ସ୍ତ୍ରୀକୁ ବିଷ ଦେଇ ହତ୍ୟା, ଅଭିଯୁକ୍ତ ସ୍ୱାମୀ ଗିରଫ
ନୀଳଗିରି : ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ପରେ ସ୍ୱାମୀ ନର ରାକ୍ଷସ ପାଲଟି ଯାଇଥିଲା । ପ୍ରତିଶୋଧ ପରାୟଣ ହୋଇ ପିଟି ପିଟି ସ୍ତ୍ରୀର ନେଲା ଅମୂଲ୍ୟ ଜୀବନ । ଏଭଳି ଏକ ହୃଦୟ ବିଦାରକ ଘଟଣା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ କାଂଶ ଗ୍ରାମର ମନୋରଞ୍ଜନ ଖଣ୍ଡେଇ (୩୬) କାଠପାଳ, କରଂଜିଆ ଗ୍ରାମର ଦୁର୍ଗା ଦଳେଇଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ସଂସାର ବେଶ ହସ ଖୁସିରେ ଚାଲିଥିଲା । ତାଙ୍କ ଔରସରୁ ଦୁଇ ସନ୍ତାନ ଜନ୍ମ ଲାଭ ପରେ ଦୁର୍ଗାଙ୍କ ଜୀବନ ପ୍ରତି ବିପଦ ମାଡିଆସିଥିଲା । ଖୁଦ ସ୍ୱାମୀ ମନୋରଞ୍ଜନ ତାଙ୍କ ଉପରେ ଦାଉ ସାଜି ଶାରୀରିକ, ମାନସିକ ନିର୍ଯାତନା ଦେଇ ଆସୁଥିଲା । ତେବେ ଗତ ୨୨ ତାରିଖ ଦିନ ସ୍ତ୍ରୀ ଦୁର୍ଗାକୁ ଅମାନୁଷିକ ଭାବେ ମାର୍ପିଟ୍ କରିଥିଲା । ଏପରିକି ନିଜର ଦୋଷ ଲୁଚାଇବା ପାଇଁ ଅଭିନବ ଉପାୟରେ ନିଜ ସ୍ତ୍ରୀ ପାଟିରେ ବିଷ ଢ଼ାଳି ବିଷ ପିଇଥିବାର ଅଭିନୟ କରିଥିଲା । ଗୁରୁତର ଅବସ୍ଥାରେ ଦୁର୍ଗାଙ୍କୁ ପ୍ରଥମେ ନୀଳଗିରି ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଚିକିସôାଧୀନ ଅବସ୍ଥାରେ ଗତ ୨୪ ତାରିଖ ଗୁରୁବାର ସକାଳେ ଦୁର୍ଗାର ମୃତୁ୍ୟ ହୋଇଥିଲା । ଏପଟେ ଝିଅର ମୃତୁ୍ୟ ଖବର ଶୁଣି ମା’ ନୀଳଗିରି ଥାନାରେ ମୋ ଝିଅକୁ ପିଟି ପିଟି ମାରିଦେଇ ପାଟିରେ ଜ୍ୱାଇଁ ବିଷ ପିଆଇ ମାରି ଦେଇଥିବା ଅଭିଯୋଗ କରିଥିଲେ । ଏ ନେଇ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ, ସବଇନ୍ସପେକ୍ଟର ଦିଲୀପ ସେନାପତି, କର୍ମଚାରୀ କାର୍ତ୍ତିକ ସଲ, ପ୍ରମୁଖ ସଦଳବଳେ କଟକ ବଡ ମେଡିକାଲରେ ପହଞ୍ଚି ମନୋରଞ୍ଜନ ଖଣ୍ଡେଇକୁ ଗିରଫ କରିଥିଲେ । ପୋଲିସକୁ ଦେଖି ନଣନ୍ଦ ଓ ଜାଆ ମେଡିକାଲ ପରିସରରୁ ଫେରାର ହୋଇ ଯାଇଥିଲେ । ପରେ ଦୁର୍ଗାର ମୃତ ଶରୀରକୁ ଗ୍ରାମକୁ ପଠେଇଥିଲା ବେଳେ ସ୍ୱାମୀକୁ ନୀଳଗିରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଏ ନେଇ ନୀଳଗିରି ଥାନା ରେ ୧୪୧/୨୫ ମାମଲା ରୁଜୁ କରାଯାଇଛି ।