ପ୍ରେମାନନ୍ଦଜୀ ମହାରାଜଙ୍କୁ କିଡନୀ ଦେବାକୁ ଲମ୍ବା ଲାଇନ୍‌

ପ୍ରେମାନନ୍ଦଜୀ ମହାରାଜଙ୍କୁ କିଡନୀ ଦେବାକୁ ଲମ୍ବା ଲାଇନ୍‌

ସେଲିବ୍ରିଟିଙ୍କଠାରୁ ସାଧାରଣ ଭକ୍ତ ପର୍ଯ୍ୟନ୍ତ, ସାଧାରଣ ଜନତାମାନେ ଭାରତର ସବୁଠାରୁ ପୂଜ୍ୟ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପ୍ରେମାନନ୍ଦ ଜୀ ମହାରାଜଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି । ତାଙ୍କ ଆରୋଗ୍ୟ ପାଇଁ ଦେଶ ବିଦେଶରେ ଲୋକଙ୍କ ପ୍ରାର୍ଥନା ଜାରି ରହିଛି । ମହାରାଜ ସମ୍ପୂର୍ଣ୍ଣ କିଡନୀ ବିଫଳତା ସହିତ ଜୀବନ ସଂଘର୍ଷ ଜାରି ରଖିଛନ୍ତି । ତାଙ୍କ ପ୍ରତି ଏତେ ସମ୍ମାନ ଓ ଭକ୍ତି ଯେ ତାଙ୍କ ଅନୁଗାମୀମାନେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ସେମାନଙ୍କର କିଡନୀ ପ୍ରଦାନ କରିବାକୁ ଆଗେଇ ଆସିଥିଲେ ମଧ୍ୟ  ବୃନ୍ଦାବନସ୍ଥିତ ସନ୍ଥ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ଚାହେ ନାହିଁ ମୋ ଯୋଗୁଁ କେହି କଷ୍ଟ ଓ ଯନ୍ତ୍ରଣା ଭୋଗୁ । କଳିଯୁଗରେ ସବୁଠୁ ଆଶ୍ଚର୍ଯ୍ୟ ଓ ଅଲୌକିକତା ହେଉଛି ଯେ, ମହାରାଜଙ୍କ କିଡନୀ ଦୀର୍ଘ ୨୦ ବର୍ଷ ତଳୁ ନଷ୍ଟ ହୋଇଯାଇଛି । ଏହା ଜଣାପଡିବା ପରେ ଡାକ୍ତର ତାଙ୍କୁ ଆଉ କିଛି ମାସ ବଞ୍ôଚବେ ବୋଲି ଘୋଷଣା କରିଥିଲେ । କିନ୍ତୁ ଏସବୁକୁ ମାତ ଦେଇ ଆଜି ପର୍ଯ୍ୟନ୍ତ ମହାରଜା ଜୀବିତ ରହିବା ସହ ବିଜ୍ଞାନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଆଉ ତାଙ୍କର ଜୀବନକୁ ସମାଜର, ସାଧାରଣ ବ୍ୟକ୍ତିର ଉନ୍ନତି ପାଇଁ ସଂପୂର୍ଣ୍ଣ ଅର୍ପଣ କରିଦେଇଛନ୍ତି । ଖାଲି ହିନ୍ଦୁ ନୁହନ୍ତି, ମୁସଲିମ, ଖ୍ରୀଷ୍ଟିଆନ ଓ ଅନ୍ୟାନ୍ୟ ଧର୍ମାଲମ୍ବିମାନେ ତାଙ୍କୁ ସମ୍ମାନ ଓ ଆଦର କରନ୍ତି ।

