୬ ବାଇକ ଲୁଟେରା ଗିରଫ  : ଇନଷ୍ଟାଗ୍ରାମ ପୋଷ୍ଟରୁ ଗିରଫ ହେଲେ ଲୁଟେରା

 ସାରସକଣା  : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଖଡିଆଶୋଳ ଗ୍ରାମର ଅଭିଷେକ ପାତ୍ର ନାମକ ବ୍ୟକ୍ତିଙ୍କ ମଟରସାଇକେଲଟି ଏପ୍ରିଲ ମାସ ୫ରେ କିଛି ଦୁର୍ବୃତ୍ତ ଚୋରୀ କରି ନେଇଥିଲେ । ଯାହାକୁ ନେଇ ଝାରପୋଖରୀଆ ଥାନାରେ ୮୬/୨୫ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲୁ ରହିଥିଲା । ଯାହାକୁ ନେଇ ତଦନ୍ତ ପରେ ଶନିବାର ୬ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂଚନା ମୁତାବକ, ଗତ ଏପ୍ରିଲ ମାସ ୫ ତାରିଖ ରାତ୍ରିରେ ଖଡିଆଶୋଳ ଗ୍ରାମରୁ ବାରିପଦା ଅଞ୍ଚଳର ବଜ୍ରତୁଣ୍ଡି ଗ୍ରାମର ଜଗନ୍ନାଥ ମହାନ୍ତ (୨୫) ଓ ବାରିପଦା ଦେଉଳସାହିର ସିଧେଶ୍ୱର ବାରିକ (୨୨) ନାମକ ଦୁଇ ବ୍ୟକ୍ତି ମଟରସାଇକେଲ ଚୋରୀ କରି ନେଇଥିଲେ ।  କେସିପୁର ଅଞ୍ଚଳର ଗୋପାଳ ମୁର୍ମୁ (୪୩) ନାମକ ବ୍ୟକ୍ତି ଜଣଙ୍କ ଉକ୍ତ ମଟରସାଇକେଲକୁ ବିଭିନ୍ନ ପ୍ରକାର ରୂପ ବଦଳାଇଥିଲେ ଶଙ୍ଖାଭଙ୍ଗା ଅଞ୍ଚଳର ଦେବଚାର୍ଯ୍ୟ ଘୋଷ (୨୧)  ନାମକ ଯୁବକଙ୍କୁ ବିକ୍ରି କରିଥିଲେ । ତେବେ ସବୁଠାରୁ କୌତୁକର ବିଷୟ ମଟରସାଇକେଲ କିଣିବା ଖୁସିକୁ ବ୍ୟକ୍ତ କରିବାପାଇଁ ଯୁବକ ଜଣଙ୍କ ନିଜ ଇନଷ୍ଟାଗ୍ରାମ ଆଇଡିରେ  ଚୋରୀ ମଟରସାଇକେଲ ପୋଷ୍ଟ କରିଥିଲେ । ଏହାକୁ ନେଇ ପୁଲିସର ତଦନ୍ତ କରି ମଟରସାଇକେଲ କିଣିଥିବା ବ୍ୟକ୍ତିଙ୍କୁ ପଚାରାଉଚୁରା କରି ଅପରାଧୀକୁ ଧରିବାରେ ସଫଳ ହୋଇଥିଲେ  । ଗୋପାଳ ମୁର୍ମୁ ଗାଡିର ନମ୍ବର ବଦଳାଇ ପୁଣି ଉକ୍ତ ବାଇକକୁ କେସିପୁର ଅଞ୍ଚଳର ଆକାଶ ଆଣ୍ଟନି ଓ ଲୋରେନ୍ସ ଆଣ୍ଟନି ନାମକ ଦୁଇ ଭାଇଙ୍କୁ ଉକ୍ତ ଗାଡିକୁ ବିକ୍ରି କରିଥିଲେ । ପୁଲିସ ଦେବଚାର୍ଯ୍ୟ ଘୋଷଙ୍କୁ ଧରିବା ସହ ଚାପ ପକାଇବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା ଏବଂ ଘଟଣାରେ ଯୋଡ଼ିତ ଉକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଝାରପୋଖରୀଆ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ତେବେ ସମସ୍ତ ଚୋରୀ, ଡକାୟତି ଘଟଣାର ତଦନ୍ତ ଚାଲିଥିବା ନେଇ ଥାନାଧିକାରୀ ପ୍ରଭୂକଲ୍ୟାଣ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।