ପ୍ରଧାନମନ୍ତ୍ରୀ ସଡକ ଅବସ୍ଥା ଶୋଚନୀୟ
ବେତନଟୀ : ବେତନଟୀ ଆରଡ଼ି ଉପଖଣ୍ଡ ଅଧିନସ୍ଥ ୧୮ ନମ୍ବର ଜାତୀୟ ରାଜପଥ ଛୁରୁଣୀ ଛକ ଠାରୁ ମଣତାପାଳ ୯.୫ କିମି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୦୧୭ ମସିହାରେ ନିର୍ମାଣ ହୋଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ପାଞ୍ଚଟି ଗ୍ରାମ ପଞ୍ଚାୟତକୁ ସଂଯୋଗ ଥିବା ହେତୁ ରାସଗୋବିନ୍ଦପୁର ବ୍ଲକ ସହିତ ମଧ୍ୟ ସଂଯୋଗ କରୁଥିବା କାରଣରୁ ଏହି ରାସ୍ତାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ମାତ୍ର ବେତନଟୀ ସେକ୍ସନ ୧ ଅଧିନସ୍ଥ ଏହି ଛୁରୁଣୀ ମଣତାପାଳ ୯.୫ କମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ମରାମତି ନ ହେବା କାରଣରୁ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ରାସ୍ତା ଫାଟି ମେଟାଲ ବାହାରି ଯିବା ସହିତ ପିଚୁ ଉଠି ଗଲାଣି । ସାମନ୍ୟ ବର୍ଷା ହେଲେ ରାସ୍ତାରେ ସୃଷ୍ଟି ହୋଇଥିବା ଗାତମାନଙ୍କରେ ପାଣି ଭର୍ତ୍ତି ହେବା ଯୋଗୁଁ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେବା ସହିତ ଦୁର୍ଘଟଣା ମଧ୍ୟ ଘଟୁଛି । ଯେଉଁ ଠିକାଦାର ଏହି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଟେଣ୍ଡର ନେଇଥିଲେ ତାଙ୍କ ନିର୍ମାଣ କାର୍ଯ୍ୟ ଶେଷ ହେବାର ଦୁଇ ବର୍ଷ ପର ଠାରୁ ରାସ୍ତାର ପିଚୁ ଉଠିବ ପରେ ରାସ୍ତା ଫାଟି ଯାଇଥିଲା । ଏହି ରାସ୍ତା ଦେଇ ପ୍ରତିଦିନ ଧାନ ଚାଉଳ ବୋଝେଇ ଟ୍ରକ ଚୋରା ବାଲି ମାଟି ମେଟାଲ ଟ୍ରକ ଟ୍ରାକ୍ଟର ଡମ୍ପର ସୁବର୍ଣ୍ଣରେଖା କେନାଲର ଦୁଇଟି ମୁଖ୍ୟ ଓ ବ୍ରାଞ୍ଚ କେନାଲ ପାଇଁ ବିଭିନ୍ନ ଓଜନଦାର ଜିନିଷର ପରିବହନରେ ନିୟୋଜିତ ଯାନ ବାହନ ଚଳାଚଳ ପାଇଁ ରାସ୍ତା ନଷ୍ଟ ହୋଇଥିବା କୁହାଯାଇଛି । ଏହା ବ୍ୟତୀତ ଇଟା ବାଲି ଚିପ୍ସ ରଡ ମେଟାଲର ଚୋରା ଗାଡ଼ି ଦୈନିକ ଶହ ଶହ ସଂଖ୍ୟାରେ ଚଳାଚଳ କରିବା ହେତୁ ଓଜନ ସମ୍ଭାଳି ନ ପାରି ରାସ୍ତା ଫାଟି ଯାଇଛି । ଗାଡି ଗୁଡିକର କ୍ଷମତା ଠାରୁ ଅଧିକ ଓଜନଦାର ଯାନ ବାହାନ ଯୋଗୁଁ ଏହି ରାସ୍ତା ସହିତ ଅନ୍ୟାନ୍ୟ ପ୍ରଧାନମନ୍ତ୍ରୀ ଗ୍ରାମ ରାସ୍ତାଗୁଡ଼ିକ ନଷ୍ଟ ହେଉଥିଲେ ସୁଦ୍ଧା ସାଧାରଣ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଠିକାଦାର ଚୋରା ଲଘୁ ଖଣିଜ ଦ୍ରବ୍ୟ ପରିବହନକାରୀ ଓ ଚୋରା ବେପାରୀମାନେ ଉପକୃତ ହେଉଥିବା ବେଳେ ଟେଣ୍ଡର ନେଇ କାମ କରୁଥିବା ଠିକାଦାରଙ୍କ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ରାସ୍ତା ନଷ୍ଟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଆସିଷ୍ଟାଣ୍ଟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ହୀନତା ଓ ଅନୁକମ୍ପା ପାଇଁ ନିର୍ମାଣ କାର୍ଯ୍ୟ ଠିକାଦାର ଠିକ ଭାବେ କରିନଥିବା ଅଭିଯୋଗ ହୋଇଛି । ଏଣୁ ଏହି ଛୁରୁଣୀ ମଣତା ପାଳ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ତୁରନ୍ତ ମରାମତି ପାଇଁ ଦଶଟି ଗ୍ରାମ ପଞ୍ଚାୟତର ଲୋକେ ଦାବି କରିଛନ୍ତି ।