ତାଳଚେର ଅଞ୍ଚଳରେ ବଢୁଛି ଚୋରି, ଲୋକେ ଭୟଭୀତ
ତାଳଚେର : ଶିଳ୍ପନଗରୀ ତାଳଚେର ଅଞ୍ଚଳରେ ଚୋରି, ରାହାଯାନୀ ବୃଦ୍ଧି ପାଇ ଆସୁଥିଲେ ମଧ୍ୟ ତାଳଚେର ଟାଉନଥାନା ପୁଲିସ୍ର କାର୍ଯ୍ୟକଳାପକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋରଧରିଛି । ବର୍ତ୍ତମାନ ଳୋକେ ଏହି ଚୋରିକୁ ନେଇ ଭୟଭୀତ ଅଛନ୍ତି । ୩ଦିନ ପୂର୍ବରୁ ଯେଉଁଭଳି ଦୃର୍ବୁତ୍ତମାନେ ଆତଙ୍କରାଜ ଚଳାଇ ପୃଥକ ପୃଥକ ଭାବେ ବାଘୁଆବୋଲ ରେଳଫାଟକ ନିକଟରେ ବନ୍ଧୁକ, ଭୂଜାଲି ଦେଖାଇ ୪ଟି ଘଟଣା ଭିଆଇଥିଲେ ଏହା ଲୋକଙ୍କ ମନରୁ ନଲିଭୂଣୁ ପୁଣି ଆଜି ବାହାର ରାଜ୍ୟର ଦୁଇଟି ଟ୍ରଲର୍ ତାଳଚେର ବାଇପାସ୍ ଅଞ୍ଚଳରେ ଠିଆ ହୋଇଥିବା ୨ଟି ଟ୍ରଲର ଟାଙ୍କିରୁ ଦୃର୍ବୁତ୍ତମାନେ ସମସ୍ତ ଡିଜେଲ କାଢି ନେଇଥିବା ଆଶ୍ଚର୍ଯ୍ୟ କରିଛି । ଗାଡିର ଚାଳକ ଷ୍ଟାର୍ଟମାରିଲା ବେଳକୁ ଗାଡି ଷ୍ଟାର୍ଟ ହୋଇନଥିଲା । କାରଣ ବୁଝୁବୁଝୁ ଦେଖିଲା ବେଳେକୁ ଟାଙ୍କିରେ ଟୋପେ ବି ଡିଜେଲ ନଥିଲା । ଏସମ୍ପର୍କରେ ଉଭୟ ଗାଡିଚାଳକମନଦୁଃଖରେ ଠିଆ ହୋଇଥିବା ବେଳେ ସେମାନଙ୍କୁ ସେଠିକାର ଅଂଚଳବାସୀ ପଚାରିବାରୁ ସେ ଘଟଣା ସମ୍ପର୍କରେ କହିଥିଲେ । ଅଂଚଳବାସୀ ଥାନାରେ ଏତଲା ଦେବା ପାଇଁ ତାଙ୍କୁ କହିଥିଲେ । ମାତ୍ର ସେମାନେ କହିଲେ ଥାନେରେ ଜଣାଇଲେ କ’ଣ ଗାଡିର ତେଲ ଫେରି ଆସିବକି । ତେଣୁ ସେମାନେ ମନଦୁଃଖରେ ଆସି ପୁନଶ୍ଚ ଟାଙ୍କିରେ ତେଲ ପକାଇ ନିଜ ଗନ୍ତବ୍ୟପଥକୁ ଯାଇଥିଲେ । ଏହି ଘଟଣାକୁ ଦୃଷ୍ଟିରେ ରଖିଲେ ଜଣାପଡେ ଯେ, ତାଳଚେର ଅଞ୍ଚଳ ବର୍ତ୍ତମାନ କେତେ ସୁରକ୍ଷିତ! ହାଟାତୋଟା ମାର୍କେଟ ଏକ ବସ୍ତ୍ରାଳୟ ସମ୍ମୁଖରେ ଅପରାହ୍ଣରେ କଙ୍କିଳି ଗ୍ରାମର ଦୁଃଖବନ୍ଧୁ ନାଥ (୫୮) ତାଙ୍କ ମଟରସାଇକେଲ ରଖି କପଡା କିଣିବାକୁ ଦୋକାନକୁ ଯାଇଥିଲେ । ସେଠାରୁ ଫେରିବାପରେ ତାଙ୍କର ମଟରସାଇକେଲଟି ଆଉ ନଥିଲା । ସେହିଭଳି ୩ତାରିଖ ଦିନ ବହ୍ଲର ଛକ ନିକଟରେ ଠିଆ ହୋଇଥିବା ଏକ ଟ୍ରକରୁ ବ୍ୟାଟେରୀ ଚୋରି, ୮ତାରିଖ ରାତିରେ ୪ଟି ସ୍ଥାନରୁ ଲୁଟପାଟ୍, ଦୃର୍ବୁତ୍ତମାନେ ଖଣ୍ଡାରେ ହାଣି ଜୈନିକ ବ୍ୟକ୍ତିଙ୍କୁ ଘାଇଲା କରିବା ସହ ତାଙ୍କ ମୋବାଇଲ୍ ଛଡାଇ ନେବା ଘଟଣା ଘଟୁଥିଲେ ମଧ୍ୟ ପୁଲିସ୍ କିପରି ଭାବେ ଦୃର୍ବୁତ୍ତଙ୍କ ଟେର ପାଉନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଠି କରିଛି । ଏକବର୍ଷ ମଧ୍ୟରେ ଡ୍ରଗ୍ସ ବ୍ୟବସାୟ ଓ ସେବନ ଅତ୍ୟଧିକ ହୋଇପଡିବାରୁ ଦୃର୍ବୁତ୍ତମାନେ ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଏପରି ଗୋଟି ପରେ ଗୋଟିଏ କାଣ୍ଡ ଭିଆଉଥିବା ତାଳଚେର ଅଂଚଳରେ ଚର୍ଚ୍ଚା ପରିସରକୁ ଆସିଛି ।