 ଭାରତରେ କିଡନୀ ଦାନ ଓ ଟିସୁ ପ୍ରତିରୋପଣ ଆଇନ ଅନୁଯାୟୀ ନିୟନ୍ତ୍ରିତ ହୁଏ । କେବଳ ନିକଟ ସମ୍ପର୍କୀୟମାନେ କିଡନୀ ଦାନ କରିପାରିବେ । ଏଥିପାଇଁ ଚିକିତ୍ସା ଓ ସରକାରୀ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଆବଶ୍ୟକ । କାନପୁରରେ ଜନ୍ମଗ୍ରହଣ କରିଥିବା ଅନିରୁଦ୍ଧ କୁମାର ପାଣ୍ଡେ ୧୩ ବର୍ଷ ବୟସରେ ସାଂସାରିକ ଜୀବନ ତ୍ୟାଗ କରିଥିଲେ ଓ ବୃନ୍ଦାବନର ରାଧାବଲ୍ଲଭୀ ସମ୍ପ୍ରଦାୟରେ ଯୋଗ ଦେଇଥିଲେ । ରାଧା-କୃଷ୍ଣଙ୍କ ପ୍ରତି ନିଜ ଜୀବନ ଉତ୍ସର୍ଗ କରିଥିଲେ । ବର୍ଷ ବର୍ଷ ଧରି ପ୍ରେମାନନ୍ଦ ଜୀ ମହାରାଜ ଆଧ୍ୟାତ୍ମିକ ଜ୍ଞାନ ପାଇଁ ଆଜି ସେ ଘରେ ଘରେ ସମସ୍ତଙ୍କ ଲୋକପ୍ରିୟ ହୋଇଯାଇଛନ୍ତି । ସତସଙ୍ଗ ମାଧ୍ୟମରେ ତାଙ୍କ ଶିକ୍ଷା ପ୍ରଦାନ କରାଯାଏ । ସେ ପ୍ରେମ, ନମ୍ରତା ଓ ଈଶ୍ୱରଙ୍କ ନିକଟରେ ଆତ୍ମସମର୍ପଣ ଉପରେ ଗୁରୁତ୍ୱାରୋପ କରନ୍ତି । ପ୍ରେମାନନ୍ଦ ଜୀ ମହାରାଜ ଭକ୍ତି ଯୋଗ ଏବଂ ରାଧା ଓ କୃଷ୍ଣଙ୍କ ମଧ୍ୟରେ ଦିବ୍ୟ ପ୍ରେମ ଉପରେ କେନ୍ଦ୍ରିତ ରସିକ ପରମ୍ପରାରେ ଗଭୀର ନିମଜ୍ଜିତ ହେବା ପାଇଁ ଜଣାଶୁଣା । ସେ ବ୍ରହ୍ମଚର୍ଯ୍ୟ, ସରଳତା ଓ ଭୌତିକ କାମନାରୁ ନିରପେକ୍ଷତା ଉପରେ ମଧ୍ୟ ଗୁରୁତ୍ୱାରୋପ କରନ୍ତି । ବିରାଟ କୋହଲି, ଅନୁଷ୍କା ଶର୍ମା, ହେମା ମାଳିନୀ, ଆଶୁତୋଷ ରାଣା, ଏଲଭିଶ ଯାଦବଙ୍କ ପରି ସେଲିବ୍ରିଟି ଓ ସାର୍ବଜନୀନ ବ୍ୟକ୍ତିତ୍ୱମାନେ ତାଙ୍କ ବୃନ୍ଦାବନ ଆଶ୍ରମ ପରିଦର୍ଶନ କରିଛନ୍ତି ।

 ଗତ କିଛି ବର୍ଷ ମଧ୍ୟରେ ସୋସିଆଲ ମିଡିଆ ଓ ୟୁଟ୍ୟୁବରେ ପ୍ରେମାନନ୍ଦ ମହାରାଜଙ୍କ ଉପସ୍ଥିତି ତାଙ୍କର ପ୍ରସାରକୁ ଆହୁରି ବୃଦ୍ଧି କରିଛି । ଯାହା ତାଙ୍କୁ ଘରେ ଘରେ ପରିଚିତ କରାଇଛି । ସମ୍ପ୍ରତି ସେ ଶଯ୍ୟାଶାୟୀ ହେବା ପୂର୍ବରୁ ସନ୍ଥ ପ୍ରତିଦିନ ରାତି ୨ଟାରେ ବୃନ୍ଦାବନରେ ପଦଯାତ୍ରାରେ ବାହାରୁଥିଲେ । ତାଙ୍କର ପଦଯାତ୍ରାରେ ହଜାର ହଜାର ଭକ୍ତ ତାଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଏକାଠି ହେଉଥିଲେ । କିନ୍ତୁ ଗତ ସପ୍ତାହକ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ବର୍ତ୍ତମାନ ସେ କିଛିଟା ସୁସ୍ଥତା ଅନୁଭବ କରୁଥିବା ବେଳେ ପଦଯାତ୍ରାରେ ଯାଇନପାରି ତାଙ୍କ ଆଶ୍ରମରେ ଭକ୍ତଙ୍କୁ ଦର୍ଶନ ହେଉଛନ୍ତି ।