ପ୍ରଲୋଭନ ଦେଖାଇ ଧର୍ମାନ୍ତରୀକରଣ : ଆଦିବାସୀଙ୍କୁ ମୋହରା କରୁଛନ୍ତି ଧର୍ମପ୍ରଚାରକ
ବୈଶିଙ୍ଗା: ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ନୀରିହ ଆଦିବାସୀମାନଙ୍କୁ କରାଯାଉଛି ଧର୍ମାନ୍ତରୀକରଣ । ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତର ମେର୍ଦ୍ଦା ନୁଆଗାଁ ଗ୍ରାମରେ ସାମ୍ନାକୁ ଆସିଲା ଧର୍ମାନ୍ତରୀକରଣ ଭଳି ସଙ୍ଗିନ ଅଭିଯୋଗ । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ଘଟଣାକୁ ବିରୋଧ କରାଯାଇଛି । ପ୍ରାପ୍ତ ସୂଚନା ମୁତାବକ ମୟୂରଭଞ୍ଜ ଜିଲ୍ଲାରେ ଏହି ଭଳି ଧର୍ମାନ୍ତରୀକରଣ ଘଟଣା ଦିନକୁ ଦିନ ବଢି ବଢି ଚାଲିଥିବା ବେଳେ ଏହାର ସ୍ୱତନ୍ତ୍ର ଭାବେ ଶିକାର ହେଉଛନ୍ତି ନୀରିହ ଆଦିବାସୀ ସମ୍ପ୍ରଦାୟ । ଏଭଳି ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ଅଭିଯୋଗ ମୁତାବକ ବାଲେଶ୍ୱର ଜିଲ୍ଲାରୁ ୧୪ ଜଣରୁ ଅଧିକ ଖ୍ରୀଷ୍ଟିୟାନ୍ ଧର୍ମର ଲୋକ ଆଜି ମେର୍ଦ୍ଦାନୂଆଗାଁ ଅଞ୍ଚଳର ଆଦିବାସୀ ସାହିରେ ପହଞ୍ଚି ସେଠାରେ ଧର୍ମସେବା କରିବା ସହିତ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଲୋକଙ୍କୁ ବୁଝାଉଥିଲେ । ଖ୍ରୀଷ୍ଟିୟାନ୍ ଧର୍ମ ଗ୍ରହଣ କଲେ ସେମାନଙ୍କୁ କୌଣସି ରୋଗ ହେବନି । ସେମାନଙ୍କୁ ବିଭିନ୍ନ ପ୍ରକାରର ସହାୟତା ମିଳିବା ନେଇ ମଧ୍ୟ ପ୍ରଲୋଭନ ଦେଖାଉଥିଲେ । ଏହି ଘଟଣା ହେଉଥିବାର ଖବର ପାଇ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିବା ସହ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଏକାଧିକ ଗ୍ରାମବାସୀ ଏବଂ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟମାନେ ପହଞ୍ଚିବା ପରେ ଘଟଣା ସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ସୃଷ୍ଟି ହୋଇଥିଲା । ସମସ୍ତେ ମିଶି ଧର୍ମାନ୍ତରୀକରଣ ପାଇଁ ଅଞ୍ଚଳବାସୀଙ୍କୁ ପ୍ରବର୍ତ୍ତାଉଥିବା ଲୋକଙ୍କୁ ଅଟକ ରଖି ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ । ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚô ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଉକ୍ତ ସ୍ୱତନ୍ତ୍ର ଧର୍ମ ଗ୍ରହଣ କରିଥିବା ଲୋକଙ୍କୁ ଥାନାକୁ ନେଇ ଆସିଥିଲେ । ବେତନଟୀ ଉପଖଣ୍ଡ ପୁଲିସ ନିକଟରେ ଲିଖିତ ଅଭିଯୋଗକୁ ଭିତ୍ତିକରି ବୈଶିଙ୍ଗା ଥାନା ତଦନ୍ତ ଜାରି ରଖିଛି ।