ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ 

 ବେତନଟୀ : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସାରା ରାଜ୍ୟରେ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ଓ ଶିଶୁବାଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବେତନଟୀ ବ୍ଲକ ଅଧିନ ସଠିଲୋ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ପ୍ରବେଶିକା ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମର ସଚେତନତା ରଥର ଶୁଭାରମ୍ଭ ହୋଇଛି । ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ ବିପ୍ଳବ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବେତନଟୀ ମଣ୍ଡଳ ସଭାପତି ଜୀବନ କୁମାର ପରିଡା, ସମ୍ମାନୀୟ ଅତିଥି ଭାବେ ବେତନଟୀ ୩୫ ଜୋନ ଜିଲ୍ଲାପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ, ସଠିଲୋ ସମିତି ସଭ୍ୟ କିଶୋର ନାୟକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପାଳ ସେନାପତି, ଅପର୍ଣ୍ଣା ସାହୁ, ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରମାକାନ୍ତ ମହାନ୍ତ, ଯୁବନେତା ଚନ୍ଦ୍ରଶେଖର ବେରା, ଶିକ୍ଷୟତ୍ରୀ ରଶ୍ମିତା ଭୂୟାଁ ଉପସ୍ଥିତ ରହି ଅନୁଷ୍ଠାନିକ ଭାବେ ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ । ଏଥିରେ ଅତିଥିମାନେ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପିଲାଙ୍କ ପାଇଁ ପ୍ରବେଶ ଉତ୍ସବ ଓ ବାଲ ବାଟିକା କାର୍ଯ୍ୟକ୍ରମରେ ଛୋଟ ପିଲାଙ୍କୁ ଖଡ଼ିଛୁଆଁ କାର୍ଯ୍ୟକ୍ରମ ବାବଦରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ନୂଆ କରି ପ୍ରବେଶ କରିଥିବା ପିଲାମାନଙ୍କୁ ଅତିଥିଙ୍କ ଦ୍ୱାରା ବହି, ଖାତା, କଲମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଠିଲୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ଅନ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।