ମାଟ୍ରିକ୍ ପରୀକ୍ଷା ପାଇଁ ଆବାସିକ କର୍ମଶାଳା;୪୭୬ ଛାତ୍ରଛାତ୍ରୀ ନେଲେ ଶିକ୍ଷା କୋଚିଂ 

ମାଟ୍ରିକ୍ ପରୀକ୍ଷା ପାଇଁ ଆବାସିକ କର୍ମଶାଳା;୪୭୬ ଛାତ୍ରଛାତ୍ରୀ ନେଲେ ଶିକ୍ଷା କୋଚିଂ 

ଢେଙ୍କାନାଳ:  ଆଗାମୀ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ନିମନ୍ତେ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ତତ୍ତ୍ୱାବଧାନରେ ୫ଦିନିଆ ଆବାସିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଢେଙ୍କାନାଳଙ୍କ ତତ୍ତ୍ୱାବଧାନରେ  ୮ଟି ବ୍ଲକରେ ଆବାସିକ ଭିତ୍ତିରେ ଜିଲ୍ଲାର ୪୭୬ ଜଣ ଏ-୧ ଆଶାୟୀ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତ୍ୟେକ ବ୍ଲକ ପାଇଁ ରିମେଡିଆଲ୍ କୋଚିଂ କ୍ଲାସ୍ ଆୟୋଜନ କରାଯାଇଥିଲା । କୋଚିଂ କ୍ଲାସ ଗୁଡିକରେ ବ୍ଲକର ଚୟନିତ ଦକ୍ଷ ଶିକ୍ଷକମାନେ ସଂପୃକ୍ତ ବ୍ଲକର ଚୟନିତ ଛାତ୍ରଛାତ୍ରୀମାନଙ୍କୁ ପାଠ ମନେ ରଖିବାର ବିଭିନ୍ନ କୌଶଳ ଓ ପ୍ରଣାଳୀ ସଂପର୍କରେ ଶିକ୍ଷାପ୍ରଦାନ କରିଥିଲେ । ପାଞ୍ଚ ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ଓଡିଆ, ଇଂରାଜୀ, ତୃତୀୟ ଭାଷା (ହିନ୍ଦୀ,ସଂସ୍କୃତ) ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନର ଶିକ୍ଷାଦାନ ପାଇଁ ପ୍ରତି ବିଷୟ ନିମନ୍ତେ  ୪ ଜଣ ଲେଖାଏଁ ଦକ୍ଷ ବିଷୟ ଶିକ୍ଷକ ପ୍ରତ୍ୟେକ ବ୍ଲକ ପାଇଁ ନିୟୋଜିତ ହୋଇଥିଲେ । ସେହିପରି ଯୋଗ ଓ ଶାରିରୀକ ଶିକ୍ଷା ନିମନ୍ତେ ପ୍ରତ୍ୟେକ ବ୍ଲକ ପାଇଁ ୨ ଜଣ ଲେଖାଏଁ କ୍ରୀଡା ଶିକ୍ଷକ ନିୟୋଜିତ ହୋଇଥିଲେ । ଏହିପରି ଭାବରେ ପ୍ରତ୍ୟେକ ବ୍ଲକ ପାଇଁ ୨୬ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଜିଲ୍ଲା ପାଇଁ ୨୦୮ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ । 
ଆବାସିକ କୋଚିଂ କ୍ୟାମ୍ପ ଗୁଡିକରେ ପ୍ରତ୍ୟେକ ଦିନ ସକାଳ ୬ ଘଟିକାରୁ ଯୋଗ, ପ୍ରାଣାୟମ ଓ ଧ୍ୟାନ ସହ କ୍ଲାସ ଆରମ୍ଭ ହୋଇ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲୁଥିଲା । ପ୍ରତ୍ୟେକ ଦିନ ପ୍ରତି ବିଷୟରେ ଅଭିଜ୍ଞ ଶିକ୍ଷକମାନେ ପିଲାମାନଙ୍କର ସନେ୍ଦହ ମୋଚନ କରିବା ସହ ସଂପୃକ୍ତ ବିଷୟ ଗୁଡିକରେ କିଭଳି ଶତପ୍ରତିଶତ ନମ୍ବର ରଖିପାରିବେ ସେ ସଂପର୍କରେ ନୂତନ କୌଶଳ ଓ ଲିଖନ ପ୍ରଣାଳୀ ସଂପର୍କରେ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ । ସମସ୍ତ କ୍ୟାମ୍ପ ଗୁଡିକୁ ବିଭିନ୍ନ ଦିନମାନଙ୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଲକ୍ଷ୍ମୀଧର ମହାନ୍ତ ପରିଦର୍ଶନ କରି ପିଲାମାନଙ୍କୁ ଉତ୍ସାହ ଏବଂ ପ୍ରେରଣା  ପ୍ରଦାନ କରିଥିଲେ । କର୍ମଶାଳାର ଶେଷଦିନରେ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସି ସଚିନ ରାମଚନ୍ଦ୍ର ଯାଦବ ଏବଂ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଧଳପୁର ସରକାରୀ ଉଚ୍ଚ ବିଦ୍ୟାଳୟର କ୍ୟାମ୍ପ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଉଲ୍ଲେଖଯେ, କର୍ମଶାଳା ପାଇଁ ଚୟନିତ ହୋଇଥିବା ଶିକ୍ଷକମାନଙ୍କୁ ଉକ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଜଣାଇବା ନିମନ୍ତେ  ଶିକ୍ଷକମାନଙ୍କୁ ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଡିସେମ୍ବର ୫ ରୁ ୧୩ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।