ପ୍ରୋତ୍ସାହନ ଓ ବୋନସ ଅର୍ଥ ନେବେ ନାହିଁ : ଲିଖିତ ଭାବେ ଜଣାଇଲେ ଏମ୍ବିକେ ଓ ସିଆରପି  

 ଖଇରା : ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରଦର୍ଶନ ପ୍ରୋତ୍ସାହନ ଓ ବୋନସ ଅର୍ଥ ନନେବାକୁ ବାଲେଶ୍ୱର ଜିଲା ଖଇରା ବ୍ଲକ ୩୭ ପଞ୍ଚାୟତର ସିଆରପି, ଏମ୍ବିକେ ଓ ଅନ୍ୟାନ୍ୟ ଗୋଷ୍ଠୀ ସହାୟିକା କର୍ମଚାରୀ ବିଡିଓ ନାରାୟଣ ସାହୁଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ସେମାନଙ୍କର ଅଭିଯୋଗ ଅନୁଯାୟୀ ପୁର୍ବରୁ ୧୩ ବର୍ଷ ଧରି ଗ୍ରାମ ପଂଚାୟତସ୍ତରୀୟ   ସଂଘରେ କାର୍ଯ୍ୟରତ ଗୋଷ୍ଠୀ ସହାୟିକା କର୍ମଚାରୀ,ଏମବିକେ ଓ ସିଆରପିଙ୍କୁ ସ୍ଥିର ଦରମା ଦିଆଯାଉଥିଲା । ଏବେ କାର ରାଜ୍ୟ ସରକାର ସ୍ଥିର ଦରମା ପରିବର୍ତେ ପ୍ରଦର୍ଶନ ପ୍ରୋତ୍ସାହନ ଓ ବୋନସ ଅର୍ଥ ପ୍ରଦାନ ପାଇଁ ଚିଠି କରିଛନ୍ତି । ଅର୍ଥାତ ଯେତିକି କାମ ସେତିକି ପାରିଶ୍ରମିକ ବ୍ୟବସ୍ଥାକୁ ଜିପଏଲଏଫରେ କାର୍ଯରତ କର୍ମଚାରୀ ଅଗ୍ରାହ୍ୟ କରିଛନ୍ତି । ପୂର୍ବପରି ସ୍ଥାୟୀ ଦରମା ପ୍ରଦାନ ପାଇଁ ମହାସଂଘର ଏମବିକେ ନିରୁପମା ନାୟକ, ସିଆରପି ରାଧାରାଣି ନାୟକ, ଗାୟତ୍ରୀ ଦାସ, ପ୍ରଭାତ ନଳିନୀ ଦାସ, କାଞ୍ଚନ ମହାରଥା, ଜ୍ୟେତ୍ସ୍ନାରାଣୀ ସାହୁ, ସୂର୍ଯ୍ୟମଣି ତ୍ରିପାଠୀ ଓ ସୂର୍ଣ୍ଣପ୍ରଭା ମଢୁଆଳ ପ୍ରମୁଖଙ୍କ ତରଫରୁ ଦାବିପତ୍ର ଦିଆଯାଇଥିଲା । ପରେ ଅନ୍ୟ ୩୬ ପଂଚାୟତରେ ଏମ୍ବିକେ ଓ ସିଆରପିଙ୍କ ସହ କାର୍ଯ୍ୟରତ ବ୍ୟାଙ୍କମିତ୍ର, ପ୍ରାଣିମିତ୍ର, କୃଷିମିତ୍ର, ଏଲ୍ଏସ୍ପିଙ୍କ ଦ୍ୱାରା ଦାବିପତ୍ର ପ୍ରଦାନ କରାଯାଇଥିଲା ।