ଫ୍ରିଡମ୍ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ୟାପିତ

 ସାଲେପୁର : କ୍ରୀଡ଼ା ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଅପରିହାର୍ଯ୍ୟ ଅଙ୍ଗ ହେବା ଉଚିତ୍ । କ୍ରୀଡ଼ା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଓ ମାନସିକ ବିକାଶ ଘଟିଥାଏ । ତେଣୁ  ପ୍ରତ୍ୟେକ ଛାତ୍ରଛାତ୍ରୀ ଶିକ୍ଷା ପ୍ରତି ଯେତିକି ଗୁରୁତ୍ୱ ଦେଉଛନ୍ତି କ୍ରୀଡ଼ା ପ୍ରତି ମଧ୍ୟ ସେତିକି ଗୁରୁତ୍ୱ ଦେଲେ ଛାତ୍ରଛାତ୍ରୀମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶ ଘଟିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ସାଲେପୁରର ଭାତପଡ଼ାଠାରେ ଥିବା ଫ୍ରିଡମ୍ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରତିଷ୍ଠାତା ସେକ୍ ଅଜଗର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ୟାପନ ଉତ୍ସବରେ ମୁଖ୍ୟଅତିଥି ଭାବେ କ୍ରୀଡ଼ାବିତ୍ ଅନୁରାଧା ବିଶ୍ୱାଳ ଯୋଗଦେଇ କ୍ରୀଡ଼ା ଦ୍ୱାରା ଶାରୀରିକ ଓ ମାନସିକ ଶକ୍ତିର ବିକାଶ ହୋଇପାରିଥାଏ । ଜଣେ କ୍ରୀଡ଼ାବିତ୍ ହେବାକୁ ହେଲେ ଅଧ୍ୟବସାୟ ଓ ନିଷ୍ଠା ସାଧନା ହିଁ ଏକାନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସାଲେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ୍ଟଗେଶ୍ୱର ପାତ୍ର, ଅନୁଷ୍ଠାନର ଅଧ୍ୟକ୍ଷ ସମାଜସେବୀ ଇଂ. ଜାହାଙ୍ଗୀର ଅଲ୍ଲି, ସଂପାଦକ ଡଃ ରିୟାଜୁଦ୍ଦିନ ରହେମାନ୍ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ୟାମ୍ପସ୍-୧ର ଅଧ୍ୟକ୍ଷ ଗଙ୍ଗାଧର ଦେହୁରୀ, କ୍ୟାମ୍ପସ୍-୨ର ଅଧ୍ୟକ୍ଷ ପ୍ରଭାସିନୀ ଷଡ଼ଙ୍ଗୀ ଓ କ୍ୟାମ୍ପସ୍-୩ର ଅଧ୍ୟକ୍ଷ ସୁବାସ ଚରଣ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।