ମହିମା ମହାବିଦ୍ୟାଳୟରେ ଏଡସ୍ ଦିବସ ପାଳନ
ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ବିଶ୍ୱ ଏଡସ୍ ଦିବସ ଓ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଯୁବ ରେଡକ୍ରସ, ରେଡ ରିବନ କ୍ଲବ, ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ପୁରାତନ ଛାତ୍ର ସଂଘର ସହଯୋଗରେ ଓ ଏଚଡିଏଫସି ବ୍ୟାଙ୍କ, ଢେଙ୍କାନାଳର ସହାୟତାରେ ବିଶ୍ୱ ଏଡସ୍ ଦିବସ ପାଳନ କରିବା ସହିତ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବିଶ୍ୱ ଏଡସ୍ ଦିବସ ସମ୍ପର୍କରେ ଜଣସାଧାରଣଙ୍କୁ ଅବଗତ କରାଇବା ନିମିତ ପ୍ରଚାରପତ୍ର, ବ୍ୟାନର ଓ ଡାକବାଜି ଯନ୍ତ୍ର ସାହାଯ୍ୟରେ କଲେଜ ଯୁବ ରେଡକ୍ରସ ତରଫରୁ ଯୋରନ୍ଦା, ନାଟିମା ଆଦି ଗ୍ରାମଗୁଡିକର ଜନସାଧାରଣଙ୍କୁ ଏଡସ୍ ସମ୍ପର୍କରେ ସଚେତନ କରିବା ସହ ରକ୍ତଦାନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଆୟୋଜିତ ରକ୍ତଦାନ ଶିବିରକୁ କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ଉପଦେଷ୍ଟା ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ୱାଇଁ, ଜାତୀୟ ସେବା ଯୋଜନା କାର୍ଯ୍ୟ ନିବାହୀ ଅଧ୍ୟାପିକା ଗୀତାଞ୍ଜଳି ସାହୁ, ଶକୁନ୍ତଳା ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ରକ୍ତଦାନ ଶିବିରରେ ରେଡକ୍ରସ ବ୍ଲଡ ବ୍ୟାଙ୍କ, ଢେଙ୍କାନାଳ ତରଫରୁ ପରମାନନ୍ଦ ପଣ୍ଡା, ବରୁଣ ସାହୁ, ତପନ ଜେନା ଏବଂ ଅଜୟ ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ ।