାକୁ ଆଇନ ଶୃଙ୍ଖଳା ଭଙ୍ଗ କରିବାକୁ ଦିଆଯିବ ନାହିଁ ଓ ଅସାମାଜିକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିହାର ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।