ବେଧଡ଼କ ଚାଲିଛି ବାଲି ଚୋରାଚାଲଣ
ବାରଙ୍ଗ : ଗତ କିଛି ଦିନ ହେବ ଭୁବନେଶ୍ୱର ତହସିଲ ଅଧିନସ୍ଥ କଲ୍ୟାଣପୁର ନଦୀ ପଠାରୁ ବେଆଇନ ଚୋରା ବାଲି ଚାଲାଣ ବଢ଼ି ବଢ଼ି ଚାଲିଛି । ରାତି ହେବା ମାତ୍ରେ ବାଲି ମାଫିଆମାନେ ପାଖ ନଦୀପଠାରୁ ବାଲି ଉଠାଇ ଚୋରାଚାଲାଣ କରୁଥିବାର ଜଣାପଡ଼ିଛି । ଯାହାଫଳରେ ସରକାରଙ୍କ ରାଜସ୍ୱ ହାନୀ ଘଟୁଥିବାବେଳେ ବାଲି ମାଫିଆମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଖଣିବିଭାଗର ଦାୟିତ୍ୱରେ ଥିବା ଅଧିକାରୀମାନଙ୍କର ଖାମଖିଆଲି ମନୋଭାବ ଓ ଠିକ୍ ଭାବେ ଚଢାଉ କରାଯାଇନଥିବାରୁ ବାଲି ଚୋରାଚାଲାଣ ଦିନକୁ ଦିନ ବଢି ବଢି ଚାଲୁଥିବା ଅଭିଯୋଗ ହେଉଛି । କେତେବେଳେ ସ୍ଥାନୀୟ ପୁଲିସ ତ ଆଉ କେତେବେଳେ ଖଣିବିଭାଗ ଅଧିକାରୀମାନେ ଲୋକଦେଖାଣିଆ ଭାବେ ଚୋରାରେ ଆସୁଥିବା ଗାଡିକୁ ଧରୁଛି । ଯେଉଁ ଜାଗାରୁ ବାଲି ଆସୁଛି, ସେହି ଜାଗାରେ ଚଢାଉ କରାନଯାଇ ମଝିରେ ମଝିରେ ରାସ୍ତା ଉପରେ ଚଢାଉ କରାଯାଇଥିବାରୁ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଖଣିବିଭାଗ ଅଧିକାରୀମାନେ ଚଢାଉ କରୁନଥିବାରୁ ବାଲି ମାଫିଆମାନେ ବାଲି ନଦୀ ପଠାରୁ ଉଠାଇ ପାଖରେ ବାଲିର ପାହାଡ ଭଳିଆ ଗଚ୍ଛିତ କରି ଚୋରାଚାଲାଣ ହେଉଥିବାର ଦେଖିବାକୁ ମିଳିଛି । କଲ୍ୟାଣପୁର ଗାଁମୁଣ୍ଡରେ ବେଆଇନ ଭାବେ ନଦୀରୁ ବାଲି ଉଠା ଚାଲିଛି, ଯାହାଫଳରେ ସରକାରଙ୍କର ରାଜସ୍ୱ କ୍ଷତି ହେବା ସହ ଅନ୍ୟପଟେ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି । ଏ ବିଷୟରେ ଅଞ୍ଚଳବାସୀ ପ୍ରଶାସନକୁ ଅବଗତ କରିବା ପରେ ବି କିଛି ସୁଫଳ ମିଳିପାରୁ ନାହିଁ । ବରଂ ବାଲି ମାଫିଆମାନେ ଦିନ ଦ୍ୱିପ୍ରହରରେ ନିର୍ବିଘ୍ନରେ ଟ୍ରାକ୍ଟର ଓ ହାଇୱା ଗାଡ଼ିରେ ବାଲି ଉଠାଇ ଚଢ଼ାଦରରେ ବିକ୍ରି କରି ଚାଲିଛନ୍ତି । ଖଣି ବିଭାଗର କୌଣସି ଅଙ୍କୁଶ ନ ରହିବାରୁ ମାଫିଆମାନେ ସ୍ଥାନୀୟ ମୁଷ୍ଟିମେୟ ଲୋକଙ୍କ ସହ ପ୍ରଶାସନିକ ଅଧିକାରୀଙ୍କୁ ମାସିକିଆ ବଟି ଦେଇ ସରକାରଙ୍କ ରାଜସ୍ୱ କ୍ଷତି କରିବାରେ ଲାଗିଛନ୍ତି । ଏଠାରେ ପ୍ରଶ୍ନ ଉଠେ, ଏହି ଅଞ୍ଚଳରେ ଚୋରାରେ ବାଲି ଚାଲୁଥିବା ବେଳେ ଖଣି ବିଭାଗ ଓ ପୁଲିସଙ୍କ ପାଖରେ କ’ଣ ସୂଚନା ନାହିଁ ? ନା ମିଲିଭଗତରେ କିଛି ହାତଗୁଞ୍ଜା ନେଇ ଚାଲିଛି ଚୋରା କାରବାର ? ଏମିତି ଅନେକ ପ୍ରଶ୍ନ ବୁଦ୍ଧିଜୀବୀ ମହଲରେ ଉଙ୍କି ମାରିଛି ।