ପ୍ରଶାସନିକ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି: ଓଳାଶୁଣୀ ଗୁମ୍ଫା ମେଳାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ

ବାଲିଚନ୍ଦ୍ରପୁର : ମାଘ କୃଷ୍ଣ ଏକାଦଶୀ ତିଥିରେ ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ଆରମ୍ଭ ହେବ । ଚଳିତମାସ ୨୫ତାରିଖରେ ଆରମ୍ଭ ହେବାକୁ ଥିବା ମେଳା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଳାଶୁଣୀ ପାହାଡର ଶୀର୍ଷ ଦେଶରେ ଥିବା ଗଣେଶ ମଣ୍ଡପ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦୁ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ନାୟକ ଯୋଗଦେଇ କିପରି ଶାନ୍ତି ଶୃଙ୍ଖଳାର ଶହ ମେଳା ଅନୁଷ୍ଠିତ ହେବ ସେଥିପାଇଁ ସ୍ଥାନୀୟ ଅଞ୍ଚଳବାସୀ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ମେଳାରେ ଲକ୍ଷ ଲକ୍ଷ ଲୋକ ଆସିବେ ସେମାନଙ୍କର ଯେପରି କିଛି ଅସୁବିଧା ହେବନି ସେଥିପ୍ରତି ପ୍ରଶାସନ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ । ପ୍ରଥମେ ମଠର ମଠାଧୀଶ ମହନ୍ତ ନାମାନନ୍ଦ ଦାସ ଅଶ୍ରୀବଚନ ବଚନ ପ୍ରଦାନ କରିଥିଲେ । ପାନୀୟ ଜଳ, ଆଇନ ଶୃଙ୍ଖଳା, ପରିମଳ, ସ୍ୱାସ୍ଥ୍ୟ ସେବା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅବକାରୀ, ପରିବେଶ ସୁରକ୍ଷା ପାଇଁ ଆଲୋଚନା କରାଯାଇଥିଲା । ମେଳାରେ ଯେତେ ଗୋଟି ଅପେରା ପାର୍ଟି ପଡ଼ିବେ ସେମାନେ ଯେପରି ଅଶ୍ଳୀଳ ନୃତ୍ୟ ପରିବେଷଣ ନକରିବେ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଥିବା ଆଇଟମ ଗାର୍ଲ୍ଙ୍କୁ ଏଠାକୁ ନଆଣିବା ପାଇଁ ଯାତ୍ରା କମିଟିର କର୍ମକର୍ତା ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ମେଳା ପଡିଆ ମଙ୍ଗଳା ମନ୍ଦିର ନିକଟରେ କେହି ବ୍ୟକ୍ତି ବାଡାବନ୍ଦି କରିଥିବା ନେଇ ଆଲୋଚନା କରାଯାଇଥିଲା । ତୁରନ୍ତ ଏହାକୁ ହଟାଇବାକୁ ତହସିଲଦାର ନିଦେ୍ର୍ଦଶ ଦେଇଥିଲେ । ମେଳାକୁ ବହୁ ସାଧୁ ସନ୍ଥ ଆସିବାର ଥିବାରୁ ସେମାନଙ୍କ ପ୍ରତି ଧ୍ୟାନ ଦେବାକୁ ଆଲୋଚନା କରାଯାଇଥିଲା । ମେଳା ପରିସରରେ ଏକାଦଶୀ ତିଥିରେ ଗୁମ୍ଫା ମହୋତ୍ସବ କିପରି ଗୋଟିଏ ଦିନରେ ହୋଇ ପାରିବ ଓ ସାଧୁସନ୍ଥଙ୍କୁ ସମ୍ବର୍ଦ୍ଧିତ କରାଯିବ ସେଥି ପ୍ରତି ଦୃଷ୍ଟି ଦେବାକୁ ଆଲୋଚନା ହୋଇଥିଲା । ଏଥିରେ ଦର୍ପଣ ତହସିଲଦାର ମାନସ ତ୍ରିପାଠୀ, ବଡଚଣା ବିଡିଓ ରବିନ୍ଦ୍ର କୁମାର ପ୍ରଧାନ, ବଡଚଣା ଥାନା ଆରକ୍ଷୀ ନିରକ୍ଷକ ଅସିତ ବଳବନ୍ତରାୟ, ମାହାଙ୍ଗା ତହସିଲଦାର ସୁଶାନ୍ତ କୁମାର ମିଶ୍ର, ମାହାଙ୍ଗା ଥାନା ଆଇଆଇସି ତପନ କୁମାର ରାଉତ,  ଏସଡିପିଓ ସଞ୍ଜୟ କୁମାର ନାୟକ, ଚଣ୍ଡିଖୋଲ ଅଗ୍ନିସମ ଅଧିକାରୀ ସନ୍ତୋଷ ସ୍ୱାଇଁ, ବଡ଼ଚଣା ମେଡିକାଲର ମନୋରମା ସ୍ୱାଇଁ, ଜଳ ପରିମଳ ସହକାରୀ ନିର୍ବାହିଯନ୍ତ୍ରୀ ଅପର୍ତୀ ବେହେରା, ଗୋବିନ୍ଦ ବଲ୍ଲଭ ମହାପାତ୍ର, ଅନିଲ କୁମାର ସେଠୀ, ପ୍ରମୁଖ ବହୁ ସରକାରୀ ଅଧିକାରୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୁଦ୍ର ନାରାୟଣ ସିଂହ, ଶରତ କୁମାର ପ୍ରଧାନ, ଶୁଭେନ୍ଦୁ କୁମାର ଭୂୟାଁ, ରତିକାନ୍ତ ସାମଲ, ଅଶୋକ ସାମଲ, ଦେବାଶିଷ ସିଂହ, ଦିଲୀପ ସାମଲ, ବିଜେନ୍ଦ୍ର ମହାରଣା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।