ପ୍ରେମିକାର ଗଳାକାଟି ହତ୍ୟା ଘଟଣାରେ ଧରାପଡିଲା ଅଭିଯୁକ୍ତ ପ୍ରେମିକ

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ପ୍ରେମିକାର ଗଳାକାଟି ହତ୍ୟା ଘଟଣାର ଅଭିଯୁକ୍ତ ପ୍ରେମିକକୁ ବାସୁଦେବପୁର ଧଳସାହିରୁ ଗିରଫ କରିଛି ପୁଲିସ । ହତ୍ୟାକାଣ୍ଡ ଘଟାଇବା ପରେ ଫେରାର ଥିଲେ ଅଭିଯୁକ୍ତ ବିଶ୍ୱରଞ୍ଜନ ପୁହାଣ  ।  ଚାରୋଟି ଟିମ ଗଠନ କରି ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲା  । ଆଜି ସକାଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଧଳସାହି ନିକଟ ଏକ ପଡ଼ିଆରୁ ଯୁବକଙ୍କୁ ଗିରଫ କରିଥିଲା ପୁଲିସ  । ହତ୍ୟା କରିବା ପରେ ଅଭିଯୁକ୍ତ ବିଭିନ୍ନ ସ୍ଥାନରେ ଲୁଚି ବୁଲିଥିବା ବେଳେ ପୁଲିସକୁ ଦେଖି ବିଷ ପିଇଦେଇଥିଲେ ।  ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ଡାକ୍ତରଖାନା ଓ ପରେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଥିଲା ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ  । ଘରେ ପଶି ଯୁବତୀଙ୍କ ଗଳା କାଟି ହତ୍ୟା କରିଥିଲା ଅଭିଯୁକ୍ତ । ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ଜଣେ ଯୁବକ ଏଭଳି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଯାହାକୁନେଇ ପୁଲିସ ତଦନ୍ତ କାର୍ଯ୍ୟ ଜାରି ରଖିଥିଲା  । ଜ୍ୟୋତିର୍ମୟୀଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ କରାଯାଇଥିବା ଅଭିଯୋଗ ଅନୁସାରେ, ସଂପୃକ୍ତ ଯୁବକ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ ଭୈରବପୁର ଗ୍ରାମର ବିଶ୍ୱରଂଜନ ପୁହାଣ । ଘର ନିକଟ ଏକ ସିସିଟିଭି ଫୁଟେଜରୁ ହତ୍ୟାକାଣ୍ଡରେ ତାଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଇଥିଲା  । ବିଶ୍ୱରଞ୍ଜନ ତାଙ୍କୁ ହଇରାଣ କରୁଥିବା ଏବଂ ବିବାହ ନ କଲେ ଆତ୍ମହତ୍ୟା କରିବାର ଧମକ ଦେଉଥିବା ନେଇ ଜ୍ୟୋତିର୍ମୟୀ ସୋର ଥାନାରେ ଅଭିଯୋଗ କରିଥିଲେ  । ଉଲ୍ଲେଖଯୋଗ୍ୟ ଯେ ଉଭୟ ଜ୍ୟୋତିର୍ମୟୀ ଓ ବିଶ୍ୱରଞ୍ଜନଙ୍କ ମଧ୍ୟରେ ୮ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ପରେ କୌଣସି କାରଣ ପାଇଁ ଉଭୟଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।