ମନରେଗାରେ ୧୩ କୋଟିର ଦୁର୍ନୀତି! କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
ନବରଙ୍ଗପୁର : ମନରେଗାରେ କାମ ନ କରି ମିଥ୍ୟା ବିଲ୍ କରି ୧୩ କୋଟିର ଦୁର୍ନୀତି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ବିଭିନ୍ନ ବିଭାଗ ଦ୍ୱାରା ମନରେଗା କାମରେ ୧୩କୋଟି ଟଙ୍କାର ଦୁର୍ନୀତି ନେଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ । ନବରଙ୍ଗପୁର ଜିଲ୍ଲାପାଳଙ୍କ ନାକ ତଳେ ଥିବା ନନ୍ଦାହାଣ୍ଡି ବ୍ଲକରେ ମନରେଗା କାମ ମାଧ୍ୟମରେ ବନ ବିଭାଗ, ଉଦ୍ୟାନ ବିଭାଗ, ମୂର୍ତ୍ତିକା ସଂରକ୍ଷଣ ବିଭାଗ ଓ ବ୍ଲକର ଚାରି ଗୋଟି ବିଭାଗରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଜିଲ୍ଲା ବିଜେଡି । ନନ୍ଦାହାଣ୍ଡି ଏହି ବ୍ଲକରେ ଏହି ଚାରି ବିଭାଗର ୫ ହଜାର ପ୍ରୋଜେକ୍ଟ କରଯାଇଛି । ବ୍ଲକର ଗୋଟିଏ ପଞ୍ଚାୟତ ପୋଡାଲଗୁଡା ଠାରେ ହିଁ ବ୍ଲକର ମନରେଗାରେ ୫୩୬ଟି କାର୍ଯ୍ୟ ହୋଇଥିବା ବେଳେ ସେଥିମଧ୍ୟରେ ୧୨୭ଗୋଟି କାର୍ଯ୍ୟର ତଥ୍ୟ ରଖାଯାଇଛି । ଯାହା କାମ ନ ହୋଇ ମିଥ୍ୟା ବିଲ୍ କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଏହାସହ ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଦ୍ୱାରା ୪୮ଗୋଟି ଗୁହାଳ, ରାସ୍ତା, ନାଳ କାର୍ଯ୍ୟ କାମ ନ ହୋଇ ମିଥ୍ୟା ବିଲ୍ ମାଧ୍ୟମରେ ୩କୋଟି ୨୬ ଲକ୍ଷ ଟଙ୍କାର ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ବନ ବିଭାଗର ବନୀକରଣ, ଭାଲୁ ଗୁମ୍ଫା ନିର୍ମାଣ ଭଳି ୨୪ଗୋଟି କାର୍ଯ୍ୟରେ ୨ କୋଟି ୮୯ର ମିଥ୍ୟା ବିଲ କରାଯାଇ ଦୁର୍ନୀତି ହେବା ସହ ଉଦ୍ୟାନ ବିଭାଗ ଅଧିନରେ ୩୪ଗୋଟି କାର୍ଯ୍ୟ ମିଥ୍ୟା ବିଲ୍ ମାଧ୍ୟମରେ ୫କୋଟି ୮୯ଲକ୍ଷ ଟଙ୍କାର ମହାଦୁର୍ନୀତି ସହ କାର୍ଯ୍ୟ ହୋଇନଥିବା ଅଭିଯୋଗ କରିଛନ୍ତି । ସେହିପରି ମୃତ୍ତିକା ସଂରକ୍ଷଣ ବିଭାଗ ବିଭାଗର ୨୧ଗୋଟି ପୋଖରୀ ନିର୍ମାଣ କରିଥିବା ଦର୍ଶାଯାଇଥିବାବେଳେ କେବଳ ଚାରିଟି ହିଁ ପୋଖରୀ ଖୋଲାଯାଇଛି । ୧୭ଟି ଅଧିକ ପୋଖରୀ ଖୋଳାଯାଇଥିବା ଦର୍ଶାଇ ୫୭ଲକ୍ଷ ୮୦ହଜାର ଟଙ୍କାର ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଚାରି ଗୋଟି ବିଭାଗରେ ୧୨କୋଟି ୬୨ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଯଦି ଅଭିଯୋଗର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନ ହୁଏ, ତେବେ ଆଗାମୀ ଦିନରେ ବିଧାନସଭାରେ ଏହାର ଉସ୍ଥାପନ କରିବା ସହିତ ଜନ ଆନେ୍ଦାଳନର ଚେତାବନୀ ଦେଇଛି ଜିଲ୍ଲା ବିଜେଡି । ଆହୁତ ସାମ୍ୱାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ ମଞ୍ଜୁଳା ମାଝୀ, ଡାବୁଗାଁ ବିଧାୟକ ତଥା ଜିଲ୍ଲା ସଭାପତି ମନୋହର ରନ୍ଧାରୀ, କାଉନ୍ସିଲର ନଗେନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ରବି ପଟ୍ଟନାୟକ, ବରିଷ୍ଠ ନେତା ସରୋଜ ପାତ୍ର, ନଗର ସଭାପତି ପ୍ରମୋଦ କୁମାର ରଥ, ଉତ୍ତମ ତ୍ରିପାଠୀ, ସୁମିତ ପୂଜାରୀ, ଜଗନ୍ନାଥ ବାଘେ,ଜିଲ୍ଲା ପରିଷଦ ସଭ୍ୟ ଅରୁଣ ମିଶ୍ର, ଚନ୍ଦ୍ର ମଲ୍ଲିକଙ୍କ ସହ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।